ଭୁବନେଶ୍ବର, ୧୬/୫ : ଆଗାମୀ ସିଜିନ ପାଇଁ ବହୁ ଚର୍ଚ୍ଚିତ ନାଟ୍ୟାନୁଷ୍ଠାନ ଯାତ୍ରା 'ଗ୍ରାଣ୍ଡ ମହଲ'ର ୪ଗୋଟି ନୂତନ ନାଟକ ଉନ୍ମୋଚନ ସହ 'କଙ୍କାଳ କାନ୍ଦୁଛି' ନାଟକର ଟାଇଟଲ ସଙ୍ଗ ଉନ୍ମୋଚିତ ହୋଇ ଯାଇଛି। ମାଷ୍ଟର କ୍ୟାଣ୍ଟିନ ସ୍ଥିତ ବୁଲନ ଭାଇ ସେବା ଭବନରେ ଏହାର ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଥିଲା। ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଲାଲା ବିରେନ ରାୟ, ଯାତ୍ରା 'ସ୍ୱର୍ଣ୍ଣମହଲ' ର ପ୍ରଯୋଜକ ମହତାବ ବାବୁ,'କୋଣାର୍କ ଗଣନାଟ୍ୟ"ର ପ୍ରଯୋଜକ ଭାରତ ଭୁଷଣ ଦେଓ, 'ଧଉଳି ଗଣନାଟ୍ୟ'ର ପ୍ରଯୋଜକ ବିଶ୍ୱଜିତ୍ ରାଜ୍, 'ଯାତ୍ରା ଯାଜ୍ଞସେନୀ'ର ପ୍ରଯୋଜକ ପ୍ରସନ୍ନଜିତ୍ ନାୟକ, 'ରଙ୍ଗମହଲ'ର ପ୍ରଯୋଜକ ସତ୍ୟ ଜେନା ଓ ଯାତ୍ରା 'ଗ୍ରାଣ୍ଡ ମହଲ'ର ପ୍ରଯୋଜକ ନିରଞ୍ଜନ ସାହୁ, ସହପ୍ରଯୋଜିକା ପୂଜା ରାଣୀ ସାହୁ ଓ ମୁଖ୍ୟ ପରିଚାଳକ ରାଜେନ୍ଦ୍ର ମହାନ୍ତି(ଫକ ବାବୁ) ଅତିଥି ଭାବେ ଯୋଗ ଦେଇ ନାଟକ ଗୁଡିକୁ ଉନ୍ମୋଚିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନସ ସାସମଲ୍, ନିଗମ ମିଶ୍ରଙ୍କ ସମେତ ସମସ୍ତ ଚାରି ଗୋଟି ନାଟକର ନାଟ୍ୟକାର, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ ଓ ବହୁ କଳାକାର ଉପସ୍ଥିତ ଥିଲେ। ଆଗାମୀ ନାଟ୍ୟ ଋତୁରେ ଧମାଲ ମଚେଇବାକୁ ପ୍ରସ୍ତୁତ ଥିବା ଏହି ନାଟକ ଗୁଡିକ ହେଉଛି 'ଆଖି କାନ୍ଦୁଛି ନା ଲୁହ କାନ୍ଦୁଛି', 'ସ୍ୱାମୀ ସିନ୍ଦୁରକୁ ଭରସା ନାହିଁ', 'ମୁଁ କିଛି ନୁହଁ ତୁମ ବିନା' ଓ 'କଙ୍କାଳ କାନ୍ଦୁଛି'। 'ଆଖି କାନ୍ଦୁଛି ନା ଲୁହ କାନ୍ଦୁଛି' ନାଟକକୁ ବିଶିଷ୍ଟ ନାଟ୍ୟକାର ନିହାର ରଞ୍ଜନ ମହାନ୍ତି ରଚନା କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ଦାସ। ସେହିପରି ଜଗନ୍ନାଥ ରାଉତଙ୍କ ଦ୍ୱାରା ଲିଖିତ ନାଟକ 'ସ୍ବାମୀ ସିନ୍ଦୁରକୁ ଭରସା ନାହିଁ 'ର ନିର୍ଦ୍ଦେଶନା ଦେଇଛନ୍ତି ସୁବୋଧ ମିଶ୍ର । ବିକାଶ ଶୁକ୍ଳା ଏହାର ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି।
ଅନ୍ୟତମ ଅନୁସନ୍ଧାନ ମୂଳକ ନାଟକ 'ମୁଁ କିଛି ନୁହଁ ତୁମ ବିନା'ର ନାଟ୍ୟକାର ହେଉଛନ୍ତି ଅଜୟ ସାହା। ବୁଲୁ ବିଶ୍ଵାଳ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମିହିର୍ ମହାନ୍ତି। ଚଳିତ ବର୍ଷର ଅନ୍ୟତମ ବହୁଚର୍ଚ୍ଚିତ ନାଟକ ହେଉଛି 'କଙ୍କାଳ କାନ୍ଦୁଛି', ଯାହାକୁ ରଚନା କରିଛନ୍ତିସଫଳ ନାଟ୍ୟକାର ଡ.ଦୀପକ ଜେନା ଓ ନିର୍ଦ୍ଦେଶନା ଦେଇଛନ୍ତି ସୁରେଶ କୁମାର ନାୟକ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଚଳଚ୍ଚିତ୍ର ଫେମ ବୈଦ୍ୟନାଥ ଦାଶ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ମାନସ ସାସମଲ। କାହାଣୀରେ ଭିନ୍ନତା, ବଳିଷ୍ଠ ନିର୍ଦ୍ଦେଶନା, ହୃଦୟସ୍ପର୍ଶୀ ଅଭିନୟ ଓ ମନଛୁଆଁ ସଙ୍ଗୀତଯୁକ୍ତ ଏହି ଚାରିଗୋଟି ନାଟକ ଦର୍ଶକଙ୍କୁ ବିମୋହିତ କରିବ ବୋଲି 'ଗ୍ରାଣ୍ଡ ମହଲ'ର ସହ ପ୍ରଯୋଜିକା ପୂଜା ରାଣୀ ସାହୁ କହିଛନ୍ତି।