ଆଶ୍ଚର୍ଯ୍ୟର କଥା- ମଣିଷ କ୍ରୋଧର  ମଞ୍ଜି ବୁଣିବ, ଅଥଚ ଶାନ୍ତି କାମନା  କରିବ । ଘୃଣାର ମଞ୍ଜି ବୁଣି ପ୍ରେମର  ଫସଲ ଚାହିଁବ । ଚାରିଆଡ଼େ ଶତ୍ରୁ ସୃଷ୍ଟି  କରିବ, ଅଥଚ ଚାହିଁବ ସମସ୍ତେ ତାର  ମିତ୍ର ହେବେ । ଗାଳି ଦେଉଥିବ, ଅଥଚ  ଆଶା କରିବ ଆକାଶରୁ ତା’ ଉପରେ  ଶୁଭାଶିଷ ଅଜାଡ଼ି ପଡ଼ିବ । ନା, ଏପରି  ହେବାର ନାହିଁ । ଏହା ବଡ଼ ଅସମ୍ଭବ  କାମନା ମଣିଷର । ମୁଁ ସଭିଙ୍କୁ ଧୋକା  ଦେଉଥିବି, ଅଥଚ ମୋତେ କେହି ଧୋକା  ଦେବେନାହିଁ ବୋଲି ଆଶା ରଖୁଥିବି ।

ଭଦ୍ରଲୋକଙ୍କ ବୟସ ସତୁରି ପାଖାପାଖି । ମୋର  ବଡ଼ଭାଇ ପରି ମୁଁ ତାଙ୍କୁ ଶ୍ରଦ୍ଧା କରେ । ତାଙ୍କର  ଦୁଇ ପୁଅ । ଦୁହେଁଯାକ ଅତ୍ୟନ୍ତ ଦୁର୍ଦ୍ଦାନ୍ତ । ବୃଦ୍ଧାବସ୍ଥାରେ  ପିତାମାତାଙ୍କର ସାହାରା ହେବା ପରିବର୍ତ୍ତେ ଆତଙ୍କ  ହୋଇ ବାହାରିଛନ୍ତି । ପତିପତ୍ନୀଙ୍କର ମୋ ନିକଟରେ  ଅଭିଯୋଗ, କିପରି ଏହି ଗୃହବିପତ୍ତିରୁ ସେ ମୁକ୍ତି  ପାଇବେ । ଶାନ୍ତିରେ ଶେଷ ଜୀବନତକ କାଟିବେ । ମୋ  ପାଖରେ କ'ଣ ବା ସମାଧାନର ବାଟ ଅଛି? ମୁଁ କିନ୍ତୁ ଜାଣେ ଯୌବନ ଅବସ୍ଥାରେ ଏହି ବୃଦ୍ଧ ଭଦ୍ରଲୋକ ତାଙ୍କ  ସମୟରେ ଅତ୍ୟନ୍ତ ଦୁର୍ଦ୍ଦାନ୍ତ ଥିଲେ, ଯାହାଙ୍କୁ କି ଅନେକ  ପ୍ରାଣରେ ଭୟ କରୁଥିଲେ। ଯଦିଓ ତା’ ପରବର୍ତ୍ତୀ  ସମୟରେ ଦସ୍ୟୁ ରତ୍ନାକରର ପଟ୍ଟପରିବର୍ତ୍ତନ ପରି  ଏ ଭଦ୍ରଲୋକ ମଧ୍ୟ ଆଜି ବାଲ୍ମୀକିରେ  ରୂପାନ୍ତରିତ ହୋଇଯାଇଛନ୍ତି । କିନ୍ତୁ ଅସଲ  କଥା ହେଲା ଯାହା ଦିନେ ସେ ନିଜେ  ବୁଣିଥିଲେ ତାର ଫଳ ତ ସେ ହିଁ କାଟିବେ,  ସେ ହିଁ ଭୋଗିବେ । ଅବିକଳ ସେଇମିତି  ଆଜି ଭାରତବର୍ଷରେ ଯିଏ ଯାହା ଭୋଗ  କରୁଛି ଭଲରେ ହେଉ କି ମନ୍ଦରେ ହେଉ,  ସେ ନରେନ୍ଦ୍ର ମୋଦି ହୁଅନ୍ତୁ କି ଲାଲୁ ଯାଦବ, ନିରବ  ମୋଦି ହୁଅନ୍ତୁ କି ବିଜୟ ମାଲ୍ୟା, ଧଳସାମନ୍ତ ଭ୍ରାତା  ହୁଅନ୍ତୁ କି କେନ୍ଦ୍ରାପଡ଼ାର ଟିଟୋ, ରାମ ରହିମ ହେଉ କି  ବାବା ସାରଥୀ, ଏମାନେ ପ୍ରତ୍ୟେକ ଜୀବନରେ ଯେଉଁ  ମଞ୍ଜି ବୁଣିଛନ୍ତି ଆଜି ତାହାରି ଫଳ କାଟି ଖାଉଛନ୍ତି । 

ଜୀବନଯାତ୍ରାରେ ସୁଖ କମ୍‌ ଦୁଃଖ ଅନେକ ।  ମଣିଷ ଅନେକ ଦୁଃଖ, ଯନ୍ତ୍ରଣା, ଅଶାନ୍ତି ଭୋଗ  କରିଥାଏ । କିନ୍ତୁ ଆମେମାନେ ଜାଣି ପାରୁନାହିଁ କିମ୍ବା  ଜାଣିବାକୁ ଚେଷ୍ଟା କରୁନାହିଁ ଯେ, ଯାହାକିଛି ଦୁଃଖ  କଷ୍ଟ ଆମେ ଭୋଗ କରିଥାଉ ତାହା ଆମରି ଦ୍ୱାରା  ଦିନେ ନା ଦିନେ ସୃଷ୍ଟି ହୋଇଥାଏ । ଆମେ ହିଁ ଆମର  କର୍ମ ଦ୍ୱାରା ହେଉ ଅବା ଆଚରଣ ଦ୍ୱାରା ସେହି ମଞ୍ଜି  ବୁଣିଥାଉ, ଯାହା ପରବର୍ତ୍ତୀ ସମୟରେ ଦୁଃଖ ଯନ୍ତ୍ରଣାର  ଫଳ ଭାବେ ଆମ ଜୀବନରେ ପ୍ରାପ୍ତ ହୋଇଥାଏ ।  ଜୀବନରେ କୌଣସି ଘଟଣା, ଦୁର୍ଘଟଣା, ଅଘଟଣ  ଅକାରଣରେ ହୋଇନଥାଏ । କାରଣ ନିହିତ ଥାଏ । ହୁଏତ ଆମେ ସ୍ମରଣ କରିପାରୁନାହିଁ କିମ୍ବା ହୃଦୟଙ୍ଗମ  କରିପାରୁନାହିଁ । ତାର କାରଣ ହେଲା, ନିଶ୍ଚିତ ଭାବରେ  ମଞ୍ଜି ବୁଣିବାରେ ଏବଂ ଫସଲ କାଟିବାରେ ବହୁତ  ସମୟ ଲାଗି ଯାଇଥାଏ । ସେଇଥିପାଇଁ ଆମର ଆଦୌ  ମନେ ରୁହେନାହିଁ ଯେ, ଆମେ ଆମରି ବୁଣିଥିବା  ମଞ୍ଜିର ଫସଲ କାଟିଥାଉ । ଥରେ ଥରେ ନିଜ  ଜୀବନକୁ ଦେଖିଲେ ଲାଗେ ବା ଆମେ ମନ ଭିତରେ  ଭାବି ବସୁ ମୁଁ ତ ଅମୃତର ମଞ୍ଜି ବୁଣିଥିଲି, କିନ୍ତୁ  ଦୁର୍ଭାଗ୍ୟକୁ ଏପରି ବିଷଫଳ ବାହାରିଲା କେଉଁଆଡୁ?  କିନ୍ତୁ ଏହା ଆମର ଅଜ୍ଞାନତା । ଏ ଜଗତରେ ଯାହାହିଁ  ଆମେ ବୁଣୁଛେ ଏହାର ଅତିରିକ୍ତ ଆମକୁ ଆଉ କିଛି  ମିଳେନାହିଁ କି ମିଳିବାର କୌଣସି ଉପାୟ ନାହିଁ ।  ଆମେ ତାହା ହିଁ ପାଇଥାଉ ଯେପରି ଆମେ ଆମ  ନିଜକୁ ନିର୍ମିତ କରିଥାଉ । ଆମେ ତାହାହିଁ ପାଇଥାଉ  ଯେପରି ଆମେ ପ୍ରସ୍ତୁତି କରିଥାଉ । ଆମେ ଶେଷରେ  ସେହିଠାରେ ପହଞ୍ଚିଥାଉ ଯେଉଁ ପଥରେ ଆମେ ଯାତ୍ରା  କରିଥାଉ । ଆମ ଜୀବନର ସୂତ୍ର ହେଲା ଯାହା ଆମେ  ଫିଙ୍ଗିଥାଉ ତାହାହିଁ ଆମ ପାଖକୁ ଫେରିଆସିଥାଏ ।  ଚତୁର୍ଦ୍ଦିଗରୁ ଆମରି ହିଁ ଫୋପଡ଼ା ଯାଇଥିବା ଧ୍ୱନି  ପ୍ରତିଧ୍ୱନ୍ୱିତ ହୋଇ ଆମ ପାଖକୁ ଫେରିଆସେ । ବିଳମ୍ବ  ହୁଏତ ହୋଇଥାଏ । ଧ୍ୱନି ଯାଏ, ବାହାରେ ଧକ୍କା  ଖାଇ ମୂଳ କେନ୍ଦ୍ରକୁ ଫେରିଆସେ । ସମୟ ତ ନିଶ୍ଚୟ  ଲାଗିଯାଇଥାଏ । ଆଉ ଯେତେବେଳେ ଆମ ପାଖକୁ  ଫେରିଆସେ ସେତେବେଳକୁ ଆମର ଆଉ ଖିଆଲ  ନଥାଏ ଯେ, ମୁଁ ହିଁ ଯେଉଁ ଗାଳି ଦେଇଥିଲି ତାହାହିଁ  ମୋ ପାଖକୁ ଫେରିଆସିଛି ବୋଲି । 

ବୁଦ୍ଧଦେବଙ୍କର ଜଣେ ଶିଷ୍ୟ ମୌଗଲାୟନ  ରାସ୍ତାରେ ଯାଉଥିଲେ । ତାଙ୍କ ସହ ଦଶ ପନ୍ଦର ଜଣ  ଆଉରି ସନ୍ନ୍ୟାସୀ ଥିଲେ । ମୌଗଲାୟନଙ୍କ ପାବରେ  ରାସ୍ତାରେ ପଡ଼ିଥିବା ଏକ ପଥର ଜୋରରେ ବାଜିଲା ।  ଝୁଣ୍ଟି ପଡ଼ିଲେ ସେ । ରକ୍ତ ବାହାରିଲା । ମୌଗଲାୟନ  ଆକାଶ ଆଡ଼କୁ ହାତକରି ଏକ ଆନନ୍ଦ ଭାବରେ  ଆଖିବୁଜି କିଛି ସମୟ ଛିଡ଼ା ହୋଇଗଲେ । ଅନ୍ୟାନ୍ୟ  ଭିକ୍ଷୁ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ । ପଚାରିଲେ-  ଆପଣ କ'ଣ କରୁଥିଲେ? ପାଦରୁ ଆପଣଙ୍କର  ରକ୍ତ ବାହାରୁଛି ଅଥଚ ହାତଯୋଡ଼ି ଆପଣ କାହାକୁ  ଧନ୍ୟବାଦ ଦେଉଥିଲେ? ମୌଗଲାୟନ କହିଲେ ମୋ ଭିତରେ ବାସ୍‌ ଏହି ଗୋଟିଏ ବିଷମଞ୍ଜି ବାକି  ରହି ଯାଇଥିଲା । ମୁଁ ନିଶ୍ଚୟ କେବେ କାହାକୁ ହୁଏତ  ପଥରଟାଏ ମାରିଥିଲି, ଆଜି ସେଥିରୁ ମୁକ୍ତ ହୋଇଗଲି ।  ଆଜି ପ୍ରଭୁଙ୍କୁ ପ୍ରଣାମ କରି ଧନ୍ୟବାଦ ଦେଲି ଯେ,  ଏବେଠାରୁ ମୋ ଭିତରେ ବୁଣିଥିବା ମଞ୍ଜି ଆଉ ଫଳ  ଦେବାକୁ ରହିଲା ନାହିଁ । ସେଇଥିପାଇଁ ଏ ଧନ୍ୟବାଦ । ଏ କୃତଜ୍ଞତା । କିନ୍ତୁ ପାଠକବନ୍ଧୁ, ମୁଁ ଭଲ ଭାବରେ  ଜାଣେ ଯେ, ଯଦି କେବେ ରାସ୍ତାରେ ଚାଲିଲା ବେଳେ  ଆପଣମାନଙ୍କର ପାଦ କୌଣସି ପଥରରେ ଝୁଣ୍ଟି ରକ୍ତ  ବାହାରେ, ଆପଣ କେବେବି ହଠାତ୍‌ ଭାବିପାରିବେ  ନାହିଁ କୌଣସି ବୁଣିଥିବା ମଞ୍ଜିର ଏହା ଫଳ ବୋଲି ।  ସମ୍ଭାବନା ଅଧିକ, ହୁଏତ କେହି କେହି ସେ ପଥରକୁ  ହଠାତ୍‌ ରାଗରେ ଗାଳି ମଧ୍ୟ ଦେଇପାରନ୍ତି । ଆଉ  କେବେ ଏହା ଖିଆଲରେ ଆଦୌ ଆସିବ ନାହିଁ ପଥରକୁ  ଦେଉଥିବା ଗାଳି ଦ୍ୱାରା ମଞ୍ଜି ବୁଣାଯାଉଛି ନିଜ ପାଇଁ ।  ତେଣୁ ପ୍ରଶ୍ନ ଏୟା ନୁହେଁ ଯେ, କାହାକୁ ଗାଳି ଦେଉଛ?  ପ୍ରଶ୍ନ ହେଉଛି ତୁମେ ଗାଳି ଦେଲ । ତେଣୁ ସେ ଗାଳି  ମଧ୍ୟ ଦିନେ ନା ଦିନେ ତୁମ ପାଖକୁ ଫେରି ଆସିବ ।  ତେଣିକି ତୁମର ଗାଳି, ତୁମର ଆଚରଣ ମଣିଷ ପାଇଁ  ନ ହୋଇ ପଶୁ, ପକ୍ଷୀ, ବୃକ୍ଷଲତା, ଝରଣା, ପାହାଡ଼,  ପର୍ବତ ଯାହା ଉଦ୍ଦେଶ୍ୟରେ ହୋଇଥାଉନା କାହିଁକି ।  

ଯୀଶୁଖ୍ରୀଷ୍ଟ ଥରେ ଗୋଟିଏ ଗାଁ ଭିତର ଦେଇ  ଯାତ୍ରା କରୁଥିଲେ । ଗାଁର ଏକ ସାଧାରଣ ମଣିଷ ତାର  ବଳଦଗାଡ଼ି ନେଇ ଯାଉଥିଲା । ବଳଦ ଦୁହେଁ ଶୀଘ୍ର  ଯିବା ପାଇଁ ତାଙ୍କୁ ନାନା ପ୍ରକାର କୁଭାଷାରେ ସମ୍ବୋଧନ  କରି ଗାଳି ଦେଉଥାଏ । ଯୀଶୁ ସେହି ମଣିଷକୁ ରୋକି  କରି କହିଲେ- ଆରେ ପାଗଳା, ତୁ କଅଣ କରୁଛୁ?  ଏମାନଙ୍କୁ ଏପରି ଗାଳି କାହିଁକି ଦେଉଛୁ? ଶଗଡ଼ିଆ  କହିଲା- ଏ ବଳଦ ଦୁହେଁ ତ ମୋ ଗାଳି ଶୁଣି ମୋତେ  ଗାଳି ଫେରେଇ ପାରିବେ ନାହିଁ । ମୋର ଏ ଦୁଇ ବଳଦ  କଅଣ ବିଗାଡ଼ି ପାରିବେ? ହଁ, ଅବଶ୍ୟ ସେ ଶଗଡ଼ିଆ  ଠିକ୍‌ ହିଁ କହୁଥିଲା । ଆମମାନଙ୍କର ଗଣିତ, ହିସାବ  ନିକାଶ ମଧ୍ୟ ଅବିକଳ ଏଇମିତି । ଯେଉଁ ମଣିଷ ଆମକୁ  ଗାଳି ଫେରେଇ ପାରିବ ନାହିଁ ତାକୁ ଗାଳି ଦେବାରେ  କୁଣ୍ଠା କାହିଁକି? ସେଇଥିପାଇଁ ତ ନିଜଠାରୁ ଦୁର୍ବଳ  ମଣିଷକୁ ଦେଖିଲେ ଆମେସବୁ ଗାଳି ଦେଉଥାଉ ।  ଘରେ ଚାକର ଚାକରାଣୀ ଉପରେ । ଅଫିସ୍‌ରେ ତଳିଆ କର୍ମଚାରୀ, ପିଅନ ଉପରେ । ସଂସାରରେ ଆମଠାରୁ  ଦୁର୍ବଳ ମଣିଷ ଉପରେ । କେବେ କେବେ ତ ଆଦୌ  ବିଶେଷ କୌଣସି କାରଣ ନଥାଇ ଫାଲ୍‌ତୁରେ ମଧ୍ୟ  ଆମେ ଗାଳି ଦେଇଥାଉ । 

ଯୀଶୁ ସେହି ଶଗଡ଼ିଆକୁ  କହିଲେ- ବଳଦଙ୍କୁ ତୁ ଗାଳି ଦେଉଛୁ, କିନ୍ତୁ ସେ ଦୁହେଁ  ଯଦି ତୋ ଗାଳି ତୋତେ ଫେରେଇ ଦେଇପାରନ୍ତେ  ତେବେ ତୋ ପାଇଁ ବିପଦ କମ୍‌ ଥିଲା । କାରଣ ହିସାବ  ରଫାଦଫା ହୋଇଯାଇ ଥାଆନ୍ତା । ଯେହେତୁ ସେ ଦୁହେଁ  କଥା କହିପାରିବେ ନାହିଁ । ତେଣୁ ତୋ ଗାଳି ଫେରେଇ  ପାରିବେ ନାହିଁ । କିନ୍ତୁ ଗାଳି ତ ଫେରିବ ହିଁ ଫେରିବ ।  ଆଉ ସେତେବେଳକୁ ତୋ ପାଇଁ ଏ ସଉଦା ବହୁତ  ମହଙ୍ଗା ସାବ୍ୟସ୍ତ ହେବ । ତୁ ଆଜିଠାରୁ ଏ ଗାଳି  ଦେବା ଛାଡ଼ି ଦେ । ଶଗଡ଼ିଆ ଯୀଶୁଙ୍କର ପାଦଛୁଇଁ  ପ୍ରତିଜ୍ଞା କଲା ଆଜିଠାରୁ ସେ ଆଉ ବଳଦଙ୍କୁ ଗାଳି  ଦେବନାହିଁ । ନିଜ ପ୍ରତିଜ୍ଞା ଉପରେ ଶଗଡ଼ିଆ ବେଶୀ  ହେଲେ ତିନି ଚାରିଦିନ ନିଜକୁ କାବୁରେ ରଖିପାରିଲା ।  ହେଲେ ପ୍ରତିଜ୍ଞାକୁ ଭାଙ୍ଗିବା ନାହିଁ ବୋଲି ଆମେମାନେ  କେବେବି ପ୍ରତିଜ୍ଞା କରିଥାଉ କି? ନା । ଶଗଡ଼ିଆ ନିଜ  ସ୍ୱଭାବକୁ ଫେରି ଆସିଲା । ଏହା ଭିତରେ ତିନି ଚାରି  ମାସ ବିତିଗଲା । ଗୋଟିଏ ଦିନ ଯୀଶୁ ଦୈବାତକ୍ରମେ  ସେହି ଗ୍ରାମବାଟେ ଫେରୁଥିଲେ, ଦେଖିଲେ ଶଗଡ଼ିଆ  ପୁନରାୟ ବଳଦଙ୍କୁ ଗାଳି ଦେବାରେ ଲାଗିଛି । ଯୀଶୁ  ଶଗଡ଼ିଆକୁ ପଚାରିଲେ- ଭାଇ, ଏତେ ଶୀଘ୍ର ଶପଥ  ଭୁଲିଗଲ? ଯୀଶୁଙ୍କୁ ଦେଖି ଶଗଡ଼ିଆ କହିଲା- ନାଇଁ  ଆଜ୍ଞା, ମୁଁ ଗାଳି ଦେଉନଥିଲି । ମୁଁ ବଳଦଙ୍କୁ କହୁଥିଲି  ଆଜିକୁ ଚାରିମାସ ତଳେ ମୁଁ ଯେଉ ଗାଳି ଦେଉଥିଲି  ତାହା ଆଉ ଥରେ କହି ସେମାନଙ୍କୁ ମନେ ପକେଇ  ଦେଉଥିଲି ଯେ, ସେହି ଗାଳି ମନେ ପକେଇ ସେମାନେ  ଶୀଘ୍ର ଶୀଘ୍ର ପାହୁଣ୍ଡ ପକେଇବେ । ଗାଳି ଦେଉନଥିଲି, କେବଳ ମନେ ପକେଇ ଦେଉଥିଲି । ଯୀଶୁ ଏହା ଶୁଣି  କହିଲେ- ତୁ କେବଳ ବଳଦଙ୍କୁ ଧୋକା ଦେଉନାହୁଁ,  ମୋତେ ବି ଧୋକା ଦେଉଛୁ । ତୁ ତୋ ନିଜର କ୍ଷତି  କରୁଛୁ । 

ବଡ଼ ଆଶ୍ଚର୍ଯ୍ୟର କଥା- ମଣିଷ କ୍ରୋଧର ମଞ୍ଜି  ବୁଣିବ, ଅଥଚ ଶାନ୍ତି କାମନା କରିବ । ଘୃଣାର ମଞ୍ଜି  ବୁଣି ପ୍ରେମର ଫସଲ ଚାହିଁବ । ଚାରିଆଡ଼େ ଶତ୍ରୁ ସୃଷ୍ଟି  କରିବ, ଅଥଚ ଚାହିଁବ ସମସ୍ତେ ତାର ମିତ୍ର ହେବେ ।  ଗାଳି ଦେଉଥିବ, ଅଥଚ ଆଶା କରିବ ଆକାଶରୁ ତା’  ଉପରେ ଶୁଭାଶିଷ ଅଜାଡ଼ି ପଡ଼ିବ । ନା ଏପରି ହେବାର  ନାହିଁ । ଏହା ବଡ଼ ଅସମ୍ଭବ କାମନା ମଣିଷର । ମୁଁ ସଭିଙ୍କୁ  ଧୋକା ଦେଉଥିବି, ଅଥଚ ମୋତେ କେହି ଧୋକା  ଦେବେନାହିଁ ବୋଲି ଆଶା ରଖୁଥିବି । ମୋ ଆଚରଣରେ  ଅନ୍ୟମାନେ ଦୁଃଖ ପାଉଥିବେ, ଅଥଚ ମୋ ଜୀବନରେ ଆଦୌ ଦୁଃଖ ଆସିବ ନାହିଁ । ଏହା ଅସମ୍ଭବ । ଯାହା  ଆମେ ବୁଣିବା ସେହି ଫସଲ ଅବଶ୍ୟ ଅମଳ କରିବା ।  ଆଉ ଗୋଟେ କଥା ମନେ ରଖିବା ଯେ, ଜୀବନରେ  ଯେବେବି ଆମେ କିଛି ଭୁଲ୍‌ କରୁଛେ, ଅନ୍ୟାୟ  କରୁଛେ । ତାହା ଯେ ଆମେ ଅନ୍ୟମାନଙ୍କ ପାଇଁ କରୁଛେ  ଏହି ଭ୍ରାନ୍ତ ଧାରଣା ଆମର ରହିଅଛି । କିନ୍ତୁ ବାସ୍ତବରେ  ଆମେ ଆମ ସହ ହିଁ ଏହା କରିଥାଉ । କାହିଁକିନା ଶେଷ  ଫଳ ଆମକୁ ହିଁ ଭୋଗିବାକୁ ପଡ଼ିଥାଏ । ଯାହାବି ଆମେ  ବୁଣିଥାଉ ସେ ଫସଲ ଆମକୁ ହିଁ କାଟିବାକୁ ପଡ଼ିଥାଏ ।  ଗୋଟି ଗୋଟି କରି ହିସାବ । ଏ ଜଗତରେ କିଛି ବି ବିନା ହିସାବରେ ହୁଏନାହିଁ । ବନ୍ଧୁ! ତୁମେ ନିଷ୍ପତ୍ତି ନିଅ,  ତୁମେ ଦୁଃଖ ଚାହଁ ନା ସୁଖ?