ଝାନ୍‌ସି,୨୨/୦୮: ୟୁପି ଝାନ୍‌ସି ଜିଲ୍ଲା ଅନ୍ତର୍ଗତ ଟୋଡ଼ି  ଫତେହପୁର ଥାନା ଅଧୀନ କିଶୋରପୁରା ଗ୍ରାମରେ ଏକ ଅଭାବନୀୟ  ଘଟଣା ଘଟିଥିଲା । କୂଅ ମଧ୍ୟରୁ ମୁଣ୍ଡବିହୀନ ମୃତଦେହ ମିଳିବା  ପରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏବେ ଉକ୍ତ ଘଟଣାର ପର୍ଦ୍ଦାଫାସ  ହୋଇଛି । ମୃତଦେହର ପରିଚୟ ମିଳିଛି । ମୃତକ ହେଉଛନ୍ତି ମଲ୍‌ୱାରା ଗ୍ରାମର ରଚନା ଯାଦବ (୩୫) । 

ପୁଲିସ ମୁତାବକ, ରଚନାଙ୍କୁ ତାଙ୍କ ପ୍ରେମିକ ତଥା ମହେବା ଗ୍ରାମର ପୂର୍ବତନ ସରପଞ୍ଚ ସଞ୍ଜୟ ପଟେଲ ହତ୍ୟା କରିଛନ୍ତି । ଏହି ହତ୍ୟା ଘଟଣାରେ ସଞ୍ଜୟଙ୍କ ପୁତୁରା ସନ୍ଦୀପ ପଟେଲ ଓ ବନ୍ଧୁ ପ୍ରଦୀପ ଓରଫ ଦୀପକ ଅହରିୱାର ସମ୍ପୃକ୍ତ ଅଛନ୍ତି । ପୁଲିସ ସଞ୍ଜୟ ଓ ସନ୍ଦୀପଙ୍କୁ ଗିରଫ କରିଛି । ପ୍ରଦୀପ ଏବେ ବି ଫେରାର ଅଛି । 

ବରିଷ୍ଠ ପୁଲିସ ଅଧୀକ୍ଷକ ବିବିଜିଟିଏସ୍‌ ମୂର୍ତ୍ତିଙ୍କ ଅନୁସାରେ,  ରଚନା ଓ ସଞ୍ଜୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିଲା । ରଚନା ବିବାହ  ପାଇଁ ବାରମ୍ବାର ଚାପ ପକାଇବାରୁ ତାଙ୍କୁ ହତ୍ୟା କରାଯାଇଛି । ଅଗଷ୍ଟ ୯ରେ ସନ୍ଦୀପ ଓ ପ୍ରଦୀପଙ୍କ ସହ ମିଶି ସଞ୍ଜୟ ଏହି କାଣ୍ଡ  ଘଟାଇଥିଲେ । ସେମାନେ ପ୍ରଥମେ ରଚନାଙ୍କୁ ତଣ୍ଟି ଚିପି ହତ୍ୟା  କରିଥିଲେ । ଏହାପରେ ମୃତଦେହକୁ ୭ ଖଣ୍ଡ କରି ଅଖାରେ  ଭର୍ତ୍ତି କରି କୂଅ ମଧ୍ୟରେ ଫିଙ୍ଗିଦେଇଥିଲେ । ରଚନାଙ୍କ ପରିଚୟ  ଲୁଚାଇବା ପାଇଁ ତାଙ୍କ କଟା ମୁଣ୍ଡ ଓ ପାଦକୁ ସେମାନେ ଲଖେରି  ନଦୀରେ ଫିଙ୍ଗିଦେଇଥିଲେ । ଅଗଷ୍ଟ ୧୩ରେ ପୁଲିସ କୂଅ ଶୁଖାଇ  ମୃତଦେହ ବାହାର କରିଥିଲା । ଏହା ରଚନାଙ୍କ ମୃତଦେହ ବୋଲି  ଗ୍ରାମବାସୀ ଜାଣିପାରି ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । 

ପୁଲିସ ମୁତାବକ, ପୂର୍ବତନ ସରପଞ୍ଚ ସଞ୍ଜୟଙ୍କ ସହ ପ୍ରେମ  ସମ୍ପର୍କ ପୂର୍ବରୁ ରଚନା ଦୁଇଥର ବିବାହ କରିଥିଲେ । ପ୍ରଥମ  ବିବାହରୁ ତାଙ୍କର ଦୁଇ ସନ୍ତାନ ରହିଛନ୍ତି । ଦ୍ୱିତୀୟ ସ୍ୱାମୀଙ୍କଠାରୁ  ଅଲଗା ହେବା ପରେ ସେ ମହେବା ଗ୍ରାମର ଶିବରାଜ ଯାଦବଙ୍କ ସହ  ରହିବାକୁ ଲାଗିଥିଲେ । ୨୦୨୩ରେ ସେ ଶିବରାଜଙ୍କ ବିରୋଧରେ  ବଳାତ୍କାର ଓ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଥିଲେ । ଜୁନ୍‌ରେ  ଶିବରାଜଙ୍କ ମୃତ୍ୟୁ ପରେ ରଚନା ସଞ୍ଜୟଙ୍କ ସହ ପ୍ରେମ ସମ୍ପର୍କ  ସ୍ଥାପନ କରିଥିଲେ । ତେବେ ବିବାହ ପାଇଁ ସଞ୍ଜୟଙ୍କ ଉପରେ  ସେ ଚାପ ପକାଇଥିଲେ । ଏହାକୁ ନେଇ ବାରମ୍ବାର ବିବାଦ  ଉପୁଜିବାରୁ ଶେଷରେ ସଞ୍ଜୟ ତାଙ୍କୁ ରାସ୍ତାରୁ ହଟାଇବାକୁ  ନିଷ୍ପତ୍ତି ନେଇଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।