ବ୍ରହ୍ମପୁର/ଭଞ୍ଜନନଗର, ୨୪।୨: ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇଛନ୍ତି ସରକାର । ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି । କିନ୍ତୁ ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ପାଇପାରୁନାହାନ୍ତି ଲୋକ । ରାତିରେ ଯଦି କିଛି ସମସ୍ୟା ହୁଏ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ ହିଁ ଭରସା । ଦୂରଦୂରାନ୍ତରରୁ ରୋଗୀ ଏମ୍କେସିଜି ଆସିବା ଭିତରେ ମୃତ୍ୟୁ ମଧ୍ୟ ହେଉଛି । ବିଶେଷଭାବେ ଗ୍ରାମାଞ୍ଚଳରେ ନିଦାନ ସେବା ଅତି ଦୁର୍ବଳ । ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଇସିଜି (ଇଲେକ୍ଟ୍ରୋକାର୍ଡିଓଗ୍ରାମ) ପରୀକ୍ଷା ପାଇଁ ଆଦୌ ସୁବିଧା ନାହିଁ । ଚାରି ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସୁବିଧା କେବଳ ଦିନବେଳେ । ସନ୍ଧ୍ୟା ପରେ ଯଦି ଇସିଜି କରିବା ଦରକାର ହୁଏ, ଡାକ୍ତର କହନ୍ତି ବ୍ରହ୍ମପୁର ଏମ୍କେସିଜି ଯାଅ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ରୋଗୀ ଘରୋଇ ନର୍ସିଂହୋମ୍ ଯାଉଛନ୍ତି, ନହେଲେ ଏମ୍କେସିଜି ହିଁ ଭରସା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍ଏଚ୍) ବ୍ରହ୍ମପୁର ସିଟି ହସ୍ପିଟାଲରେ ସନ୍ଧ୍ୟା ଠାରୁ ସକାଳ ପର୍ଯ୍ୟନ୍ତ ମେଡିକାଲର ଆଶୁଚିକିତ୍ସା ବିଭାଗରେ ଇସିଜି ହୋଇପାରୁନଥିବା ଅଭିଯୋଗ ହୋଇଛି ।
ସାଧାରଣତଃ ଇସିଜି ପରୀକ୍ଷା ଦ୍ୱାରା ହୃଦ୍ସ୍ପନ୍ଦନ ସମ୍ପର୍କିତ ସୂଚନା ମିଳିଥାଏ । ଏହା ଦ୍ୱାରା ହୃଦ୍ଘାତ ପୂର୍ବରୁ ରୋଗୀର ଧମନୀରେ ବ୍ଲକେଜ୍ ଥିଲେ ଜାଣିବା ସହଜସାଧ୍ୟ ଏବଂ ହୃଦ୍ଘାତରୁ ରୋଗୀଙ୍କୁ ରକ୍ଷା କରିବା ସମ୍ଭବପର ହୋଇଥାଏ । ସେହିଭଳି ଯଦି କୌଣସି ବ୍ୟକ୍ତିଙ୍କର ଶ୍ୱାସ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଥାଏ ତେବେ ପ୍ରଥମେ ଇସିଜି କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଛାତିରେ ଯନ୍ତ୍ରଣା ହେବା, ସାମାନ୍ୟ କାରଣରେ ବିଚଳିତ ହେବା, ଅତ୍ୟଧିକ ଝାଳ ବୋହିବା ଏବଂ ହୃଦ୍ସ୍ପନ୍ଦନ ହେଲେ ଇସିଜି ପରୀକ୍ଷା କରିବାକୁ ପଡିଥାଏ । ଏହାସହ ହୃଦ୍ରୋଗୀଙ୍କୁ ନିୟମିତ ବ୍ୟବଧାନରେ ଇସିଜି ପରୀକ୍ଷା କରିବା ନିହାତି