ରିଆମାଳ,୧୫/୦୩: ଗରିଆପାଲି ଟ୍ରିପଲ ମର୍ଡର ଘଟଣା। ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଲା ଅଭିଯୁକ୍ତ ରମେଶ ଗରିଆ। ଗତକାଲି ଗାଁ ପାଣିଟାଙ୍କିରୁ ଉଦ୍ଧାର ବେଳେ ବିଷାକ୍ତ ଜିନିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।ଫଳରେ ତାକୁ ଉଦ୍ଧାର ପରେ ନିକଟସ୍ଥ କୁଣ୍ଢେଇଗାଳା ଡାକ୍ତରଖାନା ଏବଂ ପରେ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଡାକ୍ତରଖାନାକୁ ଏବଂ ଅଧିକ ଚିକିତ୍ସା ପାଇଁ ବୁର୍ଲା ନିଆଯାଇଥିଲା। ଆଜି ସକାଳେ ଅଭିଯୁକ୍ତ ରମେଶ ଗରିଆ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ପୁଲିସ ମାମଲା ଛାନ୍‌ଭିନ୍ ଚଳାଇଛି।

ଅଧିକ ପଢ଼ନ୍ତୁ:- ୪୮ ଘଣ୍ଟାର ହାଇଡ୍ରାମା ପରେ ପୁଲିସ ପଞ୍ଝାରେ ହତ୍ୟାକାରୀ: ପାଣିଟାଙ୍କି ଉପରୁ ଧରାପଡ଼ିଲା ଦେବଗଡ଼ ଟ୍ରିପଲ ମର୍ଡରର ଅଭିଯୁକ୍ତ !

ସୂଚନା ଥାଉକି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗାଳା ଥାନା ଅନ୍ତର୍ଗତ ଗରିଆପାଲି ଗ୍ରାମ ରେ ପାରିବାରିକ କଲହରୁ ଗତ ୧୧ ତାରିଖ ରାତିରେ ଗୃହକର୍ତା ରମେଶ ଗରିଆ ନିଜ ସ୍ତ୍ରୀ, ବହୁ ଓ ନାତୁଣୀକୁ ହତ୍ୟା କରି ଫେରାର ହୋଇଯିବା ଭଳି ହୃଦୟ ଥରା ଘଟଣା ଘଟିଥିଲା । ଗରିଆପାଲି ଗ୍ରାମର ରମେଶ ଗରିଆ(୫୦) ନିଜ ସ୍ତ୍ରୀ ଗୁଲ୍ ଗରିଆ(୪୨) ଙ୍କ ସହିତ ରାତିରେ କୌଣସି କାରଣକୁ ନେଇ କଳହ କରି ମାଡ଼ ମାରିବା ଦ୍ୱାରା ଗୁଲ ନିଜକୁ ବଞ୍ଚାଇବା ପାଇଁ ବୋହୂ ଲିପି ମହାକୁଳ (୨୪)ପାଖକୁ ଚାଲିଯାଇଥିଲେ । ସେହି ସମୟରେ ଲିପି, ତାଙ୍କ ଝିଅ ଈଶାନୀ ଓ ଝିଆରୀ(୧୯) ଶୋଇଥିଲେ । ରାଗରେ ରମେଶ ଏକ ହାତୁଡି ଦ୍ୱାରା ନିଜ ସ୍ତ୍ରୀ ,ବୋହୂ ଙ୍କୁ ଆକ୍ରମଣ କରି ମାରିବା ପରେ ନିଜ ନାତୁଣୀ ଇଶାନି (୪) କୁ ଆକ୍ରମଣ କରି ମାରିଦେବା ପରେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ଉକ୍ତ ଘଟଣା ଘଟିବା ବେଳେ ରମେଶଙ୍କ ଝିଆରୀ ବହୁ କାକୁତି ମିନତୀ ହୋଇ କାହାକୁ ନମାରିବା ପାଇଁ କହିବା ବେଳେ ତୁ ଚୁପ ରହ ନହେଲେ ତତେ ମଧ୍ୟ ମାରିଦେବି ବୋଲି ରମେଶ ଧମକ ଦେଇଥିଲା । କୌଶଳ କ୍ରମେ ତାଙ୍କ ଝିଆରୀ ଝରକା ଡେଇଁ ନିଜ ଘରକୁ ପଳାଇବା ସହିତ ବାପା ମା ଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ପରିବାର ଲୋକେ ଘଟଣା ସ୍ଥଳକୁ ଆସି ଏଭଳି ବିଭତ୍ସ କାଣ୍ଡ ଦେଖି ହତବାକ ହୋଇଯିବା ସହିତ ଅଭିଯୁକ୍ତଙ୍କ ପୁତ୍ର ଧିରେନ୍ ଗରିଆଙ୍କୁ ଫୋନ କରି ଡାକିଥିଲେ ଏବଂ କୁଣ୍ଢେଇଗାଳା ପୁଲିସକୁ ଖବର ଦେଇଥିଲେ । ଦୁଇଦିନ ଖୋଜିବା ପରେ ଶନିବାର କିଛି ଲୋକ ଅଭିଯୁକ୍ତ ରମେଶ ଗାଁ ପାଣି ଟାଙ୍କିରେ ଲୁଚି ଥିବା ଦେଖି ପୁଲିସ କୁ ଖବର ଦେଇଥିଲେ । ବହୁ କଷ୍ଟରେ ଟାଙ୍କି ଉପରୁ ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ରମେଶ ଗରିଆ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି।ସୂଚନା ଥାଉକି ଅଭିଯୁକ୍ତର ଦୁଇପୁଅ ଓ ଜଣେ ଝିଅ ଅଛନ୍ତି ।