ନୂଆଦିଲ୍ଲୀ,୧୦।୯: ନେପାଳ ପରେ, ଏବେ ଫ୍ରାନ୍ସରେ ସରକାର ବିରୋଧି ଆନ୍ଦୋଳନ। ଉତ୍ୟକ୍ତ ଜନତା ଏବେ ରାସ୍ତାକୁ ଓହ୍ଲାଇ ଇମାନୁଏଲ ମାକ୍ରନ ସରକାରଙ୍କ ନୀତି ବିରୋଧରେ ପ୍ରତିବାଦ କରୁଛନ୍ତି। ରାଜଧାନୀ ପ୍ୟାରିସରେ ଅନେକ ବସ୍ ପୋଡ଼ାଜଳା ସହ ପୋଲିସ ଉପରେ ହୋଇଛି ପଥର ମାଡ଼। ମାକ୍ରନଙ୍କ ବିରୋଧରେ ‘ବ୍ଲକ ଏଭ୍ରିଥିଙ୍ଗ୍’ ନାମକ ଏକ ନୂତନ ଆନ୍ଦୋଳନ ଆରମ୍ଭ ହୋଇଛି। ବୁଧବାର ସକାଳେ ସାରା ଦେଶରେ ରାଜପଥ ଅବରୋଧ କରିଛନ୍ତି ଉତ୍ୟକ୍ତ ଜନତା। ସବୁଠି ପୋଡ଼ାଜଳା, ସ୍ଲୋଗାନ ଏବଂ ବିଶୃଙ୍ଖଳା ଦେଖିବାକୁ ମିଳିଛି।
ରାଷ୍ଟ୍ରପତି ମାକ୍ରନଙ୍କ ବିରୋଧରେ ପ୍ରତିବାଦ କରିବାକୁ ଏକାଠି ହୋଇଛନ୍ତି ଫ୍ରାନ୍ସ ଜନତା। ସେଠାର ଲୋକଙ୍କ କହିବା ଅନୁସାରେ, ମାକ୍ରନ ସରକାର ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ କିଛି ପଦକ୍ଷେପ ନେଉନାହାନ୍ତି। ସେମାନଙ୍କର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି। ଏହି ବିକ୍ଷୋଭ ପ୍ରଦର୍ଶନର ଆରମ୍ଭ ସୋସିଆଲ ମିଡିଆରେ 'Block Everything ଡାକରା ସହିତ ଆରମ୍ଭ ହୋଇଥିଲା । ଏବେ ଲୋକମାନେ ସଂଗଠିତ ଭାବରେ ପ୍ରତିବାଦ କରିବାକୁ ବାହାରିଛନ୍ତି। ପ୍ରତିବାଦକାରୀଙ୍କ ସିଧାସଳଖ ବାର୍ତ୍ତା ହେଉଛି ଯେ ଯଦି ବ୍ୟବସ୍ଥା କାମ ନ କରେ, ତେବେ ଦେଶର ସିଷ୍ଟମ ବନ୍ଦ କରିଦିଅ। ଏହି ଚିନ୍ତାଧାରା ସହିତ, ସେମାନେ ରାଜପଥ, ସହର ଏବଂ ପରିବହନ ବ୍ୟବସ୍ଥା ବନ୍ଦ କରିବାକୁ ଘୋଷଣା କରିଥିଲେ। ଏହି କାରଣରୁ ଏହାକୁ 'Block Everything ବୋଲି କୁହାଯାଉଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ, ସରକାର ୮୦ ହଜାର ସୁରକ୍ଷା ବାହିନୀଙ୍କୁ ନିୟୋଜିତ କରିଛନ୍ତି, ଯେଉଁଥିରୁ ୬୦୦୦ କେବଳ ପ୍ୟାରିସରେ ମୁତୟନ ଅଛନ୍ତି। ଫରାସୀ ଗଣମାଧ୍ୟମ ଆକଳନ କରୁଛି ଯେ ପ୍ରାୟ ୧ ଲକ୍ଷ ଲୋକ ଏହି ପ୍ରଦର୍ଶନରେ ଯୋଗ ଦେଇପାରିବେ।
ହଜାର ହଜାର ପୋଲିସ କର୍ମୀ ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ବର୍ତ୍ତମାନ ସେମାନଙ୍କୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ସମଗ୍ର ଫ୍ରାନ୍ସରେ ବିକ୍ଷୋଭକାରୀଙ୍କ ପ୍ରଦର୍ଶନରେ ଯାତାୟାତ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ପ୍ରଦର୍ଶନକାରୀମାନେ ପ୍ରତ୍ୟେକ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ସାରା ଦେଶରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ଯାହା ଦ୍ଵାରା ସମସ୍ତ ଅବରୋଧ ଯଥାଶୀଘ୍ର ହଟାଇହେବ। ପୋଲିସ ବିପୁଳ ସଂଖ୍ୟାରେ ବିକ୍ଷୋଭକାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରିସାରିଛି।