ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବସ୍‌ କଣ୍ଡକ୍ଟରରୁ କୋଟିପତି ଚାଷୀ, ଅଢ଼େଇ ହଜାର ଟଙ୍କାରୁ ଆରମ୍ଭ କରିଥିଲେ ଚାଷ

Published By : Rasmita Pradhan | July 10, 2025 2:07 PM

ନୀଳଗିରି, ୧୦/୦୭ : ଆତ୍ମବିଶ୍ୱାସ ଥିଲେ ସବୁ ସମ୍ଭବ । ଇଚ୍ଛାଶକ୍ତି ପାଖରେ ହାର ମାନିଛି ଦାରିଦ୍ର‌୍ୟ । ଦିନେ ଥିଲେ ବସ୍‌ କଣ୍ଡକ୍ଟର । ଆଜି ହୋଇଛନ୍ତି ସଫଳ ଚାଷୀ । ନୀଳଗିରିର ଏହି ଯୁବକ ଅଞ୍ଜନ ବିଶ୍ୱାଳକୁ ନେଇ ଜୋର ଚର୍ଚ୍ଚା । ନୀଳଗିରି ବ୍ଲକ ନରସିଂହପୁର ପଞ୍ଚାୟତ ଅମ୍ବିକାପୁର ଗ୍ରାମର ବଂଶୀଧର ବିଶ୍ୱାଳ, ଅନ୍ନପୂର୍ଣ୍ଣାଙ୍କ ପୁଅ ଅଞ୍ଜନ। ପିଲାଟି ଦିନରୁ ଅର୍ଥାଭାବରେ ବଢ଼ିଥିଲେ । ଶେଷରେ ବସ୍‌ କଣ୍ଡକ୍ଟରକୁ ପେଶା ଭାବେ ଗ୍ରହଣ କରିଥିଲେ। ଚାଷ ପାଇଁ ତାଙ୍କର ଥିଲା ଦୁର୍ବଳତା। ନିଜର ଚାଷ ଜମି ସେତେ ନଥିବା ବେଳେ ଯାହାକିଛି ଜମିଥିଲା ୨୦୦୯ ମସିହାରେ ୩୦୦ଟି ଅମୃତଭଣ୍ଡା ଗଛ ଲଗାଇ ଚାଷ ଆରମ୍ଭ କରିଥିଲେ। ଅଢେଇ ହଜାର ଟଙ୍କାରୁ ଆରମ୍ଭ କରିଥିଲେ ତାଙ୍କର ଚାଷ କାର୍ଯ୍ୟ । ସେହି ଜମି ପାଖରେ ଏକ ପୋଖରୀ ଖୋଳି ମାଛ ଚାଷ ମଧ୍ୟ କରିଥିଲେ। 

ଜୈବିକ ପ୍ରଣାଳୀରେ ଚାଷ କରି ସଠିକ ଯତ୍ନ ନେବାରୁ ସେ ପ୍ରଥମ ବର୍ଷ ୨୮୫ କ୍ୱିଣ୍ଟାଲ ଅମୃତଭଣ୍ଡା ଅମଳ କରି ପାରିଥିଲେ । ମାଛ ଚାଷ କରି ସଫଳ ମଧ୍ୟ ହୋଇଥିଲେ। ସେହିଦିନ ଠାରୁ ସେ ଆଉ ପଛକୁ ଅନାଇ ନାହାନ୍ତି । ଏହାପରେ ସେ କୃଷି ବିଭାଗ ଓ ମତ୍ସ୍ୟ ବିଭାଗ ସହିତ ଯୋଗାଯୋଗ କରି ୪.୮୦ ଲକ୍ଷ ଟଙ୍କା ଋଣ ଆଣିଥିଲେ । ଲୋକଙ୍କଠାରୁ ଜମି ଲିଜ୍‌ରେ ଆଣି କେତୋଟି ପୋଖରୀ ଖୋଳି ମାଛ ଚାଷ କରିବା ସହ ମାଛ ଜାଆଁଳ ବ୍ୟବସାୟ ଆରମ୍ଭ କରିଥିଲେ । ସରକାରୀ ସବସିଡି ୪୮ ହଜାର ପାଇଥିଲେ । ହେଲେ ତାହା ଆଗକୁ ବଢିବା ପାଇଁ ଯଥେଷ୍ଟ ନଥିଲା । ପରେ ଗାଁରୁ ମଧ୍ୟ ସୁଧରେ ଟଙ୍କା ଆଣି ଚାଷ କାମ ଆଗେଇ ନେଇଥିଲେ ।  ପରେ ଅଞ୍ଜନ ଅମୃତଭଣ୍ଡା ସହିତ ଆରମ୍ଭ କରିଥିଲେ ଆମ୍ବ ଚାଷ । ମଲ୍ଲିକା, ଆମ୍ରପଲ୍ଲୀ, ଦୋସରି ପ୍ରଜାତିର ଆମ୍ଭ ଗଛ ଲଗାଇଥିଲେ । ଗାଡ଼ିଆ ତୁଠରେ କଦଳୀ ମଧ୍ୟ ଲଗାଇଥିଲେ । ଆପଲ୍‌ ବେରି, ପରିବା, ଡ୍ରାଗନ ଫ୍ରୁଟ୍‌ ଚାଷ ମଧ୍ୟ କଲେ । ଗୋରୁ ଓ କୁକୁଡ଼ା ଚାଷ ମଧ୍ୟ କରିଥିଲେ । ସମସ୍ତ ଚାଷ ଜୈବିକ ପ୍ରଣାଳୀରେ କରିବା ସହିତ ନିଜେ ଗୋବର ଖତରୁ ଭର୍ମୀ କମ୍ପୋଷ୍ଟ ପ୍ରସ୍ତୁତ କରିଥିଲେ । ଏପରିକି ମାଛ ଜାଆଁଳ, ମାଛଦାନା, ଔଷଧ, ପିଡ଼ିଆ ବିକ୍ରି କରିବା ସହ ବିଭିନ୍ନ ପ୍ରଜାତିର ଗଛ ରଖି ନର୍ସରୀ ମଧ୍ୟ କରିଛନ୍ତି । 

