କଟକ, ୧୮/୧୧: ମୋତେ ପୁଲିସ ଖୋଜୁଛି । ଫେକ୍ ଏନ୍କାଉଣ୍ଟର କରିଦେବ । ଏଭଳି କହି ଭିଡିଓ ଛାଡ଼ୁଥିବା ଗ୍ୟାଙ୍ଗ୍ଷ୍ଟର୍ ସକିଲ୍ ଉପରେ ପୁଲିସର ସନ୍ଦେହ ବଢ଼ୁଛି । ଭିଡିଓ କରି ପୁଲିସକୁ କାଠଗଡ଼ାରେ ଛିଡ଼ାକରି ଲୋକଙ୍କ ସହାନୁଭୂତି ଚାହୁଁଥିବା ସକିଲ୍ କିଛି ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବା ପୁଲିସ ଆଶଙ୍କା କରୁଛି । ପୁଲିସର ଏହି ଆଶଙ୍କାକୁ ବଳ ଦେଉଛି ତାର ଗତିବିଧି । ଗତ ୪ ସପ୍ତାହ ଅର୍ଥାତ୍ ମାସେ ହେଲା ସକିଲ୍ ଥାନାରେ ଆସି ହାଜିରା ଦେଇନି । ଗୁଣ୍ଡା ପରେଡ୍ରେ ଛିଡ଼ା ହେଉନି । ଖାଲି ସେତିକି ନୁହେଁ ନିଜର ସ୍ଥିତି ନେଇ ପୁଲିସକୁ କିଛି ଖବର ଦେଉନି ।
ଗ୍ୟାଙ୍ଗ୍ଷ୍ଟର୍ ସକିଲ୍ ନାଁରେ ମାଳମାଳ ମାମଲା । ଦାଦାବଟି ଆଦାୟଠାରୁ ଆରମ୍ଭ କରି ବୋମାମାଡ଼, ବେଆଇନ ବନ୍ଧୁକ ରଖିବା ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ମାମଲା ରହିଛି । ଏପରି ସ୍ଥିତିରେ ସକିଲ୍କୁ ଗତ ୨୦୨୨ ନଭେମ୍ବର ୧୬ ତାରିଖରେ କମିସନରେଟ୍ ପୁଲିସ ପକ୍ଷରୁ ତଡ଼ିପାର କରାଗଲା । ପ୍ରାୟ ୬ ମାସ ସେ ତଡ଼ିପାର କାଟି ପୁଣି କଟକ ଫେରିଲା । ମାତ୍ର ତାର ଅପରାଧିକ କାର୍ଯ୍ୟକଳାପ କମିନଥିଲା। ଏହା ମଧ୍ୟରେ ସକିଲ୍ ନାଁରେ ପୁଣି ୬ଟି ଠକେଇ ମାମଲା ଯୋଡ଼ିହେଲା । ଜଣେ ତାନ୍ତ୍ରିକ ସହିତ ମିଶି ଲୋକଙ୍କୁ ଠକିବା ଘଟଣାରେ ମଙ୍ଗଳାବାଗ ଥାନା ଓ ସଦର ଥାନା ଗିରଫ କଲା । ଜେଲ୍ରୁ ଫେରିବା ପରେ ଏକ ବାଲିଘାଟ ମାଲିକଙ୍କୁ ଧମକ ଦେବା ଘଟଣାରେ ସକିଲ ପୁଣି ଗିରଫ ହେଲା । ଏହି ମାମଲାରେ ବେଲ୍ରେ ଆସି ସେ ତାର କେଶରପୁର ଘରେ ରହୁଥିଲା । ମାତ୍ର ଗତ ମାସେ ହେବ ସକିଲର ଗତିବିଧିକୁ ନେଇ ପୁଲିସର ସନ୍ଦେହ ବଢ଼ିଛି ।
ପେସାଦାର ଅପରାଧୀଙ୍କୁ ପ୍ରତି ରବିବାର ସ୍ଥାନୀୟ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଏହି କ୍ରମରେ ସକିଲ୍ ମଧ୍ୟ ମଙ୍ଗଳାବାଗ ଥାନାରେ ଏଭଳି ହାଜିରା ଦେଉଥିଲା । ହେଲେ ପ୍ରାୟ ୪ ସପ୍ତାହରୁ ଅଧିକ ସମୟ ହେବ ସେ ଥାନାକୁ ଆସି ହାଜିରା ଦେଉନି । ଥାନାରେ ହାଜିରା ନଦେଲେ ଅର୍ଥାତ୍ ‘ଗୁଣ୍ଡା ପରେଡ୍’ରେ ଆସି ଛିଡ଼ା ନହେଲେ ରହିଥିବା ନିୟମ ଅନୁସାରେ ପୁଲିସ ତାର ସ୍ଥିତି ଜାଣିବାକୁ ଉଦ୍ୟମ କରିବ । ଫୋନ୍ କରିବ ନଠାଇଲେ ଘରେ ଖୋଜିବ । ତେବେ ସକିଲ୍ ମାସେରୁ ଅଧିକ ସମୟ ଗାଏବ ରହିବା ପରେ ପୁଲିସ ତାକୁ ଖୋଜିବାକୁ ଲାଗିଲା । ଏକାଧିକ ଥର ଥାନା ଗାଡ଼ିଯାଇ ଘରେ ତାଗିଦ୍ କରି ଆସିଲା । କିନ୍ତୁ ସେ ଥାନାକୁ ନଆସି ହଠାତ୍ ଏକ ଭିଡିଓ କରି ‘ପୁଲିସ ମୋତେ ଫେକ୍ ଏନ୍କାଉଣ୍ଟର’ କରିବ ବୋଲି କହି ସୋସିଆଲ୍ ମିଡିଆରେ ଛାଡ଼ିଲା । ତେବେ ଥାନାରେ ହାଜିରା ନଦେଇ, ମିଛରେ ପୁଲିସ ଏନ୍କାଉଣ୍ଟ କରିବ ବୋଲି ଭିଡିଓରେ ନାଟକ କରିବା ପଛରେ ସକିଲ୍ର ମନ୍ଦ ଉଦ୍ଦେଶ୍ୟ ରହିଥିବା ପୁଲିସ ଆଶଙ୍କା କରୁଛି ।
ଗତ କିଛିଦିନ ହେବ କେଶରପୁର ଅଞ୍ଚଳରେ ପୁଣି ଏକ ଜମି ମାଲିକଠାରୁ ବଟି ମାଗିଥିବା ପୁଲିସ ଖବର ପାଉଛି । ଗୁରତ୍ୱପୂର୍ଣ୍ଣ ହେଉଛି, ସକିଲ୍ର ପରିବାର ରହିଥିଲେ ମଧ୍ୟ ସେ ପରିବାର ପୋଷଣ ପାଇଁ କୌଣସି ବ୍ୟବସାୟ ବା ଚାକିରି କରୁନି । ତେଣୁ ନିଶ୍ଚିତଭାବେ ସେ ତାର ଅପରାଧିକ କାର୍ଯ୍ୟକଳାପରେ ଟଙ୍କା ଆଣୁଥିବା ପୁଲିସ କହିଛି । ତାର ଏକାଧିକ ଠିକଣା ପୁଲିସ ଖୋଜିସାରିଲାଣି । ଏପରିକି ସେ ସୋସିଆଲ୍ ମିଡିଆରେ ପୁଲିସକୁ ଚ୍ୟାଲେଞ୍ଜ କରି ଭିଡିଓ ଛାଡ଼ିବା ବେଳେ ମଧ୍ୟ ତାର ଲୋକେସନ୍ ଜଣାପଡ଼ିନି । ତେବେ ସକିଲ୍ ଆଗୁଆ ଫେକ୍ ଏନ୍କାଉଣ୍ଟର କଥା କହି ପୁଲିସକୁ କାଠଗଡ଼ାରେ ଛିଡ଼ା କରିବା ମଧ୍ୟ ତାର ମନ୍ଦ ଉଦ୍ଦେଶ୍ୟକୁ ପଦାରେ ପକାଇଥିଲା । ଯାହା ବି ହେଉ ସକିଲ୍-ପୁଲିସ ମଧ୍ୟରେ ଚାଲିଥିବା ଏହି ଛକାପଞ୍ଝା ନିଶ୍ଚିତ ଏକ ବିସ୍ଫୋରକ ରୂପ ନେବ ବୋଲି ଆଶଙ୍କା କରାଯାଉଛି ।