ଭୁବନେଶ୍ୱର,୧୮/୬: ବଦଳିଯିବ ଗଙ୍ଗୁଆର ଚେହେରା। ଦୂଷିତ କଳା ପାଣିରୁ ଆଉ ଆସିବନି ଦୁର୍ଗନ୍ଧ । ଗଙ୍ଗୁଆର ଚାରିପାଖର ସୌନ୍ଦର୍ଯୀକରଣ ହେବ । ରାଜଧାନୀ ଦେଇ ବୋହି ଯାଇଥିବା ଏ ନାଳର କୂଳେ କୂଳେ ଫୁଲ ଗଛ ଲାଗିବ। ଭାସିଆସିବ ତାଜା ଫୁଲର ମହକ । ସୌନ୍ଦର୍ଯ୍ୟ ଓ ସୁଗନ୍ଧ ଉପଭୋଗ କରିବାକୁ ହେବ ଆଖି ଝଲସା ନବୀକରଣ । ରାଜସ୍ଥାନ ଜୟପୁର ସହରର ଦ୍ରବ୍ୟବତୀ ନଦୀ ମଡେଲରେ ଗଙ୍ଗୁଆର ବିକାଶ ପାଇଁ ଏମିତି ନୀଳ ନକ୍ସା ଆଙ୍କିଛନ୍ତି ରାଜ୍ୟ ସରକାର । ଶେଷ ନିଃଶ୍ୱାସ ଗଣୁଥିବା ଗଙ୍ଗୁଆ ନଦୀର ବିକାଶ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଗଙ୍ଗୁଆ ନଦୀର ଉତ୍ପତିସ୍ଥଳରୁ ଶେଷ ପର୍ଯ୍ୟନ୍ତ ରିଭର ଫ୍ରଣ୍ଟ୍ ଯୋଜନାରେ ନକ୍ସା ବଦଳିବ । ପୋତି ହୋଇଯାଇଥିବା ଗଙ୍ଗୁଆକୁ ଖୋଳାଯିବ। ଏହା ଭିତରୁ ଦଳ କଢ଼ାଯାଇ ଏହାର ଚାରିପାଖରେ ଭିତରେ ସମ୍ପୂର୍ଣ୍ଣ କଂକ୍ରିଟ୍ କାନ୍ଥ କରାଯିବ । ପ୍ରାୟ ୩୨ କିମି ଏମିତି କାମ କରିବାକୁ ଯୋଜନା ହୋଇଛି । ବିଡିଏ ଏହି ପ୍ରକଳ୍ପ କରିବ । ଏଥିପାଇଁ ମୋଟ ୧୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଗଙ୍ଗୁଆର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ନିକଟରେ ଜୟପୁର ଯାଇ ଦ୍ରବ୍ୟବତୀ ରିଭରଫ୍ରଣ୍ଟ୍ ପ୍ରକଳ୍ପ ପରିଦର୍ଶନ କରିଛନ୍ତି।
ରାଜଧାନୀ ଭୁବନେଶ୍ୱର ସହର ଭିତରେ ପ୍ରାୟ ୧୬ କିମି ଗଙ୍ଗୁଆ ନଦୀ ପ୍ରବାହିତ ହେଉଛି। ଏହି ନଦୀରେ ଭୁବନେଶ୍ୱରରୁ ବାହାରୁଥିବା ୧୦ ମୁଖ୍ୟ ଡ୍ରେନ୍ ଏବଂ ଶାଖା ଡ୍ରେନ୍ର ବର୍ଜ୍ୟପାଣି ପାଣି ମିଶୁଛି । ଫଳରେ ଗଙ୍ଗୁଆ ପ୍ରଦୂଷଣର ଶେଷ ସୀମାରେ ପହଞ୍ଚିଛି । ଏହାର ପାଣି ସଂପୂର୍ଣ୍ଣ ବିଷାକ୍ତ ହୋଇଛି । ଗଙ୍ଗୁଆର ଏ ଦୂଷିତ ପାଣି ଦୟାରେ ପଡ଼ିବା ପରେ ଏହା ଚିଲିକାକୁ ପ୍ରଭାବିତ କରୁଛି । ଯୋଜନା ଅନୁସାରେ, ରିଭର ପ୍ରଣ୍ଟ୍ ବିକାଶ ଯୋଜନାରେ ବିଏମ୍ସି ଅଞ୍ଚଳରୁ ବାହାରୁଥିବା ବର୍ଜ୍ୟ ଜଳକୁ ବିଶୋଧନ କରାଯିବ । ଏନେଇ ୱାଟ୍କୋ ପକ୍ଷରୁ ଗଙ୍ଗୁଆରେ ୧୦ଟି ସ୍ୱେରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ (ଏସ୍ଟିପି) ନିର୍ମାଣ ହେବ । ଗଙ୍ଗୁଆ ନଦୀ ପାଖରେ ଜାଗା ଚିହ୍ନଟ କରାଯିବ । ଏଠାରେ ଜଳ ବିଶୋଧନ କରାଯିବା ପରେ ପୁଣି ଥରେ ନଦୀକୁ ଛଡ଼ାଯିବ । ପ୍ରାୟ ୧୦୬ ଏମ୍ଏଲ୍ଡି କ୍ଷମତା ବିଶିଷ୍ଟ ଏସ୍ଟିପି ରହିବ । ଫଳରେ ଗଙ୍ଗୁଆ ନଦୀ ଆଉ ପ୍ରଦୂଷିତ ହେବ ନାହିଁ । ଏହାର ପାଣିରୁ ଦୁର୍ଗନ୍ଧ ଆସିବ ନାହିଁ।
