ମାଲକାନଗିରି,୧୭/୧୨ : ସୋମବାର ଥିଲା ମାଲ୍ୟବନ୍ତ ମହୋଉତ୍ସବର ଚତୁର୍ଥ ସନ୍ଧ୍ୟା । ଶ୍ରୀତମ ସାମନ୍ତରାୟ ଦେଶିଆ ନାଇଟରେ କଳାକାରଙ୍କ ଗୀତ ନାଚର ଆସର ଜମିଥିଲା । ଶ୍ରୀତମ ସାମନ୍ତରାୟଙ୍କ ଦେଶିଆ ଗୀତରେ ପ୍ରବଳ ଶୀତରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଝୁମି ଥିଲେ ଓ ନାଚିଥିଲେ ଦର୍ଶକ ଓ ପ୍ରଶାସନିକ ଅଧିକାରୀ । ମାଲ୍ୟବନ୍ତ ପଡିଆରେ ହଜାର ହଜାର ଦର୍ଶକ ମୋବାଇଲ ଫ୍ଲାସ ଲାଇଟ ଲଗାଇ ସ୍ୱାଗତ ଜଣାଇବା ସହ ନାଚ ଗୀତ କରିଥିଲେ।

ପଲ୍ଲୀଶ୍ରୀ ମେଳାରେ ଲୋକେ ଘରୋଇ ସାମଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରିଥିଲେ । ଏହା ବ୍ୟତିତ ସ୍ଥାନୀୟ କଳାକାର ଓ ତଣ୍ଡିକି, ବୁଟିଗୁଡା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଚିତାକର୍ଷକ ନୃତ୍ୟ ଦେଖି ଦର୍ଶକ ଖୁସି ହୋଇଥିଲେ। ଆଜି ୫ମ ସନ୍ଧ୍ୟାରେ ସ୍ଥାନୀୟ କଳାକାରମାନଙ୍କ ସହିତ ସମ୍ବଲପୁରରେ ଉମାକାନ୍ତ ବାରିକ, ଜୟଶ୍ରୀ ଷଡ଼ଙ୍ଗୀ, ନନ୍ଦିନୀ କୁମ୍ଭାର, ସନ୍ଧ୍ୟା ପାଟଯୋଶୀଙ୍କ ସମ୍ବଲପୁରୀ ନାଇଟ ଦର୍ଶକଙ୍କ ମନ ମୋହିଛି । ଏଥିସହ ସ୍ଥାନୀୟ ଆଦିବାସୀ ଅଞ୍ଚଳର ମଧ୍ୟ ବହୁ ଲୁକ୍କାୟିତ ପ୍ରତିଭା ମଞ୍ଚରେ ଦେଖିବାକୁ ମିଳିଥିଲା ।
ଏହି ମହୋତ୍ସବ ପାଇଁ ପ୍ରତିଦିନ ସନ୍ଧ୍ୟାରେ ମାଲକାନଗିରି ସହର ଲୋକାରଣ୍ୟରେ ଭରପୁର ହୋଇଯାଉଛି । ଜିଲ୍ଲାରେ ବିଭିନ୍ନ ଅଞ୍ଚଳ ସହ ପଡ଼ୋଶୀ ସୁକୁମା ଜିଲ୍ଲା ଦର୍ଶକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଥିଲା । ପଲ୍ଲିଶ୍ରୀ ମେଳାରେ ମଧ୍ୟ ଭଲ ବେପାର ହୋଇଥିବା ଜଣାପଡ଼ିଛି ।