କେନ୍ଦ୍ରାପଡ଼ା/ଓଳାଭର,୨୨/୦୨: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଦେଉଳତରା ଅଞ୍ଚଳର ୧୨ ବର୍ଷ ବୟସର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ଅଭିଯୋଗ ଉଠିଥିଲା । ଛାତ୍ରୀଙ୍କ ପରିବାର ଶିଶୁ ମଙ୍ଗଳ କମିଟି(ସିଡବ୍ଲୁସି) ନିକଟରେ ଅଭିଯୋଗ କରିବା ପରେ ସିଡବ୍ଲୁସି ତରଫରୁ ଏକ ପ୍ରତିନିଧିମଣ୍ଡଳୀ ସମ୍ପୃକ୍ତ ଘରୋଇ ବିଦ୍ୟାଳୟକୁ ଯାଇ ତଦନ୍ତ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇବା ପରେ ପୁଲିସ୍ ଆକ୍ସନ ମୋଡ୍କୁ ଓହ୍ଲାଇଛି । ସିଡବ୍ଲୁସିରେ ଅଭିଯୋଗ ଆଧାରରେ ପୁଲିସ ସମ୍ପୃକ୍ତ ସ୍କୁଲର ୩ ଜଣ ଶିକ୍ଷକ, ଜଣେ ଶିକ୍ଷୟିତ୍ରୀ ଓ ପିଅନଙ୍କୁ ଉଠାଇ ଆଣିଛି । ବିଦ୍ୟାଳୟର ୩ ଜଣ ଶିକ୍ଷକ ଓ ପିଅନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ରହିଥିବା ବେଳେ ଶିକ୍ଷୟିତ୍ରୀ ସେମାନଙ୍କୁ ସହଯୋଗ କରିଥିଲେ । ପୀଡ଼ିତା ଓ ଗିରଫ ୫ ଅଭିଯୁକ୍ତମାନଙ୍କ ଡାକ୍ତରୀ ମାଇନା କରାଯାଇଛି । ବିଏନ୍ଏସ୍ଏସ୍ର ଧାରା ୧୮୦ ଆଧାରରେ ପୁଲିସ ପୀଡ଼ିତାଙ୍କର ବୟାନ ରେକର୍ଡ କରିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛି ଓ ରବିବାର ସାଇଣ୍ଟିଫିକ୍ ଟିମ୍ ପୁନର୍ବାର ଆସିବ ବୋଲି ସୂଚନା ମିଳିଛି।
ଘଟଣା ସମ୍ପର୍କରେ ଶନିବାର ପୀଡ଼ିତାଙ୍କ ମା’ ଗଣମାଧ୍ୟମ ଆଗରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଝିଅଙ୍କୁ ଗତ ୪ବର୍ଷ ଧରି ଯୌନ ନିର୍ଯାତନା ଦିଆଯାଉଥିଲା । ବିଦ୍ୟାଳୟର ଶିକ୍ଷକ ଚନ୍ଦନ କୁମାର ପୃଷ୍ଟି ପ୍ରଥମେ ତାକୁ ଧମକାଇଥିଲା । କହିଥିଲା କି ଚାଲ୍ ତୋତେ ମୀନା ମିସ୍ ଡକାଇ ପଠାଇଛନ୍ତି । ଚନ୍ଦନ ସାର୍ ତାକୁ ଡାକି ସାଇନ୍ସ ଲ୍ୟାବ୍କୁ ନେଇଥିଲେ । ଶାରୀରିକ ସମ୍ପର୍କ ରଖିବା ସମୟରେ ସିସି କ୍ୟାମେରାର ତାର କାଢ଼ି ଦେଉଥିଲେ । ଯେପରିକି ଭବିଷ୍ୟତରେ କୌଣସି ପ୍ରମାଣ ନରହିବ ଓ ସେମାନେ ଅସୁବିଧାରେ ପଡ଼ିବେ ନାହିଁ । ଚନ୍ଦନ ତାଙ୍କ ଝିଅ ସହ ବାରମ୍ବାର ଏଭଳି କାମ କରିଛି । ପରେ ରଶ୍ମି ନାମକ ପିଅନ ମଧ୍ୟ ଝିଅ ସହ ଶାରୀରିକ ସମ୍ପର୍କ ରଖିଥିଲା । ବିଶ୍ୱରଞ୍ଜନ ସାହୁ ମଧ୍ୟ ତା’ ସହ ସମ୍ପର୍କ ରଖିଥିଲା । ଶିଡ଼ି ଉପରେ ଥିବା ସାଇନ୍ସ ଲ୍ୟାବ୍ରେ ଏକ ଘୃଣ୍ୟ କାର୍ଯ୍ୟ ଚାଲେ । ଝିଅକୁ ସେମାନେ ବାରମ୍ବାର ଧମକାଇ କୁହନ୍ତି ଏ ନେଇ କାହାକୁ କହିଲେ ତୋତେ ଓ ତୋ ଛୋଟ ଭାଇକୁ ମାରିଦେବୁ ।
