ଭୁବନେଶ୍ୱର,,୦୯/୦୩: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ଦାସ ଜଣେ ଲୋକପ୍ରିୟ ଜନ ନେତା ଓ ଦକ୍ଷ ପ୍ରଶାସକ ଥିଲେ। ମନ୍ତ୍ରୀ ଓ ବିଧାୟକ ଭାବେ ସେ ରାଜ୍ୟର ଓ ବାଲେଶ୍ଵର ଅଞ୍ଚଳର ବିକାଶ ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଯୋଗୁଁ ରାଜ୍ୟ ଜଣେ ଅମାୟିକ ଜନ ସେବକଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।
ଏହା ମଧ୍ୟ ପଢନ୍ତୁ- ପରଲୋକରେ ପୂର୍ବତନ ବିଧାୟକ ଅନନ୍ତ ଦାସ, ୪ ଥର ବିଧାୟକ ଥିଲେ
ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ''ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଜନପ୍ରତିନିଧି ଭାବେ ଦୀର୍ଘଦିନ ଧରି ଲୋକଙ୍କ ସେବାରେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ।'' ପ୍ରକାଶ ଥାଉକି, ରବିବାର ଭୋର ୪ଟା ୧୫ ମିନିଟ୍ ସମୟରେ ଭୁବନେଶ୍ବର ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ତାଙ୍କ ପୁଅ ବିଶ୍ବଜିତ୍ ଦାସ ବିୟୋଗ ଖବର ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାଙ୍କ ବିୟୋଗ ଖବରରେ ରାଜନୈତକ ମହଲରେ ଶୋକର ଛାୟା ଖେଳିଯାଇଛି ।