ରାଜଗାଙ୍ଗପୁର,୧୩।୯ (ଆପ୍ର) : ସ୍କୁଟିରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ । ୩.୭୧୦ ଗ୍ରାମ ଗଞ୍ଜେଇ ସହ ସ୍କୁଟିକୁ ରାଜଗାଙ୍ଗପୁର ପୋଲିସ ଜବତ କରିଛି। ଏଥି ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ରାଜଗାଙ୍ଗପୁର ସହରର ଇସଲାମ ଛକର ଏମ.ଡି.ଇରଫାନ ଓରଫ ବବଲୁ ।
ଶୁକ୍ରବାର ସ୍କୁଟିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ରାଜଗାଙ୍ଗପୁର ପୋଲିସ ଖବର ପାଇଥିଲା। ରାଜଗାଙ୍ଗପୁର ପୋଲିସର ଏକ ଟିମ ସହରର ମୁଖ ରାସ୍ତା ମାଟି ଗେଟ ନିକଟରେ ଏକ ସ୍କୁଟିକୁ ଅଟକାଇ ଥିଲା। ପୋଲିସକୁ ଦେଖି ସ୍କୁଟି ଚାଳକ ଜଣକ ଦ୍ରୁତ ଗତିରେ ନିକଟସ୍ଥ ସୁରୁଡ଼ିହି ଗ୍ରାମ ପଟେ ପଳାଇ ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସୁରୁଡ଼ିହି ପଡିଆ ନିକଟରେ ସ୍କୁଟି ସହ ଚାଳକକୁ ପୋଲିସ ମାଡି ବସିଥିଲା। ପୋଲିସ ସ୍କୁଟିକୁ ଯାଞ୍ଚ କରିବା ପରେ ସ୍କୁଟି ଭିତରେ ଥିବା ଏକ ପ୍ୟାକେଟରୁ ୩କେଜି ୭୧୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ପୋଲିସ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ହୋଣ୍ଡା ଆକ୍ଟିଭା ଗାଡି ଏବଂ ମୋବାଇଲ ଫୋନ ଜବତ କରିବା ସହ ଅଭିଯୁକ୍ତ ମହମ୍ମଦ ଇରଫାନକୁ ଗିରଫ କରିଛି । ଏନେଇ ରାଜଗାଙ୍ଗପୁର ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ଅଧିକ ତଦନ୍ତ ଜାରି ରଖିଥିବା ରାଜଗାଙ୍ଗପୁର ପୋଲିସ ସୂଚନା ଦେଇଛି।