ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ସପ୍ତାହକୁ ଦୁଇ ଦିନ ସମ୍ପୂର୍ଣ୍ଣ ଭାବେ ଭର୍ଚୁଆଲ୍ ଶୁଣାଣି କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୈଳ ସଂରକ୍ଷଣ ଅପିଲ୍ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଅନୁଯାୟୀ, ସୋମବାର ଏବଂ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲା ଗୁଡ଼ିକର ଶୁଣାଣି ହେବ। ଅନ୍ୟପଟେ, ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ଦିନ ଓକିଲ ଏବଂ ଆବେଦନକାରୀଙ୍କ ପାଖରେ ବିକଳ୍ପ ରହିବ ଯେ, ସେମାନେ ଫିଜିକାଲ ଭାବେ କିମ୍ବା ଭର୍ଚୁଆଲ୍ ମାଧ୍ୟମରେ କୋର୍ଟରେ ହାଜର ହେବେ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ,ବିଚାରପତି ମାନେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି କି, ଇନ୍ଧନର ସଠିକ୍ ବ୍ୟବହାର ପାଇଁ ସେମାନେ 'କାର୍ ପୁଲିଂ' କୁ ପ୍ରୋତ୍ସାହନ ଦେବେ।
ଦୁଇ ଦିନ ୫୦ ପ୍ରତିଶତ କର୍ମଚାରୀଙ୍କୁ WFH
ଏହା ବ୍ୟତୀତ, ସପ୍ତାହକୁ ଦୁଇ ଦିନ ସମସ୍ତ ରେଜିଷ୍ଟ୍ରି ଶାଖା କିମ୍ବା ସେକ୍ସନର ୫୦ ପ୍ରତିଶତ କର୍ମଚାରୀଙ୍କୁ 'ୱାର୍କ ଫ୍ରମ୍ ହୋମ୍' (WFH) ପାଇଁ ଅନୁମତି ମିଳିବ। ଏଥିପାଇଁ ଏକ ସାପ୍ତାହିକ ରୋଷ୍ଟର ପ୍ରସ୍ତୁତ କରାଯିବ, ଯେପରି କୋର୍ଟର କାର୍ଯ୍ୟଧାରା ପ୍ରଭାବିତ ନହୁଏ। ନିଷ୍ପତ୍ତିରେ ଆହୁରି କୁହାଯାଇଛି ଯେ, ରେଜିଷ୍ଟ୍ରି ଅଧିକାରୀମାନେ କାମର ଆବଶ୍ୟକତା ଅନୁଯାୟୀ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାକୁ ବନ୍ଦ କିମ୍ବା ପରିବର୍ତ୍ତନ କରି ପାରିବେ। ଯଦି ସେମାନଙ୍କୁ ଲାଗେ ଯେ କୌଣସି ନିର୍ଦ୍ଦିଷ୍ଟ ଶାଖାରେ ଅଫିସରୁ କାମ କରିବା ଜରୁରୀ, ତେବେ ସେହି ଅନୁଯାୟୀ ନିଷ୍ପତ୍ତି ନିଆଯାଇ ପାରିବ।
ପିଏମ ମୋଦୀଙ୍କ ଅପିଲ୍
ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆବଶ୍ୟକତା ଅନୁଯାୟୀ ତୈଳ ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ଏବଂ ବିଶ୍ୱ ବଜାରରେ ଅଶୋଧିତ ତୈଳର ବଢୁ ଥିବା ଦରକୁ ଦୃଷ୍ଟିରେ ରଖି ପିଏମ ମୋଦି ନାଗରିକମାନଙ୍କୁ ଏହି ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ତାଙ୍କ କାରକେଡ୍ରେ ଯାନବାହନ ସଂଖ୍ୟା କମାଇ ଦେଇଛନ୍ତି।
ପିଏମ ମୋଦିଙ୍କ ଅପିଲ୍ ପରେ ଦେଶରେ ବ୍ୟାପକ ସ୍ତରରେ ଲୋକମାନେ ମିତବ୍ୟୟୀ ଭାବେ ତୈଳ ବ୍ୟବହାର କରିବା ଆରମ୍ଭ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ମଧ୍ୟ ନିଜ ନିଜ କାରକେଡରେ ଗାଡ଼ି ସଂଖ୍ୟା କମାଇ ଦେଇଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : Work from Home: ଦିଲ୍ଲୀରେ ପ୍ରତି ସପ୍ତାହରେ ୨ଦିନ ‘ୱାର୍କ ଫ୍ରମ୍ ହୋମ୍’ ନିର୍ଦ୍ଦେଶ , ପ୍ରାଇଭେଟ୍ କମ୍ପାନୀ ଗୁଡ଼ିକ ଉପରେ ମଧ୍ୟ ଲାଗୁ ହେବ