ଭୁବନେଶ୍ୱର,୦୭/୧୨: ବହୁଳ ଲୋକପ୍ରିୟ ୱେବ୍‌ସିରିଜ୍‌ ତଥା ‘ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ’ର ବହୁ  ପ୍ରତୀକ୍ଷିତ ସିକ୍ୱେଲ୍‌ ‘ଗ୍ୟାଙ୍ଗସ୍‌ ଅଫ୍‌  ପୁରୀର ସିଜିନ୍‌-୨’ ଆସୁଛି । ଯାହାର  ମହୁରତ୍‌ ଶୁକ୍ରବାର ସିଆର୍‌ପି ଛକ ସ୍ଥିତ  ସଙ୍କଟମୋଚନ ହନୁମାନ ମନ୍ଦିରରେ  ଅନୁଷ୍ଠିତ ହୋଇଯାଇଛି । ଆଜିକା ସମୟର ଚର୍ଚ୍ଚିତ ପ୍ରଯୋଜନା ସଂସ୍ଥା ଟେକ୍ନୋଆର୍ଟ  ପ୍ରଡକ୍ସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଏହାର ନିର୍ମାଣ ହେଉଥିବା ବେଳେ  କଞ୍ଚା ଲଙ୍କା ଓଟିଟିରେ ପ୍ରିମିୟର୍‌ ହେବ ବୋଲି ସୂଚନା ମିଳିଛି । ଜାତୀୟ  ପୁରସ୍କାରପ୍ରାପ୍ତ ପ୍ରତିଭାବାନ ନିର୍ମାତା  ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ  ଏହାର ନିର୍ମାଣ ହେଉଛି । 

ପ୍ରଥମ ସିଜିନ୍‌  ଠାରୁ ଏହା ଆହୁରି ରୋମାଞ୍ଚକର ହେବ ।  ପ୍ରଥମ ସିଜିନ୍‌ ଏହାର ବାସ୍ତବବାଦୀ କାହାଣୀ, ଚମତ୍କାର ଅଭିନୟ ଏବଂ ଚିତ୍ତାକର୍ଷକ ଚିତ୍ରଗ୍ରହଣ ସାଙ୍ଗକୁ ପୁରୀର ଜଟିଳ ସାମାଜିକ-ରାଜନୈତିକ ଦୃଶ୍ୟପଟ୍ଟର ପ୍ରାମାଣିକ ଚିତ୍ରଣ ପାଇଁ ଏହା ଦର୍ଶକ ଓ ସମାଲୋଚକଙ୍କ ପ୍ରଶଂସା  ସାଉଁଟିଥିଲା । ରଙ୍ଗୀନ ଦୁନିଆରେ ହଇଚଇ ସୃଷ୍ଟି ସହ ବେଶ୍‌ ଚର୍ଚ୍ଚାରେ ରହିଥିଲା ଏବଂ ଏକ ମାଇଲଖୁଣ୍ଟ ସ୍ଥାପନ  କରିଥିଲା । ଏବେ ସିଜିନ୍‌-୨ରେ ସେମିତି  କିଛି ଘଟିବ । ୱେବ୍‌ସିରିଜ୍‌କୁ ସମସ୍ତ  ଦିଗରୁ ବଳିଷ୍ଠ କରିବାକୁ ଚେଷ୍ଟା କରାଯିବ  ବୋଲି ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ  କହିଛନ୍ତି । ଏହାର ସୁଟିଂ ୧୧ ଡିସେମ୍ବର  ୨୦୨୪ରୁ ଆରମ୍ଭ ହେବ । ଆସନ୍ତା ବର୍ଷ  ୨୦୨୫, ମାର୍ଚ୍ଚ ମାସ ସୁଦ୍ଧା ଓଟିଟିରେ ଷ୍ଟ୍ରିମିଂ  ହେବ ବୋଲି ଟେକ୍ନୋଆର୍ଟ ପ୍ରଡକ୍ସନ୍ସ  ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶିକା ବର୍ଷା  ପଟ୍ଟନାୟକ କହିଛନ୍ତି । 

ବଡ଼ କଥା ହେଲା  କି, ପ୍ରଥମ ସିଜିନ୍‌ରେ ଅଭିନୟ କରିଥିବା କଳାକାର ଚୌଧୁରୀ ଜୟପ୍ରକାଶ ଦାସ,  ରବି ନାରାୟଣ ମିଶ୍ର, କେକେ, ଅମନ, ହର ରଥ, ଭକ୍ତିଙ୍କ ସହ ସିଜିନ୍‌-୨  ପାଇଁ ଯୋଡ଼ି ହେଇଛନ୍ତି ଦୀପନ୍ୱିତ ଦାଶ ମହାପାତ୍ର, ନିଶାନ୍ତ ମାଜିଥିଆ, ସୋମା  ହୋତା, ପ୍ରିୟମ୍ବଦା ଓ ମନ୍ମୟ ଦେ ।  

ମହୁରତ୍‌ ଅବସରରେ ପ୍ରଥମ ସିଜିନ୍‌ର  ସଫଳତା ଉପରେ ଆଲୋକପାତ କରି  ପ୍ରଯୋଜକ ଅକ୍ଷୟ କୁମାର ପରିଜା କହିଥିଲେ, "ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ’  ଓଡ଼ିଆ ଡିଜିଟାଲ୍‌ କାହାଣୀ ବା ୱେବ୍‌ସିରିଜ୍‌  କ୍ଷେତ୍ରରେ ଏକ କୀର୍ତ୍ତିମାନ ସ୍ଥାପନ  କରିଛି । ଆଶା, ସିଜିନ୍‌-୨ ଆହୁରି ଅଧିକ  ଭଲ ହେବ । ଡ୍ରାମା ଓ ଷ୍ଟାର୍‌ ପର୍‌ଫର୍‌ମାନ୍ସ  ସହ ଓଡ଼ିଆ ଗଳ୍ପକୁ ବିଶ୍ୱସ୍ତରରେ  ପହଞ୍ଚାଇବା ପାଇଁ ଆମର ପ୍ରତିବଦ୍ଧତାକୁ  ପ୍ରଦର୍ଶିତ କରିବ । ୱେବ୍‌ସିରିଜ୍‌ ପ୍ରେମୀଙ୍କୁ  କିଛି ନୂଆ ଭେଟି ଦେବ । ଦର୍ଶକ  ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି ପାଇବେ ।