ଭଣ୍ଡାରିପାଖରୀ,୨୫/୦୭: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଣିନାଥପୁର ବୈତରଣୀ ନଦୀକୂଳ ସ୍ୱର୍ଗଦ୍ୱାର ଗ୍ରାମ୍ୟ ଶ୍ମଶାନରୁ ଗତ ସୋମବାର ରାତିରେ ୪ଟି ମୃତଦେହ ଚୋରି ହୋଇଥିବା ଜଣାପଡିଛି । ଗତ କିଛି ମାସ ମଧ୍ୟରେ ମୃତ୍ୟୁ ଘଟିଥିବା ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା, ସତ୍ୟଭାମା ପରିଡା, ଶତ୍ରୁଘ୍ନ ଦାସ, ପ୍ରମିଳା ଦାସଙ୍କ ମୃତଦେହ ଗାଏବ ହୋଇଯାଇଛି ।
ସୂଚନାଯୋଗ୍ୟ, ଗ୍ରାମବାସୀ ଗୁରୁବାର ସକାଳେ ଗାତଖୋଳା ଯାଇଥିବା ଓ ମୃତଦେହକୁ ଘୋଷାରି ନିଆଯାଇଥିବାର ଚିହ୍ନ ଦେଖିବାକୁ ପାଇଥିଲେ । ଗ୍ରାମର ଅଧିକାଂଶ ଲୋକ ମୃତଦେହକୁ ଦାହ କରିବା ବଦଳରେ ଗଭୀର ଗାତଖୋଳି ପୋତି ଦେଇ ସଂସ୍କାର କରିଥାନ୍ତି । ପିଢି ପରେ ପିଢି ଏଭଳି ପ୍ରଥା ଗ୍ରାମରେ ପ୍ରଚଳିତ ରହିଆସିଛି । ମୃତଦେହ ଗାଏବ ର୍ୟାକେଟର ଲୋଲୁପ ଦୃଷ୍ଟି ଗ୍ରାମ୍ୟ ଶ୍ମଶାନ ଉପରେ ପଡ଼ିଛି । ୨୦୧୭ ମସିହାରୁ ମୃତଦେହ ଚୋରି ହେଉଥିବା ଘଟଣା ପ୍ରଥମେ ସାମ୍ନାକୁ ଆସିଥିଲା । ଆଦର୍ଶ ପ୍ରଧାନଶିକ୍ଷକ ବାସୁଦେବ ଦାସଙ୍କ ମୃତଦେହ ସେହି ବର୍ଷ ଚୋରି ହୋଇଥିଲା । ଏ ନେଇ ମାମଲା ରୁଜୁ ହୋଇଥିଲା । ପୁନଶ୍ଚ ୨୦୨୩ ମସିହା ଓ ଚଳିତ ବର୍ଷ ଅପ୍ରେଲ ମାସରେ ମୃତଦେହ ଚୋରି ହୋଇଥିବା ଜଣାପଡ଼ିଥିଲା । ମୃତଦେହ ଚୋରି ପଛରେ ଆର୍ନ୍ତଜାତୀୟ ର୍ୟାକେଟର ହାତଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ସ୍ଥାନୀୟ କେତେକ ସୂଚନାଦାତାଙ୍କ ସହଯୋଗରେ ମୃତଦେହ ଚୋରି ହୋଇ କୋଲକାତା ବାଟେ ଜଳପଥରେ ବାଂଲାଦେଶ ଚାଲାଣ ହେଉଛି ବୋଲି ଚର୍ଚ୍ଚା ହେଉଛି । ଆର୍ନ୍ତଜାତୀୟ ସ୍ତର, ଦେଶ ଭିତରେ ଓ ରାଜ୍ୟର ଘରୋଇ ମେଡିକାଲ ଗୁଡ଼ିକ ବହୁଳ ଭାବେ ଶିକ୍ଷାଦାନ ପାଇଁ ନରକଙ୍କାଳ ଆବଶ୍ୟକ କରୁଥିବାରୁ ଏହା ମୂଲ୍ୟ ବହୁଗୁଣିତ ହୋଇଛି । ଏହି ଉଦ୍ଦେଶ୍ୟରେ ହୁଏତ ମୃତଦେହ ଚୋରି ହେଉଥିବା ଆଶଙ୍କା କରାଯାଉଛି ।