ଭୁବନେଶ୍ୱର,୨୩/୦୧: ଆକ୍ସନ ମୋଡ୍ରେ ନବୀନ । ଗୋଟିଏ ପଟେ ବୈଠକ ପରେ ବୈଠକ କରୁଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଅନ୍ୟପଟେ ଜାରି ରହିଛି ନିଲମ୍ବନ କାର୍ଯ୍ୟାନୁଷ୍ଠାନ । ଗୁରୁବାର ତୃଣମୂଳସ୍ତରର ଦୁଇ ବଡ଼ ନେତାଙ୍କୁ ବିଜେଡିରୁ ବାହାର ରାସ୍ତା ଦେଖାଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଏନ୍ଏସିର ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେରଙ୍କୁ ପ୍ରଥମେ ଦଳରୁ ନିଲମ୍ବନ କଲେ ନବୀନ । ସନ୍ଧ୍ୟାରେ ଆସିଲା ପ୍ରେସ ଇସ୍ତାହାର । ବିଳମ୍ବିତ ରାତିରେ ଜାରି ହେଲା ଆଉ ଏକ ନିର୍ଦ୍ଦେଶନାମା । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି । ତାଙ୍କ ବିରୋଧରେ ବି ସମାନ ଅଭିଯୋଗ-‘ଦଳ ବିରୋଧୀ’ କାର୍ଯ୍ୟକଳାପ । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ ହୋଇଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଚର୍ଚ୍ଚା ହେଉଛି ।