ନୂଆଦିଲ୍ଲୀ, ୦୨/୦୭: ଆଗାମୀ  ଆଇପିଏଲ୍‌-୨୦୨୬ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍‌ସ ଭାରତୀୟ ୱିକେଟ୍‌ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ  କରିବାକୁ ଚାହୁଁଥିବା ନେଇ ସ୍ପଷ୍ଟ କରିଛି ।  ସାମସନ ଗତ ସଂସ୍କରଣରେ ରାଜସ୍ଥାନ  ରୟାଲ୍ସ ଦଳର ନେତୃତ୍ୱ ନେଇଥିଲେ । ଦଳ ମେଗା ନିଲାମ୍‌ ପୂର୍ବରୁ ତାଙ୍କୁ ୧୮କୋଟି  ଟଙ୍କାରେ ରଖିଥିଲା । ଆଗାମୀ ଆଇପିଏଲ୍‌ ଟ୍ରେଡ୍‌ ସମୟରେ ସୁପରକିଙ୍ଗ୍‌ସ ପକ୍ଷରୁ  ରାଜସ୍ଥାନ ରୟାଲ୍ସକୁ ଏନେଇ ପ୍ରସ୍ତାବ  ଦିଆଯିବ । 

ସୁପରକିଙ୍ଗ୍‌ସର ଜଣେ ବରିଷ୍ଠ  ଅଧିକାରୀଙ୍କ କହିବା ମୁତାବକ, ଆମେ ସାମସନଙ୍କୁ ଦଳରେ ସାମିଲ କରିବାକୁ  ଯୋଜନା କରୁଛୁ । ସେ ପ୍ରସିଦ୍ଧ ୱିକେଟ୍‌ କିପର ବ୍ୟାଟର ମହେନ୍ଦ୍ର ସିଂହ ଧୋନିଙ୍କ  ସ୍ଥାନ ନେଇପାରିବେ । ସାମସନ ଜଣେ ଭାରତୀୟ ୱିକେଟ୍‌ କିପର ଓ ବ୍ୟାଟର ।  ତାଙ୍କ ପାଇଁ ଆମେ ରାଜସ୍ଥାନ ରୟାଲ୍ସଙ୍କୁ  ଜଣେ ଖେଳାଳିଙ୍କୁ ଟ୍ରେଡ୍‌ କରିବୁ । ଯଦି  ରାଜସ୍ଥାନ ସହମତି ପ୍ରକାଶ କରେ,  ତା’ହେଲେ ଆମେ ସାମସନଙ୍କୁ ଦଳରେ  ସାମିଲ କରିପାରିବୁ । ଆମ ଯୋଜନା  ସମ୍ପର୍କରେ ରାଜସ୍ଥାନ ରୟାଲ୍ସକୁ ଏପର୍ଯ୍ୟନ୍ତ  କୌଣସି ସୂଚନା ଦିଆଯାଇନାହିଁ ।’ ସୁପରକିଙ୍ଗ୍‌ସର ଅଧିନାୟକ ଋତୁରାଜ  ଗାଏକୱାଡ୍‌ଙ୍କୁ ଦଳ ଟ୍ରେଡ୍‌ କରିପାରିବ । ମାତ୍ର ତାଙ୍କୁ ଦଳର ଦୀର୍ଘ ସ୍ଥାୟୀ ଅଧିନାୟକ  ଭାବେ ଦେଖାଯାଉଥିବା ମୁଖ୍ୟ କୋଚ୍‌  ଷ୍ଟିଫେନ୍‌ ଫ୍ଲେମିଙ୍ଗ୍‌ ପ୍ରକାଶ କରିଥିଲେ ।  ତେଣୁ ସାମସନଙ୍କୁ ଆଣିବା ପାଇଁ  ସୁପରକିଙ୍ଗ୍‌ସ କେଉଁ ଖେଳାଳିଙ୍କୁ ଟ୍ରେଡ୍‌  କରିବା ତାହା ଦେଖିବା ବାକି ରହିଲା ।