କେନ୍ଦ୍ରାପଡ଼ା,୨୧/୦୫:  ପ୍ରତିବର୍ଷ  ଅନ୍ତର୍ଜାତୀୟ ଚା’ ଦିବସ ମେ’ ୨୧ ତାରିଖରେ ପାଳନ କରାଯ।।ଏ । ଏହି ଦିନଟି  ଚା’ର ସାଂସ୍କୃତିକ ଐତିହ୍ୟ, ସ୍ୱାସ୍ଥ୍ୟ ଉପକାରିତା ଏବଂ ଏହାର ଆର୍ଥିକ ଗୁରୁତ୍ୱକୁ ସ୍ୱୀକୃତି ଦେବା ପାଇଁ ଉଦ୍ଦିଷ୍ଟ । ଚା’ ଏକ ଅନୁଭବ । ଓଡ଼ିଶାରେ ଚା’ କେବଳ ଏକ ପାନୀୟ ନୁହେଁ,  ଏହା ଏକ ଭାବନା । ସକାଳର ଖବରକାଗଜ ହେଉ ବା ସନ୍ଧ୍ୟାର ଖଟି, ଚା’ ବିନା ଅଧୁରା । ସେହିପରି କେନ୍ଦ୍ରାପଡାରେ ଏଭଳି ଏକ ଚା’ ଦୋକାନ ଅଛି ଯେଉଁଠି ରାତି ପାହିବା ପୂର୍ବରୁ ଷ୍ଟଲ ପାଖରେ ଜମିଯାଏ ଭିଡ଼ । ଚା’ଚୁଲାରେ ବସି ଫୁଟିବାଠାରୁ ଆରମ୍ଭ କରି ଗ୍ଲାସରେ ଚା’ଢଳା ହେବା ପର୍ଯ୍ୟନ୍ତ ଚାତକ ପରି ଚାହିଁବସିଥା’ନ୍ତି । ପାଟିରେ ଚା’ଢୋକେ ନବାଜିଲେ ସେ ଦିନ ଭଲରେ କଟେନା । ଚା’ପିଇବାକୁ ପହଞ୍ଚି ଯାଇଥାନ୍ତି ରାଜ୍ୟର ସର୍ବପୁରାତନ ପୌରପାଳିକା କେନ୍ଦ୍ରାପଡ଼ାର ସହରର ହାର୍ଟ କୁହାଯାଉଥିବା ପୁରୁଣା ବସଷ୍ଟାଣ୍ଡଣ୍ଡସ୍ଥିତ ଧନୀ ଚା’ଦୋକାନ ପାଖରେ । ଧନୀଙ୍କ ଜେଜେ ମଧୁସୂଦନ ରାଉତ ଏଠାରେ ଚା’ ବ୍ୟବସାୟ ଆରମ୍ଭ କରିଥିଲେ । 

ମଧୁସୂଦନ ନିଜେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ହେଲେ ସ୍ୱା଼ଧୀନତା ସଂଗ୍ରାମୀ ଭତ୍ତାକୁ ସେ ପ୍ରତ୍ୟାଖାନ କରିଥିଲେ। ଦେଶକୁ ସ୍ୱାଧୀନତା ଦେବା ପାଇଁ ସଂଗ୍ରାମ ବଦଳରେ ଭତ୍ତା କ’ଣ ପାଇଁ ସେ ନେବେ ବୋଲି କହିଥିଲେ ।   ଏଇ ଚା’ ଦୋକାନରେ ହିଁ ସ୍ୱାଧନତା ଆନ୍ଦୋଳନ ପାଇଁ ରୂପରେଖ ପ୍ରସ୍ତୁତ କରୁଥିଲେ । ଇଂରେଜଙ୍କୁ ବାଧା ଦେଉଥିଲେ। ଭାରି ସ୍ୱାଭିମାନୀ ଥିଲେ ମଧୁସୂଦନ । ନିଜ ଚା’ ଦୋକାନରେ ଯାହା ଆୟ ହେଉଥିଲା ସେଥିରେ ତାଙ୍କ ଘର ଚଳୁଥିଲା । ତାଙ୍କ ପରେ ପୁଅ ଜଗବନ୍ଧୁ ରାଉତ ଓ ପରେ ନାତି ଧନୀ ଏଠାରେ ଚା ବ୍ୟବସାୟ କରିଆସୁଛନ୍ତି। ଶହେରୁ ଅଧିକ ବର୍ଷର ପୁରୁଣା ଚା ଦୋକାନ। ଦିନକୁ ପ୍ରାୟ ୨ହଜାର ଗ୍ଲାସ୍ ରୁ ଅଧିକ ଚା’ ଏଠାରେ ବିକ୍ରି ହେଉଛି । କ୍ଷୀର ଚା’ସହ ସ୍ୱତନ୍ତ୍ର କାଢ଼ା ବି ଏଠାରେ ମିଳେ । ପୁରୁଣା ବସଷ୍ଟାଣ୍ଡ ସହରର ଅନ୍ୟତମ ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନରେ । 

ଆହୁରି ପଢନ୍ତୁ - Court Case: ମାତ୍ର ୫୨ ଟଙ୍କାର ତମାଖୁ ଚୋରି ପାଇଁ ୨୦ ବର୍ଷର ଲଢ଼େଇ, ନ୍ୟାୟ ପାଇଲା ବେଳକୁ ନାହାନ୍ତି ଅଭିଯୋଗକାରୀ ଓ ଅଭିଯୁକ୍ତ

ପାଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ପୈ।ରପାଳିକା କାର୍ଯ୍ୟାଳୟ, ଏସଡିପିଓଙ୍କ କାର୍ଯ୍ୟାଳୟ, ସାଇବର ଥାନା, ଟାଉନ୍ ଫାଣ୍ଡି, ପୁଲିସ କଲୋନୀ, ଡାକଘର, ଟ୍ରେଜେରି ଅଫିସ, ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟ, ଐତିହାସିକ ଡାଇମଣ୍ଡ ଜୁବୁଲୁ ପବ୍ଲିକ୍ ଲାଇବ୍ରେରି ଓ ପାଖରେ ବଡ଼ ବଜାର ରହିଛି । ଏହା ଜିଲ୍ଲା ମୁଖ୍ୟାଳୟ ହୋଇଥିବାରୁ ରାଜନୈତିକ ପେଣ୍ଠସ୍ଥଳି ଭାବେ ପରିଚିତ । ଚା’ ପିଇବା ସହ ରାଜେନୈତିକ ଖଟି ଏଇଠାରେ ଜମେ । ଆଖପଖରେ ବିଭିନ୍ନ ଧର୍ମପୀଠ ରହିଛି ଯାହା ପୁରୁଣା ବସଷ୍ଟାଣ୍ଡର ସ୍ୱତନ୍ତ୍ର ବଢ଼ାଉଛି।