ଆହୁରି ପଢ଼ନ୍ତୁ :- ସରକାରୀ କ୍ବାର୍ଟର୍ସରେ ଯୁବତୀଙ୍କୁ ଦୁଷ୍କର୍ମ: ଆଇଆର୍ଏସ୍ ଅଫିସରଙ୍କ ନାଁରେ ମାମଲା, ଯୁବତୀଙ୍କ ଡାକ୍ତରୀ ମାଇନା
ଗତ ଜାନୁଆରୀ ୧୪ରେ ସେ ଘରେ କାନ୍ଦୁଥିଲା । କାନ୍ଦିବାର କାରଣ ପଚାରିବାରୁ ସେ ସବୁ ସତ କଥା କହିଥିଲା । ଝିଅଠାରୁ ଏ ବିଷୟରେ ଶୁଣିବା ପରେ ସ୍କୁଲର ଜଣେ ଶିକ୍ଷକଙ୍କୁ ସେ ପଚାରିଥିଲେ । ସମ୍ପୃକ୍ତ ଶିକ୍ଷକ ତାଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଜଣାଇବାକୁ କହିଥିଲେ । ହେଲେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଚାଲିଥିବା ହେତୁ ବ୍ୟସ୍ତତା କାରଣରୁ ସେ ଅଧ୍ୟକ୍ଷଙ୍କୁ ଜଣାଇ ପାରିନଥିଲେ । ପରେ ସେ ଝିଅର ସ୍କୁଲ ଯିବା ବନ୍ଦ କରିଦେଇଥିଲେ । ଅଧ୍ୟକ୍ଷ ପରେ ଏ ବିଷୟରେ ଶୁଣିବା ପରେ ତାଙ୍କୁ ସ୍କୁଲକୁ ଡକାଇ ପଠାଇଥିଲେ । ପରେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କୁ ଡକାଇ କଥା ହେଲେ । ତାଙ୍କୁ ଅଧ୍ୟକ୍ଷ ନ୍ୟାୟ ଦେବା ବଦଳରେ ପାଲଟା ତାଙ୍କ ଉପରେ ଦୋଷ ଲଦିଥିଲେ । ଜଣେ ମା’ ହୋଇ ଭୁଲ କଥା କାହିଁକି କହୁଛ? ସ୍କୁଲକୁ ବଦନାମ କ’ଣ ପାଇଁ କରୁଛ ବୋଲି କହି ତାଙ୍କୁ ଗାଳିଗୁଲଜ କରିଥିଲେ । ତାଙ୍କ ଝିଅକୁ ମଧ୍ୟ ଅଧ୍ୟକ୍ଷ ଧମକାଇଥିଲେ । ସାର୍ଙ୍କ କାହିଁକି ବଦନାମ କରୁଛ ବୋଲି କହି ଗାଳି ଦେଇଥିଲେ । ଅଧ୍ୟକ୍ଷ ୧୫ ଦିନ ମଧ୍ୟରେ ପଦକ୍ଷେପ ନେବେ ବୋଲି କହି କିଛି କରିନଥିଲେ । ପରେ ସେ ତାଙ୍କ ସ୍ୱାମୀଙ୍କୁ ଜଣାଇବା ପରେ ସେମାନେ ଶିଶୁ ମଙ୍ଗଳ କମିଟି ନିକଟରେ ଚଳିତ ମାସ ୧୭ ତାରିଖରେ ଅଭିଯୋଗ କରିଥିଲେ । ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୁଲିସ ଶିକ୍ଷକ ଚନ୍ଦନ କୁମାର ପୃଷ୍ଟି(୩୭), ବିଶ୍ୱରଞ୍ଜନ ସାହୁ(୩୧), ରଶ୍ମିକାନ୍ତ ବିଶ୍ୱାଳ(୪୭), ଶିକ୍ଷୟିତ୍ରୀ ମିନତୀ ବାଇ(୩୪), ପିଅନ ରଶ୍ମିରଞ୍ଜନ ରଣାଙ୍କୁ ଗିରଫ କରିଛି ।
