ଫିରିଙ୍ଗିଆ, ୩୦/୭ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡ଼ି ପଞ୍ଚାୟତ ଭୃଙ୍ଗି ଯୋଡି ଗାଁର ଗଣେଶ କହଁର (୩୪)ଙ୍କ ଗତ ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡି ପଡିବାରୁ ବହୁ ଅସୁବିଧାରେ ଜରି ପାଲ ଟାଣି ବଡ଼ କଷ୍ଟରେ ଜୀବନ ବିତାଉଛନ୍ତି l ଗଣେଶଙ୍କ ପରିବାର କହିଲେ ଗଣେଶ ଓ ମା’ ରହୁଥିଲେ । ଗତ ୧ବର୍ଷ ହେବ ମା’ଙ୍କ ଦେହାନ୍ତ ପରେ ଭଙ୍ଗା ଦଦରା ଘରେ ଗଣେଶ ଯେଣେ ତେଣେ ପ୍ରକାରେ ଏକୁଟିଆ ଚଳି ଆସୁଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଗତ ଲଗାଣ ବର୍ଷାରେ ବର୍ଷା ଲାଗି ରହିବାରୁ ଘରର ଗୋଟିଏ କାନ୍ଥ ଭାଙ୍ଗି ଯାଇଥିବାବେଳେ ଘରେ ନ ଥିବାରୁ ଜୀବନ ବଞ୍ଚି ଯାଇଛି l
ବର୍ତ୍ତମାନ ଏକୁଟିଆ ଥିବାବେଳେ ଘର କାନ୍ଥ ଭାଙ୍ଗିଯିବାରୁ ସରକାରଙ୍କ ଦ୍ୱାରା କୌଣସି ସାହାଯ୍ୟ କିମ୍ବା ସହାୟତା ପାଇନାହାନ୍ତି ଗଣେଶ l ବଡ଼ କଷ୍ଟରେ ପାଲ ଖଣ୍ଡିଏ କିଣି ଘରେ ଘୋଡ଼ାଇ ଅସହାୟ ଅବସ୍ଥାରେ ଚଳୁଛନ୍ତି l ଗୋଟାଏ ପଟେ ଘର କାଳେ ଭାଙ୍ଗିଯିବା ଭୟ ଓ ଅନ୍ୟପଟେ ଅଭାବୀ ଗଣେଶଙ୍କୁ ଅସହାୟ କରି ପକାଇଛି l ପୂର୍ବରୁ ମା’ ଥିବା ସମୟରୁ ଆବାସ ଗୃହ ଖଣ୍ଡିଏ ଯୋଗାଇଦେବାକୁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଘର ଖଣ୍ଡିଏ ମିଳି ପାରିନାହିଁ l ଅସହାୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବା ସହ ତୁରନ୍ତ ଆବାସ ଘର ଖଣ୍ଡିଏ ଯୋଗାଇ ଦେବାକୁ ନିଜେ ଗଣେଶ କହଁର ଓ ଗ୍ରାମବାସୀ ଦାବି କରିଛନ୍ତି l