ଭୁବନେଶ୍ୱର,୧୫/୦୫ : ରାଜଧାନୀରେ ପେଟ୍ରୋଲ ଓ ଡିଜେଲ ସଙ୍କଟ । ଲମ୍ବା ଲାଇନ୍ ଲଗାଇଲେ ଲିଟରେ ତେଲ ମିଳୁଛି । ହେଲେ ସରକାରୀବାବୁଙ୍କ ସପିଙ୍ଗ ନିଶା ଛାଡୁନି। ସରକାରୀ ଗାଡ଼ିରେ ସ୍ତ୍ରୀ ଓ ପିଲାଙ୍କୁ ନେଇ ସପିଂ ମଲରେ ଗାଡି ଚକ୍କର କାଟୁଛି । ଦେଶର ତୈଳ ସଙ୍କଟ ଜାରି ରହିଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ କାରକେଡ୍ ସଂଖ୍ୟା କମାଇଛନ୍ତି । ତେଲ ବଞ୍ଚାଇବାକୁ ଦିଲ୍ଲୀରେ ୱାର୍କ ଫ୍ରମ୍ ହୋମ ଲାଗୁ ହୋଇଛି । ହେଲେ ଭୁବନେଶ୍ୱରରେ କିନ୍ତୁ ସରକାରୀ ବାବୁଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇଛି ।

ସମୟ ପାଖାପାଖି ୧୨ଟା । ଭାରତ ସରକାରଙ୍କ ଅର୍ଥ ବିଭାଗର ଏକ ଗାଡି ଜନପଥର ଏକ ନାମୀ ମଲ୍ ଆଗରେ ଲାଗିଲ । ଗାଡିରୁ ବାବୁଙ୍କ ଧର୍ମପତ୍ନୀ ଓହ୍ଲାଇଲେ । ବେଶ ଦୀର୍ଘ ସମୟ ଧରି ସପିଙ୍ଗ ଚାଲିଲା । ଏହା ପରେ ଗାଡି ସେଠାରୁ ଫେରିଗଲା । ସେହି ଜନପଥର ୫୦୦ ମିଟର ଦୂରରେ ଅନୁଗୁଳ ଜିଲ୍ଲାର ଜଣେ ବିଧାୟକଙ୍କ ଗାଡି ଲାଗିଲା । ସେଠି ସେମିତି ସ୍ଥିତି । ପିଲା ସପିଙ୍ଗ କଲେ । ଅନ୍ୟ ଏକ ସ୍ଥାନରେ କିନ୍ତୁ ସ୍ଥିତି ଟିକେ ଅଲଗା ଥିଲା । ଶକ୍ତି ବିଭାଗର ଏକ ସରକାରୀ ଗାଡି ରାସ୍ତାରେ ଠିଆ ହୋଇଥିଲା । ଯଦିଓ ଗାଡିଟି ଇଭି ଥିଲା । ଦିନ ଦ୍ୱିପ୍ରହରରେ ତାହା ସପିଙ୍ଗ ମଲରେ କଣ କରୁଥିଲା ବୋଲି ପ୍ରଶ୍ନ ଉଠିଛି ।

ଭୁବନେଶ୍ୱରରେ ଲୋକସେବା ଭବନରୁ ଆରମ୍ଭ କରି ଏକାଧିକ ବିଭାଗ ମୁଖ୍ୟାଳୟ ରହିଛି । ଏହି ସବୁ ମୁଖ୍ୟାଳୟରେ ହଜାର ହଜାର ସରକାରୀ ବାବୁ କାମ କରୁଛନ୍ତି । ଏହି ସରକାରୀ ବାବୁମାନଙ୍କୁ ଗାଡି ଯୋଗାଇ ଦିଆଯାଇଛି । ଯୋଗ୍ୟତା ମାପ କାଠି ଅନୁସାରେ ମାସିକ ଭଡା ୨୫ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାବାଦ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ ମଧ୍ୟ ବହନ କରାଯାଉଛି । ଅଧିକାଂଶ ବାବୁଙ୍କ ରଙ୍ଗ ଓ ଢଙ୍ଗ ଦେଖିଲେ ଯେ କେହି ମୁଣ୍ଡରେ ହାତ ଦେବେ । ସକାଳୁ ବାବୁ ମର୍ଣ୍ଣିଂୱାକରେ ଯାଉଛନ୍ତି । ସେ ପୁଣି ଗାଡି ନେଇ । ଏହା ପରେ ସକାଳୁ ବାବୁମାନେ ନିଜ ପିଲାଙ୍କୁ ସ୍କୁଲରେ ଛାଡିବାକୁ ସରକାରୀ ଗାଡି ପଠାଉଛନ୍ତି । ସକାଳ ୧୦ଟାରେ ଅଫିସରମାନେ କାର୍ଯ୍ୟାଳୟ ଆସୁଛନ୍ତି । ଏହା ପରେ ୧୨ଟା ବେଳେ ଗାଡି ପିଲାଙ୍କୁ ସ୍କୁଲରୁ ଆଣି ଘରେ ଛାଡୁଛି । ୧.୩୦ ହେବା କ୍ଷଣି ଗାଡି ବାବୁଙ୍କୁ ଧରି ଲଞ୍ଚ ବ୍ରେକରେ ବାହାରୁଛି । ଯଦି କୌଣସି ବାବୁ ଘରକୁ ଫେରୁନାହାନ୍ତି, ତାହେଲେ ଗରମ ଓ ତଟକା ଖାଦ୍ୟ ଆଣିବାକୁ ଘରକୁ ଗାଡି ଯାଉଛି । ସନ୍ଧ୍ୟାରେ ବାବୁଙ୍କ ସପିଙ୍ଗ କଥା ଜାଣିଲେ ଆଶ୍ଚର୍ଯ୍ୟ ହେବ ।

ଏକାଧିକ ଅଧିକାରୀ ଧର୍ମପତ୍ନୀଙ୍କୁ ଧର ସପିଙ୍ଗ କରୁଛନ୍ତି ତାହା ପୁଣି ସରକାରୀ ଗାଡିରେ । ଛୁଟି ଦିନ ପଡିଲେ କଥା ସରିଲା । ଗାଡି ପୁରୀ ବେଳା ଭୂମିରେ ଚକର କାଟୁଛି । ସରକାରୀ ବାବୁଙ୍କ ତେଲ ଅପଚୟ ଆଜିକାଲିର କଥା ନୁହେଁ । କାହିଁ କେଉଁ କାଳରୁ ଚାଲି ଆସୁଛି । ଲୋକଙ୍କ ଟିକସ ପଇସାରେ ସରକାରୀ କାମ କମ ଘରୋଇ କାମ ବେଶୀ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେଣୁ ପ୍ରତି ବିଭାଗ ଏହା ପାଇଁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଆଣିବା ଆବଶ୍ୟକ ବୋଲି ଦାବି ଉଠିଛି ।

ଏହି ଖବରଟିକୁ ପଢନ୍ତୁAdministrative Crisis : ଖାଲିପଡ଼ିଛି ୯ଟି ବାଟାଲିୟନ୍ର କମାଣ୍ଡାଣ୍ଟ୍ ପଦ, ରାଜଧାନୀ ଛାଡ଼ି ଦୁର୍ଗମ ଇଲାକାକୁ ଯିବାକୁ ଚାହୁନାହାନ୍ତି ବାବୁ