ବୌଦ୍ଧ, ୨୬/୧ : ମହାନଦୀର ସୁରକ୍ଷା ଉଦ୍ଦେଶ୍ୟରେ ମହାନଦୀ ଆଳତୀ ଘାଟ ନିର୍ମାଣ କରାଯାଇଛି । ମହାନଦୀ ମହୋତ୍ସବ ସମିତି ପକ୍ଷରୁ ଚତୁର୍ଥ ମହାନଦୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ରହ୍ମ ମୁହୂର୍ତ୍ତରେ ସ୍ବତନ୍ତ୍ର ଯୋଗ ଓ ଧ୍ୟାନ ଶିବିରରେ ପତଞ୍ଜଳି ଯୋଗ ପୀଠ ହରିଦ୍ଵାରରୁ ରାଜ୍ୟ ସହ ପ୍ରଭାରୀ ସୁନୀଲ ଶର୍ମାଜୀ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଲକ୍ଷ୍ମୀ ବାସୁଦେବ ବୈଦିକ ପଣ୍ଡିତ ସଂଗଠନ ପକ୍ଷରୁ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଥିଲା । ବିଶ୍ଵ ଶାନ୍ତି ନିମନ୍ତେ ବୈଦିକ ସାମୁହିକ ଯଜ୍ଞ ଅନୁଷ୍ଠିତ । ଅପରାହ୍ନରେ ଭଜନ କୀର୍ତ୍ତନ ପରିବେଷଣ କରାଯାଇଥିବାବେଳେ ସନ୍ଧ୍ୟାରେ ଅନୁଷ୍ଠିତ ମା ମହାନଦୀଙ୍କ ଦିବ୍ୟ ଆଳତିରେ ପୂଜକ ମିନୁପ୍ରସାଦ ମିଶ୍ର, ଦେବାଶିଷ ପୁରୋହିତ, ସୌମ୍ୟରଞ୍ଜନ ପୁରୋହିତ ଯୋଗ ଦେଇ ମହା ଆଳତୀ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇ ଅର୍ଦ୍ଧ ନିର୍ମିତ ଆଳତି ଘାଟର ସମ୍ପୂର୍ଣ୍ଣ ବିକାଶ ପାଇଁ ଆମ ସରକାର ସଂକଳ୍ପବଦ୍ଧ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମହାନଦୀ ଆଳତି ଘାଟର ପରିକଳ୍ପନା ପୂର୍ଣ୍ଣ କରାଯାଇ ପାରିଲେ ରାଷ୍ଟ୍ର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ହୋଇପାରିବ ବୋଲି କହିଥିଲେ । ସମିତିର ଆବାହକ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବ୍ରହ୍ମଚାରୀ ଆଦିତ୍ୟ ଦାସଙ୍କ ପୌରହିତ୍ୟରେ ସନ୍ଥ ସମ୍ମିଳନୀ ଓ ରାଷ୍ଟ୍ର ସୁରକ୍ଷା ବିଷୟରେ ଆଲୋଚନା ହୋଇଥିଲା । ଆଳତି ଘାଟ ଓ ଯୋଗର ବିକାଶ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ଶ୍ରେଷ୍ଠ ସେବା ଶିରୋମଣି ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ନଟବର ଅଗ୍ରୱାଲା, ଦିଲ୍ଲୀପ କୁମାର ଚୌଧୁରୀ, ସୁର୍ଯ୍ୟ ନାରାୟଣ ପଣ୍ଡା, ବିକାଶ ଅଗ୍ରୱାଲା, ଦାମୋଦର ମିଶ୍ର, ଅରୁଣ ପଟ୍ଟନାୟକ ପରିଚାଳନା କରିଥିଲେ ।