ଭୁବନେଶ୍ୱର,୨୪/୦୧: ଦିନକ ପରେ ୭୬ତମ ସାଧାରଣତନ୍ତ୍ର  ଦିବସ । ମହାତ୍ମାଗାନ୍ଧି ମାର୍ଗରେ ଏଥିପାଇଁ  ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ଆଜି ରାଜ୍ୟସ୍ତରୀୟ ପରେଡ୍‌ ପାଇଁ ଫୁଲ୍ ଡେସ୍ ରିହଲର୍ସଲ କରାଯାଇଛି।  ଦେଶାତ୍ମବୋଧକ ଗୀତ ତାଳେ  ତାଳେ ମୋଟ ୪୩ଟି ଦଳ ପରେଡ୍‌  ଅଭ୍ୟାସ କରିଛନ୍ତି । ରବିବାର ହଜାର ହଜାର  ଦର୍ଶକଙ୍କ ଉପସ୍ଥିତିରେ ରାଜ୍ୟପାଳ ରାଜ୍ୟପାଳ ଡ.  ହରି ବାବୁ କମ୍ଭମ୍‌ପତି ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବେ । ରାଜ୍ୟସ୍ତରୀୟ ପରେଡ୍‌ର ଅଭିବାଦନ  ଗ୍ରହଣ କରିବେ । 

ସୂଚନା ମୁତାବିକ, ଆଜି ସକାଳେ ମହାତ୍ମାଗାନ୍ଧି ମାର୍ଗରେ ୪୯ଟି ଗ୍ରୁପ୍,୧୦ଟି ପ୍ରଜ୍ଞାପନ ମେଢ଼ ଓ ୪ଟି ସାଂସ୍କୃତିକ ଦଳ  ପରେଡ୍‌ର  ଫୁଲ୍ ଡେସ୍ ରିହଲର୍ସଲ ଅଭ୍ୟାସ କରିଛନ୍ତି। ଯାହାକୁ ଦେଖିବାକୁ ଭିଡ଼ ଜମିଥିଲା। କ୍ବାମିନାରା, ଜୟହିନ୍ଦ ଓ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରେଡ୍‌ ସ୍ଥଳ।

ଚଳିତଥର ଝାଡ଼ଖଣ୍ଡ ପୁଲିସର ଏକ ଦଳ  ପରେଡ୍‌ରେ ଭାଗ ନେବେ । ଅଭ୍ୟାସରେ  ୪୩ଟି କଣ୍ଟିଜେଣ୍ଟ ସାମିଲ୍‌ ହୋଇଥିବା  ବେଳେ ସାଧାରଣତନ୍ତ୍ର ଦିବସ ଦିନ ମୋଟ  ୪୯ଟି ଦଳ ଭାଗ ନେବେ । ସେଥିରୁ ୨୦ଟି  ସାମରିକ ଓ ଅର୍ଦ୍ଧସାମରିକ ବାହିନୀ  ଅଛନ୍ତି । ୧୨୦ ଇନ୍‌ଫାଣ୍ଟ୍ରି ବାଟାଲିୟନ,  ସୀମା ସୁରକ୍ଷା ବଳ, ଇଣ୍ଡୋ ତିକ୍ରତୀୟ  ବର୍ଡର ପୁଲିସ, କେନ୍ଦ୍ରୀୟ ରିଜର୍ଭ ପୁଲିସ  ବଳ (ସିଆର୍‌ପିଏଫ) ବ୍ୟାଣ୍ଡ, ରେଳବାଇ  ସୁରକ୍ଷା ବଳ, ଷଷ୍ଠ ଭାରତୀୟ ରିଜର୍ଭ  ବାଟାଲିୟନ (ଆଇଆରବିଏନ୍‌) ଓ ସପ୍ତମ  ଓଡି଼ଶା ସଶସ୍ତ୍ର ପୁଲିସ ବଳ ଭଳି ସଶସ୍ତ୍ର ବାହିନୀ ଅଭ୍ୟାସ କରିଥିଲେ ।  ବାକି ୨୯ଟି କଣ୍ଟିଜେଣ୍ଟରେ ସ୍କୁଲ ଓ  କଲେଜ ଛାତ୍ରଛାତ୍ରୀଙ୍କ ଏନ୍‌ସିସି, ସ୍କାଉଟ୍‌ସ୍‌,  ଗାଇଡ୍‌ସ ସହ ଡେୟାର ଡେଭିଲ୍‌,  ଏନ୍‌ସିସି ଅଶ୍ୱବାହିନୀ ପରେଡ୍‌ରେ  ସାମିଲ ହେବେ । ଚଳିତ ବର୍ଷ ୧୦ଟି  ପ୍ରଜ୍ଞାପନ ମେଢ଼ ଓ ୪ଟି ସାଂସ୍କୃତିକ ଦଳ  ପରେଡ୍‌ର ଆକର୍ଷଣ ସାଜିବେ । 

୭ଟି ସ୍ୱତନ୍ତ୍ର ପାର୍କିଂ

ସାଧାରଣତନ୍ତ୍ର ଦିବସକୁ  ଆସୁଥିବା ଦର୍ଶକଙ୍କ ପାଇଁ  ୭ଟି ସ୍ୱତନ୍ତ୍ର ପାର୍କିଂ ସ୍ଥଳ ଚିହ୍ନଟ  କରାଯାଇଛି । ରେଳଷ୍ଟେସନ ନିକଟ  ବିଡିଏ ବସଷ୍ଟାଣ୍ଡ, ୨ ନଂ ସରକାରୀ  ବାଳିକା ବିଦ୍ୟାଳୟ ପଡି଼ଆ ଓ  ରବିନ୍ଦ୍ର ମଣ୍ଡପ ଭିତରେ ବାଇକ୍‌ ଓ  କାର ରଖିହେବ । କଂଗ୍ରେସ ଭବନ ଓ  ଇଡକଲ ଅଡିଟୋରିୟମ ନିକଟ ଖୋଲା  ସ୍ଥାନ ସମେତ ଜୟଦେବ ଭବନ ଓ ୩ ନଂ  ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସାମ୍ନା ଖୋଲା  ଜାଗାରେ ମଧ୍ୟ ପାର୍କିଂ କରିପାରିବେ ।