ନୂଆଦିଲ୍ଲୀ,୦୪/୦୧: ଇପିଏଫ୍‌ଓ ଖାତାଧାରକଙ୍କ ପାଇଁ କିଛି ନୂଆ ଖୁସି ନେଇଆସିଛି ନୂଆବର୍ଷ। ସୂଚନାମୁତାବକ ଚଳିତବର୍ଷ ଜୁନ୍‌ରୁ ଇପିଏଫ୍‌ର କାମ ଏକ ନୂଆ ସଫ୍ଟଓ୍ବୟାର ସିଷ୍ଟମରେ ହେବ। କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏନେଇ କହିଛନ୍ତି ଯେ, ଭବିଷ୍ୟ ନିଧି ସଂଗଠନ ଅର୍ଥାତ୍‌ ଇପିଏଫ୍‌ଓ ଚଳିତ ବର୍ଷ ଏକ ନୂଆ ସଫ୍ଟଓ୍ବୟାର ସିଷ୍ଟମ ଇପିଏଫ୍‌ଓ ୩.୦ (EPFO 3.0) ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି। ଏହି ନୂଆ ସିଷ୍ଟମ୍‌ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ ଭଳି ବରାବର ସୁବିଧା ଯୋଗାଇବ। ନୂଆ ସଫ୍ଟଓ୍ବୟାର ଯୋଗୁ ଇପିଏଫ୍‌ଓ ଓ୍ବେବସାଇଟ୍‌ର ଇଣ୍ଟରଫେସ ଖାତାଧାରକଙ୍କ ପାଇଁ ଅଧିକ ଉପଯୋଗୀ ହେବ। 

ଏଟିଏମ୍‌ କାର୍ଡ ଦେବାକୁ ଚାଲିଛି ପ୍ରସ୍ତୁତି: 

ନୂଆ ବର୍ଷରେ ଇପିଏଫ୍‌ଓର ସମ୍ପୂର୍ଣ୍ଣ ଚିତ୍ର ବଦଳାଇବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। କୁହାଯାଉଛି ଯେ ଜୁନ୍ ଠାରୁ ସରକାର ମଧ୍ୟ ଇପିଏଫ୍‌ଓ ଖାତାଧାରୀଙ୍କୁ ଏଟିଏମ୍ କାର୍ଡ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ମନସୁଖ ମାଣ୍ଡଭିୟ କହିଛନ୍ତି ଯେ EPFO 3.0 ଲଞ୍ଚ ହେବା ପରେ ଯେତେବେଳେ ଇପିଏଫଓ ଖାତାଧାରୀଙ୍କୁ ଏଟିଏମ କାର୍ଡ ଦିଆଯିବ, ସେମାନଙ୍କୁ ପୂର୍ବ ଅପେକ୍ଷା ସେମାନଙ୍କ ଟଙ୍କା ପରିଚାଳନା କରିବା ସହଜ ହେବ। ଶ୍ରମମନ୍ତ୍ରୀ କହିଛନ୍ତି ଯେ, ଏ ହେଉଛି ୱେବସାଇଟ ଡେଭଲପମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟ ଏବଂ ଜାନୁଆରୀ ଶେଷ ସୁଦ୍ଧା ସିଷ୍ଟମ୍‌ କାମ ଶେଷ ହେବ। 

କେବେଠାରୁ ବ୍ୟବହାର କରିବେ ଏହି ଏଟିଏମ୍‌:

କୁହାଯାଉଛି ଯେ ଜୁନ୍ ମାସରେ ଇପିଏଫ୍‌ଓ ଖାତାଧାରୀଙ୍କୁ ଏଟିଏମ୍ କାର୍ଡ ଉପଲବ୍ଧ ହେବା ମାତ୍ରେ ସେମାନେ ସେମାନଙ୍କର କାର୍ଡ ବ୍ୟବହାର କରିପାରିବେ। ୨୦୨୪ ଶେଷରେ, ଶ୍ରମ ସଚିବ ସୁମିତା ଡୋରା କହିଥିଲେ ଯେ ଇପିଏଫ୍ ଗ୍ରାହକମାନେ ୨୦୨୫ ସୁଦ୍ଧା ଏଟିଏମ୍ ମାଧ୍ୟମରେ ସେମାନଙ୍କ ପିଏଫ୍‌ରେ ଜମା ହୋଇଥିବା ଟଙ୍କା ଉଠାଇ ପାରିବେ। ସେ କହିଥିଲେ ଯେ ଯେକୌଣସି ପିଏଫଖାତାଧାରୀ ତାଙ୍କ ଆକାଉଣ୍ଟରେ ଥିବା ମୋଟ ରାଶିର ୫୦ ପ୍ରତିଶତ ପର୍ଯ୍ୟନ୍ତ ଉଠାଇ ପାରିବେ।

ମୋବାଇଲ୍‌ ଆପ୍‌ର ହେବ ସୁବିଧା:

ଇପିଏଫ୍‌ ଏହାର ନୂଆ ସଫ୍ଟୱେର୍ ଅପଡେଟ୍ କରିବା ସହିତ ଏହାର ନୂତନ ମୋବାଇଲ୍ ଆପ୍ ମଧ୍ୟ ପ୍ରସ୍ତୁତ କରୁଛି। ଏହି ମୋବାଇଲ୍ ଆପ୍ ସାହାଯ୍ୟରେ ଆକାଉଣ୍ଟ୍ ଧାରକମାନେ ସେମାନଙ୍କର ମାସିକ ଯୋଗଦାନ, ପେନ୍ସନ୍ ପାଣ୍ଠି ଏବଂ ଅନ୍ୟ ସମସ୍ତ ସୂଚନା ଗୋଟିଏ କ୍ଲିକରେ ଦେଖିପାରିବେ। ଏହି ଆପ୍ ମାଧ୍ୟମରେ ସେମାନେ ସେମାନଙ୍କର ପିଏଫ୍‌ ଆକାଉଣ୍ଟ୍ ଉପରେ ମଧ୍ୟ ନଜର ରଖିପାରିବେ।