ନୂଆଦିଲ୍ଲୀ: ଭାରତୀୟ ମହାକଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ କେ.କସ୍ତୁରୀରଙ୍ଗନଙ୍କ ପରଲୋକ । । ଶୁକ୍ରବାର ବେଙ୍ଗାଲୁରରେ ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ସମୟରେ ତାଙ୍କର ଦୁଇ ପୁଅ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଗତ କିଛି ମାସ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ରବିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ । ରମଣ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ତାଙ୍କ ପାର୍ଥୀବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ ।
ଅଧିକାରୀମାନେ କହିଛନ୍ତି, ‘ଆଜି ସକାଳେ ବେଙ୍ଗାଲୁରୁ ସ୍ଥିତି ବାସଭବନରେ କେ.କସ୍ତୁରୀରଙ୍ଗନଙ୍କ ନିଧନ ହୋଇଛି । ଅନ୍ତିମ ଦର୍ଶନ ପାଇଁ ତାଙ୍କ ପାର୍ଥୀବ ଶରୀରକୁ ଏପ୍ରିଲ୍ ୨୭ରେ ଆରଆରଆଇରେ ରଖାଯିବ ।’ ଉଲ୍ଲେଖଯୋଗ୍ୟ ଯେ, ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ମହତ୍ୱାକାଂକ୍ଷୀ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି (NEP)କୁ ପ୍ରସ୍ତୁତ କରିଥିବା ଡ୍ରାଫ୍ଟ କମିଟିର ଅଧ୍ୟକ୍ଷ ଥିଲେ । ଏନ୍ଇପିରେ ସୂଚୀବଦ୍ଧ ଶିକ୍ଷା ସଂସ୍କାର ପ୍ରଣେତା ଭାବେ ପ୍ରସିଦ୍ଧ କସ୍ତୁରୀରଙ୍ଗନ ଜେଏନୟୁର କୁଳାଧିପତି ଓ କର୍ଣ୍ଣାଟକ ନଲେଜ୍ କମିଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।
କେ.କସ୍ତୁରୀରଙ୍ଗନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଭାରତର ବିଜ୍ଞାନ ଓ ଶିକ୍ଷା ଯାତ୍ରାରେ ସେ ଜଣେ ଉତ୍ତୁଙ୍ଗ ବ୍ୟକ୍ତି ଥିଲେ । ତାଙ୍କ ଦୂରଦୃଷ୍ଟି ନେତୃତ୍ୱ ଓ ନିସ୍ୱାର୍ଥପର ସେବାକୁ ଭାରତ ସବୁବେଳେ ମନ ରଖିବ । ସେ ଭାରତର ମହାକଶ କାର୍ଯ୍ୟକ୍ରମକୁ ନୂତନ ଶିଖରକୁ ନେଇଥିଲେ । ଏନଇପିର ଡ୍ରାଫ୍ଟିଂରେ କସ୍ତୁରୀରଙ୍ଗନଙ୍କ ଯୋଗଦାନ ପାଇଁ ଭାରତ ସର୍ବଦା କୃତଜ୍ଞ ରହିବ ।’
ଇସ୍ରୋର ପୂର୍ବତନ ଅଧ୍ୟକ୍ଷଙ୍କ ଜନ୍ମ ୧୯୪୦ ଅକ୍ଟୋବର ୨୪ରେ କେରଳର ଏର୍ନାକୁଲମରେ ହୋଇଥିଲା । ୨୦୦୩ରେ ଅବସର ନେବା ପୂର୍ବରୁ ସେ ୯ ବର୍ଷ ଯାଏ ଇସ୍ରୋ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । କସ୍ତୁରୀରଙ୍ଗନ ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ । ୨୦୦୩ରୁ ୨୦୦୯ ଯାଏ ସେ ସଂସଦର ସଦସ୍ୟ ଥିଲେ । ଭାରତର ତତ୍କାଳୀନ ଯୋଜନା ଆୟୋଗର ସଦସ୍ୟ ଭାବେ ନିଜ ସେବା ପ୍ରଦାନ କରିଥିଲେ । କସ୍ତୁରୀରଙ୍ଗନ ଏପ୍ରିଲ୍ ୨୦୦୪ରୁ ୨୦୦୯ ଯାଏ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ, ବେଙ୍ଗାଲୁରୁର ନିର୍ଦ୍ଦେଶକ ମଧ୍ୟ ଥିଲେ ।