ନୂଆଦିଲ୍ଲୀ: ୨୨ ଏପ୍ରିଲ ଅପରାହ୍ନରେ ପହଲଗାମର ସୁନ୍ଦର ଉପତ୍ୟକା ରକ୍ତରେ ଭିଜିଗଲା। ଜମ୍ମୁ-କାଶ୍ମୀରର ସୌନ୍ଦର୍ଯ୍ୟଭରା ସ୍ଥାନ ଗୁଡ଼ିକୁ ଉପଭୋଗ କରିବାକୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ଅତର୍କିତ ଗୁଳିଚାଳନା କରାଯାଇଥିଲା। ସ୍ଥାନୀୟ ପୋଲିସ ପୋଷାକ ପିନ୍ଧି ଆସିଥିବା ନିଷ୍ଠୁର ଆତଙ୍କବାଦୀ ମାନେ ଧର୍ମ ବିଷୟରେ ପଚାରିବା ପରେ, ଜଣକ ପରେ ଜଣେ ପର୍ଯ୍ୟଟକଙ୍କୁ ମୃତ୍ୟୁର ଦ୍ବାରଦେଶକୁ ପହଞ୍ଚାଉଥିଲେ। ଏହି ରକ୍ତର ହୋଲିରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୭ ଜଣ ଏବେ ବି ନିଜ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ସମଗ୍ର ଭାରତ ଏବେ ପ୍ରତିଶୋଧର ନିଆଁରେ ଜଳୁଛି । ଏହି ସମୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ମଧ୍ୟ ଏହି କାପୁରୁଷୋଚିତ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ କାନେରିଆ ନିଜ ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଦାୟୀ କରିଛନ୍ତି । 

ପାକିସ୍ତାନ ପାଇଁ ୬୧ ଟେଷ୍ଟ ଏବଂ ୧୮ ଦିନିକିଆ ଖେଳିଥିବା ଦାନିଶ କାନେରିଆ ଟ୍ୱିଟ୍ କରି ପହଲଗାମ ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି ଯେ, "ଯଦି ପହଲଗାମ ଆକ୍ରମଣରେ ପାକିସ୍ତାନର କୌଣସି ଭୂମିକା ନଥିଲା, ତେବେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏପର୍ଯ୍ୟନ୍ତ କାହିଁକି ଏହାକୁ ନିନ୍ଦା କରିନାହାଁନ୍ତି ? ଆପଣଙ୍କ ସେନା ହଠାତ୍ କାହିଁକି ହାଇ ଆଲର୍ଟରେ ଅଛି ? କାରଣ ଆପଣ ଭିତରେ ଭିତରେ ଏହି ସତ୍ୟ ମଧ୍ୟ ଜାଣନ୍ତି ଯେ ଆପଣ ହିଁ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି। ଆପଣଙ୍କୁ ଲଜ୍ଜିତ ହେବା ଉଚିତ।" ପହଲଗାମରେ ଆତଙ୍କ ସୃଷ୍ଟି କରିଥିବା ଚାରି ଜଣ ଆତଙ୍କବାଦୀଙ୍କ ସ୍କେଚ୍ ସୁରକ୍ଷା ଏଜେନ୍ସି ଗୁଡ଼ିକ ଜାରି କରିଛନ୍ତି। କୁହାଯାଉଛି ଯେ ଏହି ଆକ୍ରମଣରେ ସାମିଲ ଥିବା ଚାରି ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣ ପାକିସ୍ତାନୀ ଥିଲେ, ଯେତେବେଳେ କି ଅନ୍ୟ ଦୁଇ ଜଣ ଆତଙ୍କବାଦୀ କାଶ୍ମୀରର ଥିଲେ।