କେବଳ ବାଲେଶ୍ୱର ଜିଲ୍ଲା ନୁହଁ ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ରାଞ୍ଚିରୁ ଗ୍ରାହକମାନେ ଏଠାକୁ ଆସି ମାଛ ଜାଆଁଳ ନେଉଛନ୍ତି । ଫଳରେ ମାଛ ଚାଷରେ ମଧ୍ୟ ସଫଳ ହୋଇଛନ୍ତି ଅଞ୍ଜନ । ଯେଉଁ ଜମି ସବୁ ଲିଜ୍‌ ସୂତ୍ରରେ ଅଞ୍ଜନ ଆଣିଥିଲେ। ଆଜି ସେ ଏହାର ମାଲିକ ହୋଇପାରିଛନ୍ତି । ଦିନେ ପରିବାର ପେଟ ଚିନ୍ତାରେ ବସ୍‌ କଣ୍ଡକ୍ଟର ସାଜିଥିବା ଅଞ୍ଜନ ଏବେ କୋଟିପତି ସଫଳ ଚାଷୀ ହୋଇପାରିଛନ୍ତି । ବେକାର ଯୁବକମାନଙ୍କ ପାଇଁ ଅଞ୍ଜନ ଉଦାହରଣ ସାଜିଥିବା ବେଳେ ୧୨ ଜଣ ପରିବାର ସଦସ୍ୟ ତାଙ୍କ ପାଖରେ କାର୍ଯ୍ୟ କରି ପେଟ ପୋଷୁଛନ୍ତି । ଚାଷ କରି ବେଶ ଖୁସିରେ ଥିବାବେଳେ ଆଗକୁ ଆଗ୍ରୋ ଇକୋ ପାର୍କ ତାଙ୍କର ସ୍ୱପ୍ନ ଥିବା ଅଞ୍ଜନ କହିଛନ୍ତି । ତାଙ୍କର ଗୋଟିଏ ପୁଅ ଥିବାବେଳେ ଦୁଇ ଝିଅଙ୍କୁ ଧୁମଧାମ୍‌ରେ ବିବାହ କରାଇଛନ୍ତି । ଅଞ୍ଜନଙ୍କ ସଫଳତାରୁ ପ୍ରେରଣା ପାଇ ଆଖପାଖ ଅଞ୍ଚଳରେ ଚାଷୀମାନେ ଆଜି ତାଙ୍କ ଠାରୁ ମାଛ ଜାଆଁଳ ନେଇ ଚାଷ କରି ସଫଳ ହୋଇଥିବା କହିଛନ୍ତି । ସଫଳ ଚାଷ କରି ଅଞ୍ଜନ କୋଟିପତି ହୋଇଥିଲେ ବି ଉତ୍ତମ, ନମ୍ର ସ୍ୱଭାବ ହେତୁ ସେ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.