ମାଲକାନଗିରି,୧୦/୧୨ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ନକ୍ସଲ ମୋର୍ଚ୍ଚାରେ ପୁଲିସକୁ ଆଉ ଏକ ସଫଳତା ମିଳିଛି । ମଦନୱାଡ଼ା ଆକ୍ରମଣରେ ସାମିଲ ଥିବା ଜଣେ ମହିଳା ନକ୍ସଲ ସମେତ ୪ ଜଣ ନକ୍ସଲ ଆତ୍ମ ସମର୍ପଣ କରିଛନ୍ତି । ୨୦୦୯ମସିହାରେ ମଦନୱାଡ଼ା ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା ।
ଯେଉଁଥିରେ ରାଜନନ୍ଦଗାଓଁ ଜିଲ୍ଲା ଏସପି ବିନୋଦ ଚୌବେଙ୍କ ସମେତ ୨୯ଜଣ ସୈନିକ ସହିଦ ହୋଇଥିଲେ । ବୁଧବାର ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ ଏହି ବଡ଼ ଘଟଣାରେ ସମ୍ପୃକ୍ତ ମଞ୍ଜୁଳା ଓରଫ ଲକ୍ଷ୍ମୀ ପୋଟାଇ ମଧ୍ୟ ସାମିଲଥିଲେ । ତାଙ୍କ ମୁଣ୍ଡରେ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଏହା ବ୍ୟତୀତ କମ୍ପାନୀ ନମ୍ବର ୧୦ର ସଦସ୍ୟ କାଜଲ ଓରଫ ରଜିତା, ଯାହାଙ୍କ ମୁଣ୍ଡରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ୫ଲକ୍ଷ ଟଙ୍କାର ପୁରସ୍କାର ବହନ କରିଥିବା ବିଲାସ ଓରଫ ଚୈତୁ ଉସେଣ୍ଡି ଏବଂ ୫ଲକ୍ଷ ଟଙ୍କାର ପୁରସ୍କାର ବହନ କରିଥିବା ରାମସାଇ ଓରଫ ଲଖନ ମଧ୍ୟ ଆତ୍ମସମର୍ପଣ କରିଛନ୍ତି ।