ଏହି ରିଭର ଫ୍ରଣ୍ଟ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)କୁ ଜବରଦଖଲ ଉଚ୍ଛେଦ ଦାୟିତ୍ୱ ଦିଆଯାଇଛି । ଗଙ୍ଗୁଆର ଚାରିପାଖରେ ଜବରଦଖଲ ରହିଛି । ଏପରିକି ଜବରଦଖଲ ଜମିକୁ ପୋତି ଉଚ୍ଚ ଅଟ୍ଟାଳିକା ନିର୍ମାଣ ହୋଇଛି । ଏହା ସହ ଗଙ୍ଗୁଆ କୂଳରେ ବସ୍ତି ମଧ୍ୟ ଗଢ଼ି ଉଠିଛି । ଏହି ସବୁ ବସ୍ତି କିପରି ଉଚ୍ଛେଦ କରାଯିବ ଏନେଇ ଗଙ୍ଗୁଆ ସମନ୍ୱୟ କମିଟି (ବିଡିଏ ଅଧ୍ୟକ୍ଷତାରେ) ବୈଠକ ବସିବ । ପ୍ରଥମେ ଜମି ଚିହ୍ନଟ କରାଗଲା ପରେ ଏହାକୁ ଉଚ୍ଛେଦ କରାଯିବ । ସହର ଭିତରେ ରିଭର ଫ୍ରଣ୍ଟର ସୌନ୍ଦର୍ଯୀକରଣ କରାଯିବ । ସହର ଭିତରେ ୫ଟି ସ୍ଥାନ ଚିହ୍ନଟ କରାଯାଇଛି । ଏହି ସବୁ ସ୍ଥାନରେ ପାର୍କ କରାଯିବ । ନୌବିହାରର ମଜା ନେବେ ରାଜଧାନୀବାସୀ । ଏହା ସହ ବସିବା ପାଇଁ ସ୍ଥାନ, ଚଲାପଥ, ସାଇକେଲ ଟ୍ରାକିଂ ଏବଂ ଅନ୍ୟ ଆନୁସଙ୍ଗିକ ସୁବିଧା କରାଯିବ । ପର୍ଯ୍ୟଟନ ବିଭାଗକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯିବ । ଡିପିଆର ପ୍ରସ୍ତୁତ କରିବାକୁ ଟାଟାକୁ ଦାୟିତ୍ୱ ଦିଆଯାଇଛି । ବିଡିଏ ଏବଂ ବିଏମ୍ସି ଏହାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଙ୍ଗୁଆ ଭଳି ଅବିକଳ ସମସ୍ୟା ଜୟପୁର ଦ୍ରବ୍ୟବତୀ ନଦୀରେ ହୋଇଥିଲା । ରିଭର ଫ୍ରଣ୍ଟ୍ ବିକାଶ ପରେ ଦ୍ରବ୍ୟବତୀର କୂଳ ଜୟପୁରବାସୀଙ୍କ ପାଇଁ ଖୁସି ଆଣିଛି ।
ଉଲ୍ଲେଖଯୋଗ୍ୟ, ଚନ୍ଦକା ଜଙ୍ଗଲରୁ ବାହାରିଥିବା ଏହି ପ୍ରାକୃତିକ ନଦୀ ରାଜଧାନୀର ଛାତି ଉପରେ ପ୍ରାୟ ୨୩ କିମି ପର୍ଯ୍ୟନ୍ତ ଲମ୍ବିଛି । ରାଜଧାନୀ ଇଞ୍ଜିନିୟରିଂ କଲେଜ ପାଖରେ ବୁଢ଼ୀ ନାଳ ଦୁଇ ଭାଗ ହୋଇଛି । ଗୋଟିଏ ପାଶ୍ୱର୍ କୁଆଖାଇକୁ ଛୁଇଁଥିବା ବେଳେ ଅନ୍ୟ ପାଶ୍ୱର୍ଟି ଚନ୍ଦକା, ନନ୍ଦନକାନନ, କଳାରାହଙ୍ଗ, ମଞ୍ଚେଶ୍ୱର, ପଳାଶୁଣି ଜାତୀୟ ରାଜପଥ ପୋଲ ତଳ ଦେଇ ପାଣ୍ଡରା, ଝାରପଡ଼ା, ଲକ୍ଷ୍ମୀସାଗର, ବଡ଼ଗଡ ଦେଇ ଟଙ୍କପାଣି ରାସ୍ତା ପାର ହୋଇଛି । ଦିନେ ଏହି ନଦୀ ଥିଲା ଭୁବନେଶ୍ୱରବାସୀଙ୍କ ଜୀବନ । ହେଲେ ଏବେ ଏହାର ପାଣି ବିଷ ପାଲଟିଛି ।