ପୁରୀ, ୧୭/୦୬:  ପରଲୋକରେ ଶ୍ରୀକ୍ଷେତ୍ରର ଥାଟ ରାଜା ତଥା ମହାପ୍ରଭୁଙ୍କ ଆଦ୍ୟ  ସେବକ ଗଜପତି ଦିବ୍ୟସିଂହ ଦେବଙ୍କ  ସାନ ଭାଇ ରଣାର୍ଣ୍ଣବ ଦେବ । ୬୭  ବର୍ଷ ବୟସରେ ତାଙ୍କର ମୃତ୍ୟୁ  ହୋଇଛି । ଏହି ଘଟଣା ଶ୍ରୀନଅରରେ ଶୋକର ଛାୟା ଖେଳାଇ ଦେଇଛି ।  ଲିଭର ସିରୋସିସ୍‌ରେ ଆକ୍ରାନ୍ତ ଥିବା  ବେଳେ ହଠାତ୍‌ ହୃଦଘାତ୍‌ରେ ତାଙ୍କର  ପରଲୋକ ହୋଇଛି । ଶ୍ରୀନଅର ପକ୍ଷରୁ ରାଜକୀୟ ପରମ୍ପରା ଅନୁଯାୟୀ ତାଙ୍କର ଗୁପ୍ତ ଦାହ ସଂସ୍କାର ହୋଇଛି । 

ପରମ୍ପରା ଅନୁଯାୟୀ ରାଜାଙ୍କ ଶରୀର ସମ୍ପୂର୍ଣ୍ଣ ଭାବରେ ଢଙ୍କା ଯାଇଥିଲା । ଶରୀରର କୌଣସି ଅଙ୍ଗ ବାହାରକୁ ଦେଖାଯାଇନଥିଲା । ଶରୀର ଉପରେ ଚନ୍ଦନ କାଠ ଦେଇ ଆଚ୍ଛାଦିତ କରାଯାଇଥିଲା । ସ୍ୱର୍ଗଦ୍ୱାରଠାରେ ତାଙ୍କର ଦାହ ସଂସ୍କାର ହୋଇଥିଲା । ଏହି ସମୟରେ ରାଜ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ପୁଅ ଦେବରାଜ ଦେବ ମୁଖାଗ୍ନି ଦେଇଥିଲେ । ଦେଉଳ କରଣ, ତଢ଼ଉ  କରଣମାନେ ରାଜା ଘର ଏହି ଶୁଦ୍ଧିକ୍ରିୟା କରାଇଥିଲେ । 

ତେବେ ଏହି ଘଟଣା ମହାପ୍ରଭୁଙ୍କ ନୀତିକାନ୍ତି  ତଥା ରଥଯାତ୍ରାରେ କୌଣସି ବ୍ୟାଘାତ କରିବ ନାହିଁ । ମହାପ୍ରଭୁଙ୍କ ଆଦ୍ୟ ସେବକ ଓ ଶ୍ରୀନଅର ପରମ୍ପରା ଅନୁସାରେ ରାଜା ଘରେ ଅନ୍ୟ ପରିବାର ସଦସ୍ୟଙ୍କ ମୃତ୍ୟୁ ହେଲେ ବି ଗଜପତି ଅଶୌଚ ହୁଅନ୍ତି ନାହିଁ । ତାଙ୍କ ପିତୃ ବିୟୋଗ ପରେ ମଧ୍ୟ ସେ ଅଶୌଚ ହୋଇନଥିଲେ । ସେ ବାଳକ ଅବସ୍ଥାରେ ଥିଲା ବେଳେ ତାଙ୍କୁ ତତକ୍ଷଣାତ୍‌  ରାଜା ଅଭିଷିକ୍ତ କରାଯାଇଥିଲା । ରାଜ୍ୟର ଅତିଥି ଭାବରେ ପିତାଙ୍କ ସତ୍କାର କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଯେତେବେଳେ କି ମହାପ୍ରଭୁଙ୍କ କୌଣସି କାର୍ଯ୍ୟରେ ଗଜପତି ଅନୁପସ୍ଥିତ ରହିଲେ ମୁଦିରସ୍ତ କାମ ଚଳାନ୍ତି । ଗଜପତି ବୀରକିଶୋର ଦେବଙ୍କ ଦୁଇ ପୁଅ ଓ ଗୋଟିଏ  ଝିଅ ଥିଲେ । ଯାହାଙ୍କ ଭିତରେ ଗଜପତି ଦିବ୍ୟସିଂହ ଦେବ ବଡ଼  ଓ ଥାଟ ରାଜ ସାନ । ଥାଟ ରାଜା ବେଶ ଶାନ୍ତ ଓ ସରଳ ଥିଲେ ।  ତାଙ୍କ ନିଧନରେ ପରିବାର ଲୋକେ ଶୋକ ପ୍ରକାଶ କରିଛନ୍ତି ।