ଜରୁରୀ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଜିଲ୍ଲାର ଗ୍ରାମାଞ୍ଚଳ ହସ୍ପିଟାଲରେ ରାତିରେ ଉପଲବ୍ଧ ନଥିବା ଚିନ୍ତାର ବିଷୟ ହୋଇଛି । ଛତ୍ରପୁର, ଭଞ୍ଜନଗର, ଆସିକା ଓ ହିଞ୍ଜିଳିକାଟୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଓପିଡି ସମୟରେ ହିଁ ରୋଗୀଙ୍କ ଇସିଜି ପରୀକ୍ଷା କରାଯାଉଛି । ଓପିଡି ସମୟ ବାହାରେ ଅର୍ଥତ ସନ୍ଧ୍ୟା ୫ଟା ଠାରୁ ସକାଳ ୮ଟା ମଧ୍ୟରେ ହସ୍ପିଟାଲ ଆଶୁଚିକିତ୍ସା ବିଭାଗକୁ ଆସୁଥିବା ଗୁରୁତର ରୋଗୀଙ୍କୁ ଇସିଜି ପରୀକ୍ଷା ନିମନ୍ତେ କୌଣସି ବ୍ୟବସ୍ଥା ନଥିବା ଜଣାପଡିଛି । ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଇସିଜି ମେସିନ୍ କାମ କରୁଛି ହେଲେ ଏହା ମାତ୍ର ୮ ଘଣ୍ଟା ପାଇଁ । ଇସିଜି ମେସିନ୍ ଚଳାଇବାକୁ ଜଣେ ମାତ୍ର ଟେକ୍ନିସିଆନ ଅଛନ୍ତି ।
ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ ତାଙ୍କର ଡ୍ୟୁଟି । ଜରୁରୀ ସମୟରେ ରାତିରେ ସେ ହିଁ ଇସିଜି କରିବାକୁ ଆସୁଛନ୍ତି ବୋଲି କହିଛନ୍ତି ଅଧୀକ୍ଷକ ଡା. ସୀତାଂଶୁ ଶେଖର ଶତପଥୀ । ଡାକ୍ତରଖାନାରେ ୨୪ ଘଣ୍ଟା ଇସିଜି ସେବା ଯୋଗାଇବାକୁ ଦାବି ହୋଇଛି । ସେପଟେ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା କହିଛନ୍ତି, ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଭବାନୀ ଶଙ୍କର ମିଶ୍ର ଅଭିଯୋଗକୁ ସ୍ୱୀକାର କରିବା ସହ କହିଛନ୍ତି ଯେ, ଟେକ୍ନିସିଆନ୍ ଅଭାବରୁ ଉପଖଣ୍ଡ ଚିକିତ୍ସାଳୟମାନଙ୍କରେ ଇସିଜି ହୋଇପାରୁନି । କର୍ମଚାରୀଙ୍କୁ ଟ୍ରେନିଂ ଦେଇ ସେମାନଙ୍କୁ ସେଠାରେ ନିଯୁକ୍ତ କରିବାକୁ ଯୋଜନା ରହିଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଏହି ସୁବିଧା ନାହିଁ । ଇସିଜି ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାତିରେ ଇସିଜି ହେଉନଥିବା ଅଭିଯୋଗକୁ ସେ ଅନୁସନ୍ଧାନ କରିବେ ବୋଲି କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସହଜଲବ୍ଧ ପାଇଁ ମୁଖ୍ୟ ଚିକିତ୍ସାଳୟ ସିଟି ହସ୍ପିଟାଲ ସହ ଚାରୋଟି ଉପଖଣ୍ଡ, ୪୦ଟି ଗୋଷ୍ଠୀ ଏବଂ ୨୩ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ରହିଛି । କିନ୍ତୁ ସାଧାରଣ ଏକ ନିଦାନ ପାଇଁ ରୋଗୀଙ୍କୁ ବ୍ରହ୍ମପୁର ହିଁ ଆସିବାକୁ ପଡୁଛି ।