ପୁରୀ, ୪।୬ : ଚଳିତବର୍ଷ ରଥ ନିର୍ମାଣ କାର୍ଯ୍ୟ ବେଶ ଆଗୁଆ ଚାଲିଛି। ସ୍ନାନ ପୂର୍ଣ୍ଣିମାର ଯଥେଷ୍ଟ ପୂର୍ବରୁ ଉଠିଛି ତିନି ରଥର ଚାରି ନାହାକ। ରଥର ଦଣ୍ଡା ଉପରେ କଣ୍ଟା ବାଡ଼ିଆ ପରେ ଗରଗରା ଓ ପୋଲ ଗୟଳ ପଡିଥିଲା। ଏଥିସହ ଜଳଯନ୍ତ୍ର ଓ ଗୁଜ ସ୍ଥାପନ ସରିବା ପରେ ମହାରଣାଙ୍କ ନିର୍ଦ୍ଦେଶରେ ଭୋଇ ସେବକ ମାନେ ଆଜି ଅପରାହ୍ନରେ ତିନି ରଥର ଚାରି ନାହାକ ଉଠାଇଛନ୍ତି। ଏଥିସହ ତୃତୀୟ ହରିବୋଲ ପକାଇଛନ୍ତି ଭୋଇ ସେବକ।
ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ତିନି ରଥ ପ୍ରସ୍ତୁତ ହୋଇଯିବ ବୋଲି ଆଶା ରଖିଛନ୍ତି ରଥ ନିର୍ମାଣ କାରୀ। ଦେବସ୍ନାନ ପୂର୍ଣ୍ଣିମା ନ ଆସୁଣୁ ତିନି ରଥର ଅର୍ଦ୍ଧାଧିକ କାମ ସରିବାକୁ ବସିଲାଣି। ଟାର୍ଗେଟ ଥାଏ ଦେବସ୍ନାନ ପୂର୍ଣ୍ଣିମା ଦିନ ତିନି ରଥର ଚାରିନାହାକ ଉଠିବ। କିନ୍ତୁ ଆଜି ଅପରାହ୍ନରେ ଭୋଇ ସେବକମାନେ ମହାରଣାଙ୍କ ନିର୍ଦ୍ଦେଶରେ ତିନି ରଥର ଚାରି ନାହାକ ଉଠାଇବା ସହ ତୃତୀୟ ହରିବୋଲ ପକାଇଛନ୍ତି। ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ଛଅଟି ଚକ ସହିତ ତିନୋଟି ଅଖ ସଂଯୋଗ କରାଯାଇଥିବା ବେଳେ ଶୀତଳଷଷ୍ଠୀ ର ଯଥେଷ୍ଟ ପୂର୍ବରୁ ତିନି ରଥର ୩୬ ଟି ଚକ ସହ ୧୮ଟି ଅଖ ସଂଯୋଗ ହୋଇ ଡେରା ଯାଇଥିଲା। ତେବେ ଚାରିନାହାକ ଉଠିବା ପରେ ଗୁଜ, ଜଳଯନ୍ତ୍ର ସ୍ଥାପନ ଚାଲିଛି। ଏହାପରେ ଛନ୍ଦା ଗୟଳ ପକାଇ ତୀଖ ଗୁଜ ଓ ସାଲଗୁଜ ସଂଯୋଗ କରାଯାଇ ଚଉଦ ନାହାକା ଉଠାଯିବ ବୋଲି ଭୋଇ ସେବକ କହିଛନ୍ତି।
ଆହୁରି ପଢନ୍ତୁ : ରାଜ୍ୟରେ ଫେରିବ ମୂଳ ଓଡ଼ିଆ ନାମ , ୫୦ରୁ ଅଧିକ ସ୍ଥାନର ନାମ ହେବ ପରିବର୍ତ୍ତନ