ଭୁବନେଶ୍ୱର/ନୂଆଦିଲ୍ଲୀ,୧୮/୦୩: ଶେଷ ଯାତ୍ରାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ। ଆଜି ପଞ୍ଚଭୂତରେ ବିଲୀନ ହେବେ ଦିବଙ୍ଗତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ  ବିଜେପି ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀ ସ୍ୱର୍ଗଦ୍ୱାରରେ ହେବ ଦେବେନ୍ଦ୍ରଙ୍କ ଶେଷକୃତ୍ୟ । ଭୁବନେଶ୍ୱରରୁ ଆସି ପୁରୀରେ ପହଞ୍ଚିଲା ପାର୍ଥିବ ଶରୀର। ଅନ୍ତିମ ଯାତ୍ରାରେ ସାମିଲ ହେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। 

ସୋମବାର ୮୪ ବର୍ଷ ବୟସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ  ବିଜେପି ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଦେହାନ୍ତ ହୋଇଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଡାକ୍ତର ଦେବେନ୍ଦ୍ର ପ୍ରଧାନ  ଓଡ଼ିଶାରେ ବିଜେପିର ମୂଳଦୁଆ ପକାଇଥିଲେ ।  ଯେଉଁ ସମୟରେ ରାଜ୍ୟରେ ବିଜେପିର ଅସ୍ତିତ୍ୱ  ନ ଥିଲା, ଡାକ୍ତର ପ୍ରଧାନଙ୍କ ବ୍ୟକ୍ତିଗତ  ପରିଶ୍ରମରେ ବିଜେପି ଶାଖା ବିସ୍ତାର  କରିଥିଲା । ଡାକ୍ତରୀ ବୃତ୍ତିରୁ  କେନ୍ଦ୍ରମନ୍ତ୍ରୀ ଭାବେ ସାରା ଜୀବନ  ଜନସେବାରେ ନିୟୋଜିତ ଥିଲେ ।  ତାଙ୍କ ବିୟୋଗରେ ସବୁ ମହଲରେ  ଶୋକର ଛାୟା ଖେଳି ଯାଇଛି । 

ସୋମବାର ଡାକ୍ତର ପ୍ରଧାନଙ୍କ ପରଲୋକ  ଖବର ପାଇ ତାଙ୍କ ପୁଅ ତଥା  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଶେଷ  ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ  ବ୍ୟକ୍ତିଙ୍କ ଭିଡ଼ ଜମିଥିଲା । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ  ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ତଥା  ବିଜେପି ରାଷ୍ଟ୍ରୀୟ ସଭାପତି ଜେପି  ନଡ୍ଡା ଶେଷ ଦର୍ଶନ କରିବା ସହ  ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ  ଗିରିରାଜ ସିଂ, ମନୋହରଲାଲ ଖଟ୍ଟର,  ଲୋକସଭା ବାଚସ୍ପତି ଓମ ବିର୍ଲା, ଦିଲ୍ଲୀ  ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ବିଜେପିର ବରିଷ୍ଠ ନେତା  ବିଜୟ ପାଲ ସିଂ ତୋମାର, ଜେଡିୟୁ ଜାତୀୟ କାର୍ଯ୍ୟକାରୀ  ସଭାପତି ସଞ୍ଜୟ ଝା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  ବିଜେପି ସମେତ ଅନ୍ୟ ଦଳର ବହୁ ସାଂସଦ ମଧ୍ୟ  ସ୍ୱର୍ଗତ ପ୍ରଧାନଙ୍କ ଶେଷ ଦର୍ଶନ ସହ ଗଭୀର ଶ୍ରଦ୍ଧାଞ୍ଜଳି  ଜଣାଇଥିଲେ । 

