କଟକ,୧୫/୦୧: ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବା ପିୟୁସି ବିବାଦ ପରିବହନ ବିଭାଗର ପିଛା ଛାଡ଼ୁନି । ପିୟୁସି ବାଧ୍ୟତାମୂଳକ କରିବା ପରେ ଘଣ୍ଟା ଘଣ୍ଟା ଧରି ସାର୍ଟିଫିକେଟ୍ କେନ୍ଦ୍ର ଆଗରେ ଲୋକଙ୍କ ଧାଡ଼ି ଲାଗିବା,ମନମୁଖି ପ୍ରଦୂଷଣ ସାର୍ଟିଫିକେଟ୍ ଦିଆଯିବା, ଜରିମାନାକୁ ନେଇ ଲୋକେ ନାକେଦମ୍ ହେବା ଆଦି ଘଟଣା ବିଭାଗକୁ ବିବାଦ ଘେରକୁ ଟାଣିଥିଲା । ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ପିୟୁସି ନଥିଲେ ଗାଡ଼ିକୁ ପେଟ୍ରୋଲ୍ ଦିଆଯାଇପାରିବ ନାହିଁ ବୋଲି ବିଭାଗ ଯେଉଁ ଆଦେଶ ଦେଇଛି ତାହା ଗ୍ରହଣୀୟ ନୁହେଁ ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ଦର୍ଶାଇଛି ।

ଏଣୁ‘ନୋ ପିୟୁସି, ନୋ ପେଟ୍ରୋଲ୍’ ସଂକ୍ରାନ୍ତ ବିଭାଗର ଚିଠିକୁ ପ୍ରତ୍ୟାହାର କରିନେବା ପାଇଁ ଆସୋସିଏସନ୍ ଅଡ଼ି ବସିଛି । ଏନେଇ ଆସୋସିଏସନ୍ ହାଇକୋର୍ଟର ମୁଖ୍ୟ ବିଚାରପତି, ରାଜ୍ୟ ମୁଖ୍ୟ ଶାସନସଚିବ, ପରିବହନ ବିଭାଗ ସଚିବ ଏବଂ ଏସ୍ଟିଏ କମିସନରଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ପରେ ପରିବହନ ବିଭାଗର ଅଡ଼ୁଆ ବଢ଼ିଯାଇଛି । ଡିସେମ୍ବର ୨୦ ତାରିଖରେ ଏସ୍ଟିଏ(ରାଜ୍ୟ ପରିବହନ ପ୍ରାଧିକରଣ) ପକ୍ଷରୁ ପ୍ରତ୍ୟେକ ତୈଳ କମ୍ପାନିଙ୍କୁ ଏକ ଚିଠି କରାଯାଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ, ଯେଉଁ ଗାଡ଼ିମାନେ ପିୟୁସି ନ ଦେଖାଇବେ ସେମାନଙ୍କୁ ପେଟ୍ରୋଲ୍ ଅବା ଡିଜେଲ୍ ଦିଆଯିବ ନାହିଁ । ଏହି ଚିଠିକୁ ନେଇ ପେଟ୍ରୋଲିୟମ୍ ଆସୋସିଏସନ୍ ଅସନ୍ତୋଷ ବ୍ୟକ୍ତ କରିଛି ।ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ,ପିୟୁସି ନଥିଲେ ଏଥିପାଇଁ କେନ୍ଦ୍ରୀୟମୋଟର ଯାନ ଆଇନରେ ସ୍ୱତନ୍ତ୍ର ଦଣ୍ଡବିଧାନ ବ୍ୟବସ୍ଥା ରହିଛି ।

ଯଦି କେହି ପିୟୁସି କରିନଥିବେ ତାଙ୍କ ଉପରେ ଜରିମାନା କରାଯାଇ ପାରିବ । ଗୋଟେ ଆଇନରେ କେବଳ ଗୋଟେ ପ୍ରକାରଦଣ୍ଡ ବିଧାନର ବ୍ୟବସ୍ଥା କରାଯାଇପାରିବ । ଏହି ଆଇନରେ ଜରିମାନା ବ୍ୟବସ୍ଥା ରହିଥିଲାବେଳେ ପେଟ୍ରୋଲ୍ ବନ୍ଦ ପାଇଁ କୁହାଯାଇ ପାରିବ ନାହିଁ ବୋଲି ଆସୋସିଏସନ୍ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ।ଏ ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟଙ୍କ ଏକ ରାୟକୁ ମଧ୍ୟ ଆସୋସିଏସନ୍ ପକ୍ଷରୁ ଉଲ୍ଲେଖ କରାଯାଇଛି ।ତେବେ ରାଜ୍ୟ ସରକାର କେନ୍ଦ୍ରୀୟ ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଆସୋସିଏସନ୍ ପକ୍ଷରୁ ଅନୁରୋଧ କରାଯାଇଛି । କିନ୍ତୁ ପିୟୁସି ସାର୍ଟିଫିକେଟ୍ ବିନା ତେଲ ନଦେବା ଲାଗି ଯେଉଁ ଆଦେଶ ଦିଆଯାଇଛି ତାହା ବୈଧ ହୋଇନଥିବାରୁ ତାହାକୁ ପ୍ରତ୍ୟାହାର କରିନେବାକୁ ଅନୁରୋଧ କରାଯାଇଛି ।

ଆସୋସିଏସନ୍ ପକ୍ଷରୁ ଆଇନଜୀବୀ ସୂର୍ଯ୍ୟପ୍ରକାଶ ଆର୍ତ୍ତବିଦ୍ୟାଧର ମଙ୍ଗରାଜ ଏହି ଚିଠି ଲେଖିଛନ୍ତି । ଉଲ୍ଲେଖଯୋଗ୍ୟ,ପିୟୁସି ସାର୍ଟିଫିକେଟ୍ ବିନା ପେଟ୍ରୋଲ୍ମିଳିବ ନାହିଁ ବୋଲି ଏସ୍ଟିଏ ପକ୍ଷରୁ ଘୋଷଣା କରାଯିବା ପରେ ଗାଡ଼ି ମାଲିକଙ୍କ ମଧ୍ୟରେ ଛାନିଆ ପଶିଯାଇଥିଲା । ଗାଡ଼ିମାଲିକମାନେ ତୁରନ୍ତ ବିଭିନ୍ନ ପିୟୁସି କେନ୍ଦ୍ରଆଗରେ ଧାଡ଼ି ଲଗାଇଥିଲେ । ଜାନୁଆରୀ ପହିଲାରୁ ଏହି ନିୟମକୁ ଲାଗୁ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ସ୍ଥିତି ଭୟଙ୍କରହେବାରୁ ସରକାର ଦୁଇ ଦଫାରେ ଏପ୍ରିଲ ପହିଲା ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରିଛନ୍ତି । ତଥାପି ପିୟୁସି ତାତି ଏଯାଏ କମିନି ।