ନୂଆଦିଲ୍ଲୀ,୧୧/୦୯: ନେପାଳରେ ୨୬ ଲୋକପ୍ରିୟ ସୋସିଆଲ ମିଡିଆ ବ୍ୟାନ୍ ହେବା ଯୋଗୁ ଯୁବପିଢ଼ି ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନ କ୍ରମେ ଉଗ୍ର ରୂପ ନେଇ ହିଂସାରେ ପରିଣତ ହୋଇଥିଲା । ଏବେ ଏହା ଗୃହଯୁଦ୍ଧରେ ପରିଣତ ହୋଇଯାଇଛି । ତେବେ ଏତେବଡ଼ ଘଟଣା ପଛରେ କେବଳ ସୋସିଆଲ ମିଡିଆ ବ୍ୟାନ୍ ଏକମାତ୍ର କାରଣ ନୁହେଁ । ଏଥିଲାଗି ୪ଟି ବଡ଼ କାରଣ ଦାୟୀ ବୋଲି କୁହାଯାଉଛି । ରିପୋର୍ଟ ମୁତାବକ, ନେପାଳରେ ବେକାରୀ ଏକ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି । ୨୦୨୨-୨୩ ତଥ୍ୟ ମୁତାବକ, ଦେଶର ବେକାରୀ ହାର ୧୨.୬% ରହିଥିଲା । କିନ୍ତୁ ୧୫ରୁ ୨୪ ବର୍ଷର ଯୁବପିଢ଼ିଙ୍କ କ୍ଷେତ୍ରରେ ଏହି ହାର ୨୨.୭% ରହିଛି । ଯୁବ ବର୍ଗର ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ସେମାନଙ୍କ ପାଇଁ ଚାକିରି ନ ମିଳିବାରୁ ସମସ୍ୟା ମୁଣ୍ଡ ଟେକିଛି ।
ଦ୍ୱିତୀୟତଃ ଦାରିଦ୍ର୍ୟ ଆଉ ଏକ ବଡ଼ ସମସ୍ୟା ସାଜିଛି । ନେପାଳର ୨୦% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି । ସହରଗୁଡ଼ିକ ତୁଳନାରେ ଗ୍ରାମାଞ୍ଚଳର ସ୍ଥିତି ଅତ୍ୟନ୍ତ ସଙ୍ଗିନ । ଶିକ୍ଷା, ସ୍ୱାସ୍ଥ୍ୟ, ଏବଂ ଜୀବନସ୍ତର କଥା କହିଲେ, ସ୍ଥିତି ବହୁତ ଖରାପ ରହିଛି । ନେପାଳର ୨୩% ଲୋକ କୁପୋଷଣର ଶିକାର । ତୃତୀୟତଃ, ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ଦେଶର ସାକ୍ଷରତା ହାର ୭୬% ରହିଛି । ମାଧ୍ୟମିକ ଶିକ୍ଷା ସ୍ଥିତି ଖରାପ ହୋଇପଡ଼ିଛି । ଶିକ୍ଷାର ଗୁଣବତ୍ତା କମିବାକୁ ନେଇ ଲୋକେ ତାତିଛନ୍ତି । ଚତୁର୍ଥରେ ସରକାର ମନମୁଖି ଭାବେ ଫେସ୍ବୁକ୍, ଏକ୍ସ, ହ୍ୱାଟସଆପ୍, ୟୁଟ୍ୟୁବ୍, ସ୍ନାପ୍ଚାଟ୍, ଇନ୍ଷ୍ଟାଗ୍ରାମ୍ ଭଳି ୨୬ ଲୋକପ୍ରିୟ ସୋସିଆଲ୍ ମିଡିଆ ବ୍ୟାନ୍ କରିବାରୁ କିଛି କ୍ଷୁଦ୍ର ବ୍ୟବସାୟୀଙ୍କ ରୋଜଗାର ବାଧାପ୍ରାପ୍ତ ହୋଇଥିଲା । ବିଦେଶରେ ଚାକିରି କିମ୍ବା ପାଠ ପଢ଼ୁଥିବା ଯୁବକଯୁବତୀ ସୋସିଆଲ ମିଡିଆ ବ୍ୟାନ୍ ଯୋଗୁ ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାରୁ ବଞ୍ଚିତ ହୋଇଥିଲେ । ଏହାଛଡ଼ା ଦେଶରେ ଦୁର୍ନୀତି ସ୍ତର ଉପରମୁହାଁ ହୋଇଛି । ଏହିସବୁ କାରଣ ହିଁ ଗୃହଯୁଦ୍ଧର ସୂତ୍ରପାତ କରିଥିବା କୁହାଯାଉଛି ।