ନୂଆଦିଲ୍ଲୀରୁ ଅପରାହ୍ନରେ ପାର୍ଥିବ ଶରୀର  ଭୁବନେଶ୍ୱରରେ ଆସି ପହଞ୍ଚିଥିଲା । ବିମାନବନ୍ଦରରେ  ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ,  ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ ମନ୍ତ୍ରୀ, ସାଂସଦ  ଓ ବିଧାୟକ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ  କରିଥିଲେ । ବିମାନବନ୍ଦରରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ  ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ପାର୍ଥିବ  ଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା ।  ସେଠାରେ ଦଳର ନେତା, କର୍ମୀ, କର୍ମକର୍ତ୍ତାମାନେ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ଡାକ୍ତର ପ୍ରଧାନଙ୍କ ପାର୍ଥିବ ଶରୀର ତାଙ୍କ ପୁଅ ତଥା କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ରଙ୍କ ଚନ୍ଦ୍ରଶେଖରପୁରସ୍ଥିତ ବାସଭବନକୁ  ନିଆଯାଇଥିଲା । ସେଠାରେ ବିରୋଧୀ ଦଳ ନେତା  ନବୀନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ  ଦର୍ଶନ କରି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଦଳ ମତ ନିର୍ବିଶେଷରେ ବହୁ ସଂଖ୍ୟାରେ  ରାଜନେତା, ଶୁଭେଚ୍ଛୁ ଓ ସାଧାରଣ ଲୋକ ଶେଷ ଦର୍ଶନ  କରିଥିଲେ । ମଙ୍ଗଳବାର ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ  ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ କରାଯିବ ।  

୧୯୪୧ ମସିହା ଜୁଲାଇ ୧୬ରେ ତାଳଚେର  ଉପଖଣ୍ଡ କଣିହାଁ ବ୍ଲକ୍‌ ନାଲମ୍‌ ଗାଁରେ ଜନ୍ମ ଗ୍ରହଣ  କରିଥିଲେ ଦେବେନ୍ଦ୍ର ପ୍ରଧାନ । କଣିହାଁ ଓ ତାଳଚେରରୁ ପ୍ରାଥମିକ ଓ ହାଇସ୍କୁଲ  ଶିକ୍ଷା କରିବା ପରେ ଅନୁଗୁଳ କଲେଜରୁ ଉଚ୍ଚଶିକ୍ଷା  ହାସଲ କରିଥିଲେ । ୧୯୬୬ରେ କଟକ ଏସ୍‌ସିବି ମେଡିକାଲ କଲେଜରୁ ଡାକ୍ତରୀ ପାସ୍‌ କରି ତାଳଚେର ଡେରାରେ ମେଡିକାଲ ଅଫିସର  ଭାବେ ଆରମ୍ଭ କରିଥିଲେ ଚାକିରି ଜୀବନ । 

୧୯୭୩ରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର  ନେଇ ମାଗଣା ରୋଗୀସେବା ଆରମ୍ଭ କରିଥିଲେ ।  ୧୯୮୦ରେ ବିଜେପିରୁ ରାଜନୈତିକ ଜୀବନ  ଆରମ୍ଭ କରିଥିଲେ । ସେ ୩ ଥର ବିଜେପି ରାଜ୍ୟ  ସଭାପତି ପଦଭାର ନିଷ୍ଠାର ସହ ତୁଲାଇଥିଲେ ।  ଦ୍ୱାଦଶ ଓ ତ୍ରୟୋଦଶ ଲୋକସଭାକୁ ସାଂସଦ  ଭାବେ ଦେବଗଡ଼ରୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ  ହୋଇଥିଲେ । ପ୍ରଥମ ଥର ସେ ବାଜପେୟୀ  ସରକାରରେ ସଡ଼କ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ  ଏବଂ ଦ୍ୱିତୀୟ ଥର ସଡ଼କ, ପରିବହନ ସହ କୃଷି  ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । 

ଏକ ଛୋଟ ଚାଷୀ ପରିବାରରୁ ଆସି ମଧ୍ୟ  ନିଜ ସଚ୍ଚୋଟତା, ପରିଶ୍ରମ ଓ ନିଷ୍ଠା ବଳରେ  ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ  ଡାକ୍ତର ପ୍ରଧାନ । ସେ ଏକାଧାରରେ ଥିଲେ ଜଣେ  ଡାକ୍ତର, ରାଜନେତା ଓ ସମାଜସେବୀ । ସମାଜ  କଲ୍ୟାଣ ଓ ସାଧାରଣ ଲୋକଙ୍କ ପ୍ରତି ନିଜ  ପ୍ରତିବଦ୍ଧତା ପାଇଁ ସ୍ୱର୍ଗତ ପ୍ରଧାନ ସବୁ ମହଲରେ  ବେଶ ପ୍ରିୟପାତ୍ର ଥିଲେ । ତାଙ୍କ ପରଲୋକରେ  ସାରା ରାଜ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି ।