କଟକ,୦୬/୦୧: ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ୍ ପମ୍ପ୍ରୁ ତେଲ ମିଳିବ ନାହିଁ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଏଭଳି ଏକ ବିଜ୍ଞପ୍ତି ସମ୍ପୂର୍ଣ୍ଣ ବେଆଇନ ତଥା ସମ୍ବିଧାନ ବିରୋଧୀ ଏବଂ ଏହି ବିଜ୍ଞପ୍ତି ଜରିଆରେ ମନମୁଖି ଭାବେ ଏହି ନିଷ୍ପତ୍ତିକୁ ସାଧାରଣ ଲୋକଙ୍କ ଉପରେ ଲଦି ଦିଆଯାଇଛି ବୋଲି ପିଟିସନ୍ରେ ଅଭିଯୋଗ କରାଯାଇଛି । ତେଣୁ ଏହି ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରିଣୀ ଭୁବନେଶ୍ୱରର ସ୍ନିଗ୍ଧା ପାତ୍ର ତାଙ୍କ ପିଟିସନ୍ ପ୍ରାର୍ଥନା କରିଛନ୍ତି ।
ଆବେଦନକାରିଣୀ ତାଙ୍କ ପିଟିସନ୍ରେ ଦର୍ଶାଇଛନ୍ତି ଯେ, ଜଣେ ବ୍ୟକ୍ତି ଯେତେବେଳେ ଗାଡ଼ି କିଣୁଛନ୍ତି ସେତେବେଳେ ଇନ୍ସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍ ଆଦି ତାଙ୍କର ରହିଥାଏ । ଯେତେବେଳେ ପ୍ରଦୂଷଣ ସାର୍ଟିଫିକେଟ୍ ସମୟ ସୀମା ଶେଷ ହୋଇଯାଏ ସେତେବେଳେ ଗାଡ଼ି କ୍ରେତା ସାର୍ଟିଫିକେଟ୍ ନବୀକରଣ କରିବାକୁ ବାଧ୍ୟ । ଯିଏ ଏହି ସାର୍ଟିଫିକେଟ୍ ହାସଲ ନକରିବେ ସେମାନଙ୍କ ବିରୋଧରେ ମୋଟରଯାନ ଆଇନରେ ମାମଲା ରୁଜୁ କରାଯାଇ ପାରିବ । କିନ୍ତୁ ଏସ୍ଟିଏ ପକ୍ଷରୁ ନିକଟରେ ଏକ ବିଜ୍ଞପ୍ତି ଜାରି କରାଯାଇ ଯେଉଁମାନେ ନିଜ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ କରିନଥିବେ ବା ସେମାନଙ୍କ ପାଖରେ ବୈଧ ସାର୍ଟିଫିକେଟ୍ ନଥିବ ସେମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ୍ ମିଳିବ ନାହିଁ ବୋଲି କୁହାଯାଇଛି । ନିୟମ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ପ୍ରଦୂଷଣ କରୁଛନ୍ତି ତାଙ୍କ ଉପରେ ଜରିମାନା କରାଯାଇପାରିବ । ଜରିମାନା ନଦେଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । କିନ୍ତୁ ଗାଡ଼ିରେ ତେଲ ଦିଆଯିବ ନାହିଁ ବୋଲି କୌଣସି ନିୟମ ନାହିଁ । ଯେଉଁ ଗାଡ଼ିଗୁଡ଼ିକ ଏହି ପ୍ରଦୂଷଣ ସାର୍ଟିଫିକେଟ୍ କରିବାକୁ ଚାହୁଁଛନ୍ତି ସେମାନଙ୍କର ବକେୟା ଥିବା ଚାଲାଣ ବା ଜରିମାନା ଅର୍ଥ ଦେବା ପରେ ଯାଇ ଏହି ସାର୍ଟିଫିକେଟ୍ ମିଳିବ ବୋଲି ବାଧ୍ୟତାମୂଳକ କରାଯାଇଛି । ଏଭଳି ନିଷ୍ପତ୍ତି ମଧ୍ୟ ସମ୍ପୂର୍ଣ୍ଣ ବେଆଇନ ବୋଲି ଆବେଦନକାରିଣୀଙ୍କ ପକ୍ଷରୁ ଦର୍ଶଯାଇଛି । ଉଭୟ କେନ୍ଦ୍ରୀୟ ମୋଟରଯାନ ଆଇନ ଏବଂ ରାଜ୍ୟ ମୋଟରଯାନ ଆଇନରେ ଏଭଳି କୌଣସି ପ୍ରକାର ବ୍ୟବସ୍ଥା ନାହିଁ ।
ଏସ୍ଟିଏର ଏଭଳି ନିଷ୍ପତ୍ତିକୁ ରଦ୍ଦ କରାଯିବା ସହ ସାଧାରଣ ଲୋକଙ୍କୁ ନିର୍ଯାତନାରୁ ମୁକ୍ତି ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରିଣୀ ପ୍ରାର୍ଥନା କରିଛନ୍ତି । ମାମଲାରେ ପରିବହନ ବିଭାଗ ସଚିବ, ଏସ୍ଟିଏ କମିସନର, ଉତ୍କଳ ପେଟ୍ରୋଲିୟମ୍ ଡିଲର୍ ଆସୋସିଏସନ୍ର ସାଧାରଣ ସମ୍ପାଦକ, ଆଇଓସିଏଲ୍, ବିପିସିଏଲ୍, ଏଚ୍ପିସିଏଲ୍, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ସେଲ୍ ଇଣ୍ଡିଆ ମାର୍କେଟ୍ ପ୍ରାଇଭେଟ୍ ଲିମିଟେଡ୍ ପ୍ରମୁଖ ସଂସ୍ଥାକୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ କୁମାର ରାଉତ ମାମଲା ରୁଜୁ କରିଛନ୍ତି ।