କଟକ, ୧୮/୧୧: ମୋତେ ପୁଲିସ  ଖୋଜୁଛି । ଫେକ୍‌ ଏନ୍‌କାଉଣ୍ଟର କରିଦେବ । ଏଭଳି କହି ଭିଡିଓ ଛାଡ଼ୁଥିବା ଗ୍ୟାଙ୍ଗ୍‌ଷ୍ଟର୍‌  ସକିଲ୍‌ ଉପରେ ପୁଲିସର ସନ୍ଦେହ ବଢ଼ୁଛି । ଭିଡିଓ କରି ପୁଲିସକୁ କାଠଗଡ଼ାରେ ଛିଡ଼ାକରି ଲୋକଙ୍କ ସହାନୁଭୂତି ଚାହୁଁଥିବା ସକିଲ୍‌ କିଛି  ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବା ପୁଲିସ ଆଶଙ୍କା କରୁଛି । ପୁଲିସର ଏହି  ଆଶଙ୍କାକୁ ବଳ ଦେଉଛି ତାର ଗତିବିଧି । ଗତ  ୪ ସପ୍ତାହ ଅର୍ଥାତ୍‌ ମାସେ ହେଲା ସକିଲ୍‌ ଥାନାରେ ଆସି ହାଜିରା ଦେଇନି । ଗୁଣ୍ଡା ପରେଡ୍‌ରେ ଛିଡ଼ା ହେଉନି । ଖାଲି ସେତିକି ନୁହେଁ ନିଜର  ସ୍ଥିତି ନେଇ ପୁଲିସକୁ କିଛି ଖବର ଦେଉନି । 

ଗ୍ୟାଙ୍ଗ୍‌ଷ୍ଟର୍‌ ସକିଲ୍‌ ନାଁରେ ମାଳମାଳ ମାମଲା । ଦାଦାବଟି ଆଦାୟଠାରୁ ଆରମ୍ଭ କରି ବୋମାମାଡ଼, ବେଆଇନ ବନ୍ଧୁକ ରଖିବା ଓ ହତ୍ୟା ଉଦ୍ୟମ  ଭଳି ସଂଗୀନ ମାମଲା ରହିଛି । ଏପରି ସ୍ଥିତିରେ  ସକିଲ୍‌କୁ ଗତ ୨୦୨୨ ନଭେମ୍ବର ୧୬ ତାରିଖରେ  କମିସନରେଟ୍‌ ପୁଲିସ ପକ୍ଷରୁ ତଡ଼ିପାର କରାଗଲା । ପ୍ରାୟ ୬ ମାସ ସେ ତଡ଼ିପାର କାଟି ପୁଣି କଟକ ଫେରିଲା । ମାତ୍ର ତାର ଅପରାଧିକ  କାର୍ଯ୍ୟକଳାପ କମିନଥିଲା। ଏହା ମଧ୍ୟରେ ସକିଲ୍‌  ନାଁରେ ପୁଣି ୬ଟି ଠକେଇ ମାମଲା ଯୋଡ଼ିହେଲା ।  ଜଣେ ତାନ୍ତ୍ରିକ ସହିତ ମିଶି ଲୋକଙ୍କୁ ଠକିବା ଘଟଣାରେ ମଙ୍ଗଳାବାଗ ଥାନା ଓ ସଦର ଥାନା  ଗିରଫ କଲା । ଜେଲ୍‌ରୁ ଫେରିବା ପରେ ଏକ  ବାଲିଘାଟ ମାଲିକଙ୍କୁ ଧମକ ଦେବା ଘଟଣାରେ ସକିଲ ପୁଣି ଗିରଫ ହେଲା । ଏହି ମାମଲାରେ  ବେଲ୍‌ରେ ଆସି ସେ ତାର କେଶରପୁର ଘରେ ରହୁଥିଲା । ମାତ୍ର ଗତ ମାସେ ହେବ ସକିଲର ଗତିବିଧିକୁ ନେଇ ପୁଲିସର ସନ୍ଦେହ ବଢ଼ିଛି । 

