ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କର ଗୁରୁବାର, (୨୬ଡିସେମ୍ୱର ୨୦୨୪)ରେ ସମୟ ୯.୫୧ ମିନିଟରେ ଦେହାନ୍ତ ହୋଇଛି। ୯୨ ବର୍ଷ ବୟସରେ ମନମୋହନ ସିଂହଙ୍କୁ ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁଁ ଗୁରୁବାର ସନ୍ଧ୍ୟାରେ ଏମ୍ସ ନୂଆଦିଲ୍ଲୀରେ ଭର୍ତ୍ତି କରାଯାଇ ଥିଲା , ଯେଉଁଠି ତାଙ୍କର ଚିକିତ୍ସା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କଂଗ୍ରେସ ପାର୍ଟିର ବରିଷ୍ଠ ନେତାମାନେ ଏହି ଖବର ସ୍ପଷ୍ଟ କରିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ଶିଦ , ହରିଆଣାର ପୂର୍ବତନ ସିଏମ୍‌ ଭୂପେନ୍ଦ୍ର ସିଂହ ହୁଡ୍ଡା ମନମୋହନ ସିଂହଙ୍କ ନିଧନରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମନମୋହନ ସିଂହ ନିଜର ସରଳତା, ସଚ୍ଚୋଟତା ଓ ଉତ୍କୃଷ୍ଟ ଅର୍ଥନୀତି ପାଇଁ ଜଣାଶୁଣା ଥିଲେ। ତାଙ୍କର ନିଧନ ଭାରତୀୟ ରାଜନୀତି ଓ ଅର୍ଥବ୍ୟବସ୍ଥା ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି। 

ଆଜି ଗୁରୁବାର ( ୨୬ ଅକ୍ଟୋବର)ରେ ଏହି ବରିଷ୍ଠ କଂଗ୍ରେସ ନେତାଙ୍କର ସ୍ୱାସ୍ଥ୍ୟ ଖରାପ ଯୋଗୁଁ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇ ଥିଲା । ତାଙ୍କୁ ହସ୍ପିଟାଲରେ ଜରୁରିକାଳୀନ ବିଭାଗକୁ ନିଆଯାଇ ଥିଲା। ସୂଚନା ଅନୁସାରେ ,ସେ ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ସାମ୍ନା କରୁଥିଲେ। ଏହା ପୂର୍ବରୁ ମଧ୍ୟ ତାଙ୍କୁ ଅନେକ ଥର ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା।

ମନମୋହନ ସିଂହଙ୍କୁ ଦେଖିବାକୁ ପ୍ରିୟଙ୍କା ଗାନ୍ଧୀ ହସ୍ପିଟାଲରେ ପହଞ୍ଚିଛନ୍ତି। ଆଦି ସମୟ ପାଖାପାଖି ୮ଟାରେ ସିଆରପିଏଫ୍‌ର ଟିମ୍ ମନମୋହନ ସିଂହଙ୍କୁ ଏମ୍ସ ନେଇ ଆସିଥିଲେ। ଏମର୍ଜେନ୍ସିରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା। ଏମ୍ସରେ ତାଙ୍କର ଝିଅ ମଧ୍ୟ ଉପସ୍ଥିତ ଅଛନ୍ତି। 

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପିଏମ ମୋଦି ଲେଖିଛନ୍ତି , ଭାରତ ନିଜର ସବୁଠୁ ପ୍ରତିଷ୍ଠିତ ନେତାଙ୍କ ମଧ୍ୟରେ ଜଣେ ଡଃ ମନମୋହନ ସିଂହ ଜୀଙ୍କ ଦେହାନ୍ତରେ ଶୋକ ପାଳୁଛି। ସାଧାରଣ ପୃଷ୍ଠଭୂମିରୁ ଉଠି ସେ ଜଣେ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ହୋଇଥିଲେ। ସେ ଅର୍ଥମନ୍ତ୍ରୀ ସହ ବିଭିନ୍ନ ସରକାରୀ ପଦ ଗୁଡ଼ିକରେ କାର୍ଯ୍ୟ କରିଛନ୍ତି ଏବଂ ବର୍ଷ ବର୍ଷ ଧରି ଆମର ଆର୍ଥିକ ନୀତିରେ ନିଜର ଗଭୀର ଛାପ ଛାଡ଼ିଛନ୍ତି। ସଂସଦରେ ତାଙ୍କର ହସ୍ତକ୍ଷେପ ମଧ୍ୟ ବହୁତ ହିଁ ବ୍ୟାବହାରିକ ଥିଲେ। ଆମର ପ୍ରଧାନମନ୍ତ୍ରୀ ଭାବେ ତାଙ୍କୁ ଲୋକଙ୍କ ଜୀବନକୁ ଉତ୍ତମ କରିବା ପାଇଁ ବ୍ୟାପକ ପ୍ରୟାସ କରିଛନ୍ତି। 

ଉଲ୍ଲେଖନୀୟ ଯେ, ଡଃ ମନମୋହନ ସିଂହ ୨୬ ସେପ୍ଟେମ୍ୱର ୧୯୩୨ରେ ଅବିଭାଜିତ ଭାରତର ପଞ୍ଜାବ ପ୍ରାନ୍ତରେ, ଏକ ଗାଁରେ ଜନ୍ମ ହୋଇଥିଲେ। ଏକ ସାଧାରଣ ପରିବାରରୁ ଆସିଥିବା ଡଃ ସିଂହ ନିଜ ଜୀବନରେ ଶିକ୍ଷା , ଅର୍ଥଶାସ୍ତ୍ର ଓ ରାଜନୀତିରେ ଅସାଧାରଣ ଉପଲବ୍ଧି ହାସଲ କରିଥିଲେ। ଡଃ ମନମୋହନ ସିଂହ ୧୯୪୮ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ମେଟ୍ରିକ୍‌ର ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ କେମ୍ରିଜ ବିଶ୍ୱବିଦ୍ୟାଳୟ (ୟୁକେ)ରୁ ୧୯୫୭ରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀ ଅନର୍ସର ଡିଗ୍ରୀ ପ୍ରାପ୍ତ କରିଥିଲେ। ସେ ୧୯୬୨ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ନଫିଲ୍ଡ କଲେଜରୁ ଅର୍ଥଶାସ୍ତ୍ରରେ ଡି.ଫିଲର ଉପାଧି ଅର୍ଜନ କରିଛନ୍ତି। ଶିକ୍ଷା ପ୍ରତି ତାଙ୍କର ଭଲପାଇବା ତାଙ୍କୁ ପଞ୍ଜାବ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନମିକ୍ସରେ ଅଧ୍ୟାପନା ଆଡ଼କୁ ନେଇଯାଇ ଥିଲା।