ଭୁବନେଶ୍ବର, ୦୭/୦୬: ଯେତେ ବିରୋଧ କଲେ ବି ମାନୁନି ଇସ୍କନ । ଜଗନ୍ନାଥ ସଂସ୍କୃତି ବେଖାତିର କରି ଅଦିନରେ କରୁଛି ରଥଯାତ୍ରା ଓ ସ୍ନାନଯାତ୍ରା । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏନେଇ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଏ ପ୍ରସଙ୍ଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ସମୟ ମାଗିଛନ୍ତି । ପରମ୍ପରାକୁ ଭାଙ୍ଗି ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ କରାଯାଉଛି । ଏହା ଜଗନ୍ନାଥପ୍ରେମୀଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଇଛି । କେନ୍ଦ୍ର ସରକାର ନିଶ୍ଚୟ କିଛି ପଦକ୍ଷେପ ନେବେ । ନୀଳାଦ୍ରି ବିଜେ ପରେ ଏକ ଟିମ୍ ଯାଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବ ବୋଲି ଗଜପତି ମହାରାଜ ପ୍ରକାଶ କରିଛନ୍ତି ।

ଏହା ପୂର୍ବରୁ ୨୪ ଅକ୍ଟୋବର ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଗଜପତି ଦିବ୍ୟସିଂହ ଦେବ । ୩ ଦିନ ପୂର୍ବରୁ ଇସ୍କନକୁ ୧୨୫ ପୃଷ୍ଠାର ଚିଠି ଲେଖିଥିଲେ ପୁରୀ ଗଜପତି ମହାରାଜ । ଗତବର୍ଷ ମାର୍ଚ୍ଚ ମାସ ୨୦ ତାରିଖରେ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଇସ୍କନ ଏବଂ ଶ୍ରୀମନ୍ଦିର ପ୍ରଶାସନ ସହିତ ବିଦ୍ବାନ ପଣ୍ଡିତ ମାନଙ୍କ ବୈଠକ ବସିଥିଲା । ସେପ୍ଟେମ୍ବର ୨୦୨୫ରେ ଇସ୍କନ ନିଜର ପକ୍ଷ ରଖିଥିଲା । ବିଭିନ୍ନ ପରିସ୍ଥିତି ପାଇଁ ଇସ୍କନ ଅ-ତିଥିରେ ରଥଯାତ୍ରା କରୁଛି ବୋଲି କହିଥିଲା । ଇସ୍କନର ସମସ୍ତ ମନ୍ଦିରରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଏହା ସହିତ ବିଦେଶର ୨୪୭ ସ୍ଥାନରେ ଆଷାଢ଼ ଶୁକ୍ଲପକ୍ଷ ଦ୍ବିତୀୟା ତିଥିରୁ ୯ ଦିନ ଭିତରେ ରଥଯାତ୍ରା ଆୟୋଜନର ଭରସା ମଧ୍ୟ ଦେଇଥିଲା । ଏବେ ଅଦିନରେ ରଥଯାତ୍ରା ଆୟୋଜନ କରୁଥିବାରୁ ଗଜପତି ମହାରାଜ ପ୍ରତିଶ୍ରୁତିକୁ ମନେ ପକାଇ ଦେଇଛନ୍ତି ।

ଅଧିକ ପଢନ୍ତୁ- ପାଠ୍ୟପୁସ୍ତକ ତ୍ରୁଟି ଘଟଣା : ଯାଞ୍ଚ ବିନା ଏନ୍‌ସିଇଆର୍‌ଟି ବହିରୁ ସିଧା କପି, ଯୋରନ୍ଦା ମେଳା ଚିତ୍ର ସ୍ଥାନରେ ସୁରଜକୁଣ୍ଡ ମେଳା

ଏବେ କିନ୍ତୁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଇସ୍କନ ଅତିଥିରେ ସ୍ନାନଯାତ୍ରା ଆୟୋଜନ କରିଥିବା ବେଳେ ସେହିପରି ଅଦିନିଆ ରଥଯାତ୍ରା ଆୟୋଜନ କରିଚାଲିଛି । ସେହିପରି ମଧ୍ୟପ୍ରଦେଶର ୬୬ଟି ସ୍ଥାନରେ ଇସ୍କନ ୧୬ରୁ ୨୫ ତାରିଖ ଯାଏଁ ରଥଯାତ୍ରା ଆୟୋଜନ କରିବାକୁ ଘୋଷଣା କରିଛି । ତେବେ ନବଦିନାତ୍ମକ ପରେ ରଥଯାତ୍ରା ଆୟୋଜନ କରିବା ବିଧି ସଙ୍ଗତ ନୁହେଁ । ତେଣୁ ଗଜପତି ମହାରାଜ ଆଉ ଥରେ ଇସ୍କନକୁ ଅବଗତ କରିଛନ୍ତି । ୧୬ରୁ ୨୪ ତାରିଖରେ ଦେଶ ବିଦେଶରେ ରଥଯାତ୍ରା ଆୟୋଜନ କରିବାକୁ କହିଛନ୍ତି ।