ପେସାଦାର ଅପରାଧୀଙ୍କୁ ପ୍ରତି ରବିବାର ସ୍ଥାନୀୟ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ  ରହିଛି । ଏହି କ୍ରମରେ ସକିଲ୍‌ ମଧ୍ୟ ମଙ୍ଗଳାବାଗ ଥାନାରେ ଏଭଳି ହାଜିରା ଦେଉଥିଲା । ହେଲେ  ପ୍ରାୟ ୪ ସପ୍ତାହରୁ ଅଧିକ ସମୟ ହେବ ସେ  ଥାନାକୁ ଆସି ହାଜିରା ଦେଉନି । ଥାନାରେ ହାଜିରା  ନଦେଲେ ଅର୍ଥାତ୍‌ ‘ଗୁଣ୍ଡା ପରେଡ୍‌’ରେ ଆସି  ଛିଡ଼ା ନହେଲେ ରହିଥିବା ନିୟମ ଅନୁସାରେ  ପୁଲିସ ତାର ସ୍ଥିତି ଜାଣିବାକୁ ଉଦ୍ୟମ କରିବ ।  ଫୋନ୍‌ କରିବ ନଠାଇଲେ ଘରେ ଖୋଜିବ ।  ତେବେ ସକିଲ୍‌ ମାସେରୁ ଅଧିକ ସମୟ ଗାଏବ  ରହିବା ପରେ ପୁଲିସ ତାକୁ ଖୋଜିବାକୁ ଲାଗିଲା ।  ଏକାଧିକ ଥର ଥାନା ଗାଡ଼ିଯାଇ ଘରେ ତାଗିଦ୍‌  କରି ଆସିଲା । କିନ୍ତୁ ସେ ଥାନାକୁ ନଆସି ହଠାତ୍‌  ଏକ ଭିଡିଓ କରି ‘ପୁଲିସ ମୋତେ ଫେକ୍‌  ଏନ୍‌କାଉଣ୍ଟର’ କରିବ ବୋଲି କହି ସୋସିଆଲ୍‌  ମିଡିଆରେ ଛାଡ଼ିଲା । ତେବେ ଥାନାରେ ହାଜିରା  ନଦେଇ, ମିଛରେ ପୁଲିସ ଏନ୍‌କାଉଣ୍ଟ କରିବ  ବୋଲି ଭିଡିଓରେ ନାଟକ କରିବା ପଛରେ ସକିଲ୍‌ର  ମନ୍ଦ ଉଦ୍ଦେଶ୍ୟ ରହିଥିବା ପୁଲିସ ଆଶଙ୍କା କରୁଛି ।  

ଗତ କିଛିଦିନ ହେବ କେଶରପୁର ଅଞ୍ଚଳରେ ପୁଣି  ଏକ ଜମି ମାଲିକଠାରୁ ବଟି ମାଗିଥିବା ପୁଲିସ  ଖବର ପାଉଛି । ଗୁରତ୍ୱପୂର୍ଣ୍ଣ ହେଉଛି, ସକିଲ୍‌ର  ପରିବାର ରହିଥିଲେ ମଧ୍ୟ ସେ ପରିବାର ପୋଷଣ  ପାଇଁ କୌଣସି ବ୍ୟବସାୟ ବା ଚାକିରି କରୁନି ।  ତେଣୁ ନିଶ୍ଚିତଭାବେ ସେ ତାର ଅପରାଧିକ  କାର୍ଯ୍ୟକଳାପରେ ଟଙ୍କା ଆଣୁଥିବା ପୁଲିସ କହିଛି । ତାର ଏକାଧିକ ଠିକଣା ପୁଲିସ ଖୋଜିସାରିଲାଣି ।  ଏପରିକି ସେ ସୋସିଆଲ୍‌ ମିଡିଆରେ ପୁଲିସକୁ  ଚ୍ୟାଲେଞ୍ଜ କରି ଭିଡିଓ ଛାଡ଼ିବା ବେଳେ ମଧ୍ୟ  ତାର ଲୋକେସନ୍‌ ଜଣାପଡ଼ିନି । ତେବେ  ସକିଲ୍‌ ଆଗୁଆ ଫେକ୍‌ ଏନ୍‌କାଉଣ୍ଟର କଥା କହି  ପୁଲିସକୁ କାଠଗଡ଼ାରେ ଛିଡ଼ା କରିବା ମଧ୍ୟ ତାର  ମନ୍ଦ ଉଦ୍ଦେଶ୍ୟକୁ ପଦାରେ ପକାଇଥିଲା । ଯାହା  ବି ହେଉ ସକିଲ୍‌-ପୁଲିସ ମଧ୍ୟରେ ଚାଲିଥିବା  ଏହି ଛକାପଞ୍ଝା ନିଶ୍ଚିତ ଏକ ବିସ୍ଫୋରକ  ରୂପ ନେବ ବୋଲି ଆଶଙ୍କା କରାଯାଉଛି ।