ଫରିଙ୍ଗିଆ,୧୩/୭ : କନ୍ଧମାଳ ଜିଲ୍ଲା ଚାରି ଚାରି ଥର ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ ପୁଣି ବିଧାୟକ। ରାଜନୀତିରେ ସୋପାନ ପରେ ସୋପାନ ଚଢି ସାରିବା ପରେ ମଧ୍ୟ ସେ ଛାଡ଼ିପାରି ନାହାନ୍ତି ନିଜ କୌଳିକ ବୃତ୍ତି । ବର୍ତ୍ତମାନ ଚାଷ କରି ନିଜ ପରିବାର ଚଳାଉଛନ୍ତି । ଏବେ ବି ଲଙ୍ଗଳ ଧରି ତାଙ୍କୁ ବିଲରେ ଚାଷ କରୁଥିବା ଦେଖିବାକୁ ମିଳୁଛି । ଏମିତି ଜଣେ ନିଆରା ନେତା ହେଲେ ଫୁଲବାଣୀର ପୂର୍ବତନ ବିଧାୟତ ଅଙ୍ଗଦ କହଁର I ବର୍ତ୍ତମାନ ସମୟରେ ଜଣେ ଥରେ ବିଧାୟକ କିମ୍ବା ସାଂସଦ ହେଲେ ତାଙ୍କର ଢାଞ୍ଚା ବଦଳି ଯାଉଛି । ଘରଦ୍ଵାର କରି କେତେକ ନେତା ସହରୀ ବାବୁ ପାଲଟି ଯାଉଛନ୍ତି ଗାଉଁଲି ନେତା I ପୂର୍ବତନ ବିଧାୟକଙ୍କ ରାଜନୀତିରେ ଏତେ ସଫଳତା ପରେ ମଧ୍ୟ ତାଙ୍କ ସରଳତାରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ଆସି ନାହିଁ । ୨୦୧୯ରୁ ୨୦୧୪ ପର୍ଯ୍ୟନ୍ତ ବିଜୁ ଜନତା ଦଳର ବିଧାୟକ ଥିଲେ ଅଙ୍ଗଦ। ସେତେବେଳେ ମଧ୍ୟ ସମୟ ମିଳିଲେ ସେ ହାତରେ ଲଙ୍ଗଳ ଧରି ବିଲକୁ ଯାଉଥିଲେ । ଗତ ନିର୍ବାଚନରେ ପରାଜିତ ହେବା ପରେ ସେ ସମ୍ପୂର୍ଣ୍ଣ ରୂପେ କୃଷି କର୍ଯ୍ୟରେ ମନୋନିବେଶ କରିଛନ୍ତି। 

ଜଣେ ଦକ୍ଷ ଚାଷୀ ଭଳି ମିଳି ପାୱାର ଟିଲର ଜମିରେ ଚଳାଉଛନ୍ତି । ବିହ‌ନ ବୁଣିବାଠାରୁ ଆରମ୍ଭ କରି କୋଡ଼ା ତୋଷା ପର୍ଯ୍ୟନ୍ତ ସବୁ ନିଜେ କରୁଛନ୍ତି । ନିଜ ଗ୍ରାମ ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ପକାରୀ ନିକଟରେ ରହିଛି ତାଙ୍କର ଚାଷ ଜମି। ଏଠାରେ ଧାନ ଚାଷ ସହିତ ବିଭିନ୍ନ ରକମର ପନି ପରିବା ମଧ୍ୟ ଉତ୍ପାଦନ କରୁଛନ୍ତି । ଦୁଇ ଏକର ଜମିରେ କଳାବତୀ ଧାନ ଚାଷ ଏବଂ କିଛି ଜମିରେ ଜଳା ହଳଦୀ ମଧ୍ୟ ଲଗାଇଛନ୍ତି । ତାଙ୍କର ପାଖରେ ଥିବା ୨୯ ଏକର ଜମିରୁ ୨୦ ଏକର ଜମିରେ ଧାନ ଫସଲ ଏବଂ ଆଉ କିଛି ଜମିରେ ବିଭିନ୍ନ ରକମର ପନିପରିବା ଚାଷ କରିଛନ୍ତି। ଚାଷ କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛନ୍ତି, ତାଙ୍କ ପତ୍ନୀ ଏବଂ ପୁଅ, ବୋହୂ । ସଫଳ କୃଷକ ପରିବାର ହିସାବରେ ଅଞ୍ଚଳରେ ତାଙ୍କର ଖ୍ୟାତି ରହିଛି। ଜଣେ ରାଜନେତା ଅପେକ୍ଷା ଜଣେ କୃଷକର ପରିଚୟ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହନ୍ତି ଅଙ୍ଗଦ। ଏଥିରେ ହିଁ ତାଙ୍କ ପରିବାର ଚଳେ ବୋଲି ସେ କହିଛନ୍ତି । ଜଣେ ସରଳ, ନମ୍ର, ପରପୋକାରୀ ଓ ମେଳାପୀ ବ୍ୟକ୍ତି ହିସାବରେ ରାଜନେତାମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି ପୂର୍ବତନ ବିଧାୟକ ଅଙ୍ଗଦ କହଁର ।