ଆହୁରି ପଢ଼ନ୍ତୁ :- କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ ଶିକ୍ଷକଙ୍କ ସଂପୃକ୍ତି ଅଭିଯୋଗ, ପୀଡ଼ିତାଙ୍କ ବୟାନ ରେକର୍ଡ
କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି କି ଅଭିଯୋଗ ପାଇବା ପରେ ମୁଁ ଆଇଆଇସିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲି । ଅନ୍ୟପକ୍ଷେ ଏଏସ୍ପି ସୁଧାକର ସାହୁଙ୍କ ନେତୃତ୍ୱାଧୀନ କ୍ରାଇମ ଏଗେନ୍ଷ୍ଟ ୱିମେନ୍ ଟିମ୍ ମଧ୍ୟ ଏହାର ତଦନ୍ତ କରିବେ । ପୁଙ୍ଖାନୁପୁଙ୍ଖ ଖୁବ୍ଶୀଘ୍ର ତଦନ୍ତ ହେବ । ପୀଡ଼ିତାଙ୍କୁ ନ୍ୟାୟ ମିଳିବ । ସେ ନିଜେ ମଧ୍ୟ ଘଟଣାସ୍ଥଳକୁ ଯିବେ ବୋଲି କହିଛନ୍ତି । ରାଜକନିକା ଥାନା ଆଇଆଇସି ସଞ୍ଜୟ କୁମାର ମଲିକ କହିଛନ୍ତି ଯେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ବିଦ୍ୟାଳୟ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରିଛୁ । ବିଦ୍ୟାଳୟ ଅଧ୍ୟକ୍ଷ ଓ ଅନ୍ୟମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ । ତଦନ୍ତର ସମସ୍ତ ଦିଗ ପ୍ରତି ଆମେ ଧ୍ୟାନ ଦେଇଛୁ ।
ସ୍କୁଲର ଅନ୍ୟ ଛାତ୍ରୀ ବି ହୋଇଛନ୍ତି ଯୌନ ଉତ୍ପୀଡ଼ନର ଶିକାର
କେବଳ ଜଣେ ପୀଡ଼ିତା ନୁହନ୍ତି ସ୍କୁଲର ଅନ୍ୟ ଛାତ୍ରୀମାନେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି । ବିଦ୍ୟାଳୟରେ ରୀତିମତ ଏହି କାମ ଚାଲିଛି ବୋଲି ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ବାପା । ସେ ଅଭିଯୋଗ କରିଛନ୍ତି ଯେ ଲୋକଲଜ୍ଜା ଭୟରେ ଅନ୍ୟମାନେ ସାମ୍ନାକୁ ଆସି ପାରୁନାହାନ୍ତି । ଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ସୁରକ୍ଷା ଦିଆଗଲେ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ । ପୀଡ଼ିତା ଛାତ୍ରୀଙ୍କ ବାପା ଏଭଳି ସ୍ପର୍ଶକାତର ଅଭିଯୋଗ ଆଣିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି । ଘଟଣା ସମ୍ପର୍କରେ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳୁଛି ।