ଭୁବନେଶ୍ୱର, ୨୨/୦୨ : ଖରା ଆରମ୍ଭରୁ ଏବେ ଚିନ୍ତା ବଢ଼ାଇଲାଣି ଘନ ଘନ ବିଜୁଳି କାଟ। ପ୍ରତିଦିନ ସହର ଏବଂ ଉପକଣ୍ଠର ପ୍ରାୟ ୨୦ଟି ଅଞ୍ଚଳରେ ବିଦ୍ୟୁତ୍ କାଟ ଚାଲିଛି । ଗରମରେ ଲୋକେ ଛଟପଟ ହେଉଛନ୍ତି । ଶନିବାର କଳ୍ପନା, ଝାରପଡ଼ା, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ, ଖଣ୍ଡଗିରି ଧର୍ମବିହାର, କଳିଙ୍ଗନଗର ଶିଳ୍ପାଞ୍ଚଳରେ ସକାଳ ୯ଟାରୁ ଦିନ ୨ଟା ଯାଏଁ ବିଦ୍ୟୁତ୍ କାଟ କରାଯାଇଥିଲା । ବାରଙ୍ଗ ଟାଙ୍ଗି ବନ୍ତ ଅଞ୍ଚଳରେ ସକାଳ ୧୦ଟାରୁ ଅପରାହ୍ନ ୩ଟା, ୟୁନିଟ୍-୯ ଅଞ୍ଚଳରେ ସକାଳ ୧୧ଟାରୁ ଅପରାହ୍ନ ୩ଟା ୩୦, ମଞ୍ଚେଶ୍ୱର ଅଞ୍ଚଳରେ ସକାଳ ୮ଟା ୩୦ରୁ ଦିନ ୧ଟା, ବଡ଼ଗଡ଼ ବ୍ରହ୍ମେଶ୍ୱର ଅଞ୍ଚଳରେ ସକାଳ ୮ଟାରୁ ଦିନ ୧୨ଟା, ଲକ୍ଷ୍ମୀସାଗର କେଶୁରା ଅଞ୍ଚଳରେ ସକାଳ ୯ଟା ୪୫ରୁ ଦିନ ୧ଟା ୪୫ ଯାଏଁ ଆଜି ବିଦ୍ୟୁତ୍ କାଟ ହୋଇଥିଲା ।
ସେହିପରି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ, ନୟାପଲ୍ଲୀ ନାଲକୋ ଓ ଜାଭିୟର ପାଲ୍ ହାଇଟ୍ସରେ ସକାଳ ୯ଟାରୁ ଦିନ ୧ଟା ଯାଏଁ, ଭରତପୁର ଅଞ୍ଚଳରେ ସକାଳ ୯ଟା ୩୦ରୁ ଦିନ ୧ଟା, ପୁରୁଣା ଭୁବନେଶ୍ୱର ଇନ୍ଦିରା କଲୋନୀରେ ସକାଳ ୯ଟା ୩୦ରୁ ଦିନ ୧୨ଟା ୩୦, ୟୁନିଟ୍-୯ ଗ୍ରୀଡକୋ କଲୋନୀ ଅଞ୍ଚଳରେ ସକାଳ ୮ଟାରୁ ସକାଳ ୧୧ଟା ଏବଂ ଓଲ୍ଡ ଟାଉନ ଶକ୍ତି ନଗର ଅଞ୍ଚଳରେ ସକାଳ ୯ଟା ୩୦ରୁ ଦିନ ୧୨ଟା ଯାଏଁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଥିଲା । ଆଜି ମଧ୍ୟ ଏହି ବିଦ୍ୟୁତ୍ କାଟ ଧାରା ଜାରି ରହିବ ବୋଲି ଟିପିସିଓଡିଏଲ୍ ପକ୍ଷରୁ ଟ୍ୱିଟ୍ ଯୋଗେ ଅବଗତ କରାଯାଇଥିଲା।
ବିଦ୍ୟୁତ୍ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ କରିବାକୁ କୁହାଯାଉଛି । ହେଲେ ଅଧିକାଂଶ ଅଞ୍ଚଳରେ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ବିଜୁଳି କାଟ ହେଉଛି । ବିଦ୍ୟୁତ୍ କାଟକୁ ନେଇ ଜନ ଅସନ୍ତୋଷ ବଢୁଛି । ଅପରପକ୍ଷେ ଏବେ ମାଟ୍ରିକ୍ ଓ ପ୍ଲସ ଟୁ ପରୀକ୍ଷା ଚାଲିଛି । ଅଧିକାଂଶ ସ୍କୁଲରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏପରି ପରିସ୍ଥିତିରେ ରାଜଧାନୀରେ ବିଜୁଳି କାଟ୍କୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । ଟାଟା ପାୱାର ପକ୍ଷରୁ ନୂଆ ଟ୍ରାନ୍ସଫର୍ମର ଏବଂ ବିଦ୍ୟୁତ୍ ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ବିଦ୍ୟୁତ୍ କାଟ ହେଉଛି ବୋଲି ସଫେଇ ଦିଆଯାଇଛି । ହେଲେ ପ୍ରଶ୍ନ ଉଠିଛି ଯେ ଲଗାତାର ୪ ମାସ ଶୀତ ଦିନ ରହିଲା । ଏହି ସମୟରେ ବିଦ୍ୟୁତ୍ ମରାମତି କରାଯାଇ ପାରିଥାନ୍ତା । ହେଲେ ଏହା ନ କରି ଠିକ୍ ଖରାଦିନ ଆରମ୍ଭ ହେଉ ହେଉ ଘନ ଘନ ବିଦ୍ୟୁତ୍ କାଟ କାହିଁକି?
ଟାଟା ପାୱାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଧିକାଂଶ ଅଞ୍ଚଳରେ ଖରାଦିନେ ଅଧିକ ଲୋଡ୍ ପଡୁଛି । ଯେଉଁ ସବୁ ଅଞ୍ଚଳରେ ଲୋଡ୍ ପଡ଼ିବାର ସମ୍ଭାବନା ରହିଛି, ସେଠାରେ ନୂଆ ଟ୍ରାନ୍ସଫର୍ମର ବସୁଛି । ମାଟ୍ରିକ ପରୀକ୍ଷା ହେଉଥିବା ସ୍ଥାନରେ ବିଦ୍ୟୁତ୍ କାଟ୍ ଆଦୌ ହେବ ନାହିଁ । ଏଥିପ୍ରତି ଆମେ ଦୃଷ୍ଟି ଦେଉଛୁ ।
ଏହି ଖବରଟିକୁ ପଢନ୍ତୁ- ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ସୋମବାର ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା