ଆହ୍ଲାବାଦ, ୦୪/୦୭: ସୋସିଆଲ ମିଡିଆ  ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ଅପମାନିତ କରିଥିବା ଜଣେ ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ  କରିଦେଇଛନ୍ତି । କହିଛନ୍ତି ସମ୍ବିଧାନ ଦେଇଥିବା  ବାକ୍‌ ସ୍ୱାଧୀନତାର ଅର୍ଥ ନୁହେଁ ଯେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବା । ଗିରଫ  ବ୍ୟକ୍ତିଙ୍କ ନାମ ଅଶରଫ ଖାନ୍‌ ଓରଖ ନିସରତ ।

ନିକଟରେ ଭାରତ ଓ ପାକ୍‌ ମଧ୍ୟରେ ଘଟିଥିବା ସଂଘର୍ଷ ସମୟରେ ସେ ସୋସିଆଲ ମିଡିଆ ଫେସବୁକ୍‌ରେ ପ୍ରଧାନମନ୍ତ୍ରୀ ଓ ଭାରତୀୟ  ସେନା ଉପରେ କେତେକ ସଂଶୋଧିତ ତଥା  ଆପତ୍ତିଜନକ ଭିଡିଓ ସେୟାର କରିଥିଲେ । କେବଳ ଏତିକି ନୁହେଁ ସେ ମଧ୍ୟ ଉକ୍ତ ପୋଷ୍ଟରେ ପାକିସ୍ତାନକୁ ପ୍ରଶଂସା କରିଥିଲେ । ଏହି ଘଟଣା  ପରେ ତାଙ୍କୁ ଗତ ମେ ୧୩ ତାରିଖରେ ଗିରଫ  କରାଯାଇଥିଲା । ହାଇକୋର୍ଟରେ ଅଶରଫଙ୍କ  ଓକିଲ ଦର୍ଶାଇଥିଲେ ଯେ ଉକ୍ତ ପୋଷ୍ଟ କିମ୍ବା  ଭିଡିଓ ତାଙ୍କ ମହକିଲଙ୍କର ନୁହେଁ । ଶାହରୁଖ  ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଏହି  ଆପତ୍ତିଜନକ ପୋଷ୍ଟ ଓ ଭିଡିଓ ଆସିଥିଲା ।  ଯାହାକୁ ଅଶରଫ ସେୟାର କରିଥିଲେ ।  ଅଶରଫଙ୍କର ଏଥିରେ ପ୍ରତ୍ୟକ୍ଷ ଭାବେ କୌଣସି ସମ୍ପୃକ୍ତି ନାହିଁ । ତାଙ୍କୁ ବେଆଇନ ଭାବେ ଗିରଫ  କରାଯାଇଛି । ତେଣୁ ତାଙ୍କୁ ଜାମିନ ପ୍ରଦାନ  କରାଯାଉ । ଅନ୍ୟପକ୍ଷରେ ସରକାରୀ ଓକିଲ  ଦର୍ଶାଇଥିଲେ ଯେ ସୋସିଆଲ ମିଡିଆରେ ଏଭଳି  ପୋଷ୍ଟ କରାଯିବ ଓ ଭିଡିଓ ଛଡାଯିବା କେବଳ  ଦେଶର ନେତୃତ୍ୱ ପ୍ରତି ଅପମାନ ନୁହେଁ, ବରଂ  ଏକ ସମୁଦାୟ ଭିତରେ ଉତ୍ତେଜନା ସୃଷ୍ଟି କରିବା  ଭଳି ପଦକ୍ଷେପ । ଏଭଳି କ୍ଷେତ୍ରରେ ଜାମିନ  ପ୍ରଦାନ କରାଯିବା ଉଚିତ ନୁହେଁ । ତେବେ  ଅଦାଲତ ଅଶରଫଙ୍କ ଓକିଲ କରିଥିବା ଯୁକ୍ତିକୁ  ଗ୍ରହଣ କରିପାରି ନଥିଲେ ।

କହିଥିଲେ ଯେ  ବାକ୍‌ ସ୍ୱାଧୀନତା ନାମରେ ସୋସିଆଲ ମିଡିଆର  ଅପବ୍ୟବହାର କରାଯାଉଛି । ସେଥିରେ  ସାମ୍ବିଧାନିକ ପଦ ପଦବିରେ ଥିବା ବ୍ୟକ୍ତିଙ୍କୁ  ଅପମାନିତ କରାଯିବାକୁ ପଛାଉନାହାନ୍ତି ।  ଏହା କିଛି ବ୍ୟକ୍ତିଙ୍କ ଆଚରଣ ପାଲଟିଛି ।  ଆବେଦନକାରୀ ଯେଉଁ ଆପତ୍ତିଜନକ ପୋଷ୍ଟ  କରିଛନ୍ତି ସେଥିରେ ତାଙ୍କ ପ୍ରତି କୌଣସି ପ୍ରକାର  କୋହଳ ମନୋଭାବ ପୋଷଣ କରାଯାଇପାରିବ  ନାହିଁ । ଏଭଳି ସମୟରେ ତାଙ୍କୁ ଜାମିନ ପ୍ରଦାନ  କରାଯିବା ସମ୍ଭବ ନୁହେଁ । ତେଣୁ ତାଙ୍କ ଆବେଦନ  ଖାରଜ କରାଗଲା ବୋଲି କୋର୍ଟ କହିଥିଲେ ।