ଭୋପାଳ,୧୨/୦୧: ପ୍ରାୟ ୨୦ ବର୍ଷ ଧରି ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ଅପରାଧୀ ଆବିଦ ଅଲି ଓରଫ ରାଜୁ ଇରାନୀ ଓରଫ ରହମାନ ଡକାୟତକୁ ଗୁଜରାଟ ପୁଲିସ ଗିରଫ କରିଛି । ଭୋପାଳର କୁଖ୍ୟାତ ଇରାନୀ ଡେରା ନାମରେ ପୁରା ଦେଶରେ ନେଟୱାର୍କ ଚଳାଇଥିବା ଏହି ଗ୍ୟାଙ୍ଗଷ୍ଟର ୧୪ ରାଜ୍ୟରେ ସକ୍ରିୟ ଥିଲା । ରହମାନ ଥିଲା ଏହି ଗ୍ୟାଙ୍ଗର ମୁଖ୍ୟ । ସୁରଟର ଲାଲଗେଟ୍ ଅଞ୍ଚଳରେ କୌଣସି ଅପରାଧ ଘଟାଇବା ଲାଗି ସେ ରହିଥିବା ଜଣାପଡିବା ପରେ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି ।

କ୍ରାଇମ ବ୍ରାଞ୍ଚର ତଥ୍ୟ ଅନୁସାରେ ଗତ ୨୦ ବର୍ଷ ହେଲା ସେ ନିଜକୁ ସିବିଆଇ ଅଧିକାରୀ ଓ ସାଧୁ ବୋଲି ପରିଚୟ ଦେଇ ଲୁଟ, ଜାଲିଆତି, ହିଂସାକାଣ୍ଡ ଓ ଜୀବନ୍ତ ଜଳାଇବା ଭଳି ଜଘନ୍ୟ ଅପରାଧ ଘଟାଇ ଆସିଥିଲା । ମହାରାଷ୍ଟ୍ରରେ ତା ବିରୋଧରେ ମକୋକା ଭଳି କଠୋର ଆଇନ ମଧ୍ୟ ଲାଗୁ ହୋଇଛି । ଅଭିଯୁକ୍ତ ରହମାନ ଭୋପାଳ ଅମନ କଲୋନୀରେ ଗତ ୧୩-୧୪ ବର୍ଷ ହେଲା ରହୁଥିଲା । ବିଭିନ୍ନ ରାଜ୍ୟରେ ୬ଟି ଅପରାଧୀକ ନେଟୱାର୍କ ସେ ଚଳାଉଥିଲା । ସମ୍ପୃକ୍ତ ଅଞ୍ଚଳରେ ସେ ଡନ୍ ଭଳି ଜୀବନ ଜୀଉଁଥିଲା । ଲୁଟ ଅର୍ଥରେ ବିଳାସପୂର୍ଣ୍ଣ କାର୍, ସ୍ପୋର୍ଟସ ବାଇକ୍ ଓ ଘୋଡା ମଧ୍ୟ କିଣୁଥିବା ତଦନ୍ତରୁ ଜଣାପଡିଛି।