ଭୁବନେଶ୍ୱର, ୨୬।୧: ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ପଦ୍ମଶ୍ରୀ । ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଏବଂ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ତାଙ୍କ ସହ ଓଡ଼ିଶାର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ୱୈତ ଚରଣ ଗଡ଼ନାୟକ, ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ ଦୁର୍ଗାଚରଣ ରଣବୀର ଏବଂ ବିଶିଷ୍ଟ ସାହିତ୍ୟିକା ଡ. ପ୍ରତିଭା ଶତପଥୀ ମଧ୍ୟ ୨୦୨୫ ପାଇଁ ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଛନ୍ତି । ଶନିବାର ଦେଶର ଏହି ବେସାମରିକ ସମ୍ମାନ ପଦ୍ମ ପୁରସ୍କାର-୨୦୨୫ ଘୋଷିତ ହୋଇଛି । ମୋଟ ୧୩୯ ଜଣଙ୍କୁ ପଦ୍ମ ପୁରସ୍କାର ଲାଗି ମନୋନୀତ କରାଯାଇଛି । ସେଥିମଧ୍ୟରୁ ୭ ଜଣ ପଦ୍ମ ବିଭୂଷଣ, ୧୯ ଜଣ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ ମିଳିବ ପଦ୍ମଶ୍ରୀ ।
ପଦ୍ମଶ୍ରୀ ପୁରସ୍କାର ପାଇବା ଲାଗି ଓଡ଼ିଶାର କଳା, ଭେଷଜ ଏବଂ ସାହିତ୍ୟ ଶିକ୍ଷା କ୍ଷେତ୍ରରେ ୪ ଓଡ଼ିଆ ମନୋନୀତ ହୋଇଛନ୍ତି । ଏହା ରାଜ୍ୟ ପାଇଁ ଖୁସି ଓ ଗର୍ବର ବିଷୟ । ପଦ୍ମଶ୍ରୀ ପାଇବାକୁ ମନୋନୀତ ସମସ୍ତ ପ୍ରତିଭାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଡା. ଅଶୋକ କୁମାର ମହାପାତ୍ର ୧୯୫୨ ଡିସେମ୍ବର ୨୯ରେ ପୁରୀର ଏକ ବ୍ରାହ୍ମଣ ଶାସନରେ ଜନ୍ମିତ ପ୍ରଫେସର ଡା. ମହାପାତ୍ର ଜଣେ ପ୍ରଖ୍ୟାତ ସ୍ନାୟୁ ଶଲ୍ୟ ବିଶେଷଜ୍ଞ । ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ସେ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇବା ସହ ଜାତୀୟ ସ୍ତରରେ ଭୁବନେଶ୍ୱର ଏମ୍ସକୁ ଏକ ସ୍ୱତନ୍ତ୍ର ସ୍ତରରେ ପହଞ୍ଚାଇଥିଲେ । ୬୦୦ରୁ ଅଧିକ ଗବେଷଣା ସନ୍ଦର୍ଭ ଏବଂ ୧୫ରୁ ଅଧିକ ପୁସ୍ତକ ପ୍ରକାଶନ ପଛରେ ଡା. ମହାପାତ୍ରଙ୍କ ଅବଦାନ ଅତୁଳନୀୟ ।
ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରହିଥିବା ପ୍ରଫେସର ମହାପାତ୍ର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ଵର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକା ୨୦୨୪ରେ ସେ ସ୍ଥାନିତ ହୋଇଥିଲେ । ଏଥିସହ ନିଜ ଦକ୍ଷତା ଓ ପ୍ରତିଭା ପାଇଁ ଅନେକ ସରକାରୀ ଓ ବେସରକାରୀ ପୁରସ୍କାର ପାଇ ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ବିଶେଷ କରି ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କରି ସେ ସୁନାମ ଅର୍ଜନ କରିଥିଲେ । ପ୍ରଫେସର ମହାପାତ୍ର ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ଘୋଷଣା ହେବା ପରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ବିଶ୍ଵବିଦ୍ୟାଳୟ ନିମନ୍ତେ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି ।