ନୂଆଦିଲ୍ଲୀ,୨୯।୭: ପଞ୍ଚମ ଟେଷ୍ଟ ପୂର୍ବରୁ ଓଭାଲର ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ସହ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀର ଝଗଡ଼ା ହୋଇଥିଲା।ଉଭୟଙ୍କ ମଧ୍ୟରେ ଝଗଡା ଏତେ ବଢ଼ି ଯାଇଥିଲା ଯେ ଏହା ମଧ୍ୟସ୍ଥତା ପର୍ଯ୍ୟନ୍ତ ପହଞ୍ଚିଥିଲା। ଟିମ୍ ଇଣ୍ଡିଆ ୨୮ ଜୁଲାଇରେ ମାଞ୍ଚେଷ୍ଟରରୁ ଲଣ୍ଡନ ପହଞ୍ଚିଥିଲା, ଯେଉଁଠାରେ ଏହାର ପ୍ରଥମ ପ୍ରାକ୍ଟିକ ସେସନ୍ ଥିଲା। ଯାହାକି ମଙ୍ଗଳବାର ଅର୍ଥାତ୍ ୨୯ ଜୁଲାଇରେ ହୋଇଥିଲା। କିନ୍ତୁ କୁହାଯାଉଛି ଯେ ଟିମ୍ ଇଣ୍ଡିଆର ହେଡ୍‌ କୋଚ୍ ପ୍ରାକ୍ଟିସ୍ ପାଇଁ ମିଳୁଥିବା ସୁବିଧାରେ ଖୁସି ନଥିଲେ।

ଭାରତ ଓ ଇଂଲଣ୍ଡ ଭିତରେ ଟେଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍ ଲଣ୍ଡନର କେନିଙ୍ଗଟନ୍ ଓଭାଲ ଷ୍ଟାଡିୟମରେ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଏଭି ବିବାଦ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛି। ଗମ୍ଭୀର ଏବଂ ପିଚ୍ କ୍ୟୁରେଟରଙ୍କ ଭିତରେ ହୋଇଥିବା ଏହି ଝଗଡା ଏବେ ସିରିଜର ସ୍ଥିତି ଆହୁରି ଗରମ କରିଛି। ଗମ୍ଭୀର କଥିତ ଭାବରେ ଟିମ୍‌କୁ ଦିଆଯାଇଥିବା ସୁବିଧାରେ ଅସନ୍ତୁଷ୍ଟ ଥିଲେ। ଏହାପରେ ସେ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କଥାବାର୍ତ୍ତା ଏକ ବଡ଼ ବିବାଦର ରୂପ ନେଇଥିଲା। ଗମ୍ଭୀର ବାରମ୍ବାର ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ଆଡକୁ ଅଙ୍ଗୁଳି ଦେଖାଇ ଜୋରରେ ପାଟି କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି। 

ବିବାଦ ବଢୁଥିବାର ଦେଖି ବ୍ୟାଟିଂ କୋଚ୍ ସୀତାଶୁଂ କୋଟକ ଓ ଭାରତୀୟ ସପୋର୍ଟିଂ ଷ୍ଟାଫର ବାକି ସଦସ୍ୟଙ୍କୁ ଉଭୟଙ୍କ ଝଗଡାରେ ହସ୍ତକ୍ଷେପ କରିଥିଲେ। ଭାରତୀୟ ବ୍ୟାଟିଂ କୋଚ୍ ସୀତାଂଶୁ କୋଟକ କହିଛନ୍ତି , ତାଙ୍କ ଦଳକୁ 'ୱିକେଟରୁ ୨.୫ ମିଟର ଦୂରରେ' ଠିଆ ହେବାକୁ କୁହାଯିବା ପରେ ଏହି ଝଗଡ଼ା ହୋଇଥିଲା। ସେ କହିଛନ୍ତି ଯେ ଭାରତୀୟ ଦଳ ଏହି ମାମଲାରେ କୌଣସି ଅଭିଯୋଗ କରିବ ନାହିଁ। କୋଟକ କହିଛନ୍ତି, 'ସତ କହିବାକୁ ଗଲେ, ଜଣେ ଗ୍ରାଉଣ୍ଡ ଷ୍ଟାଫ୍ ଆସି କହିଲେ ଯେ (ଆମକୁ) ୱିକେଟରୁ ୨.୫ ମିଟର ଦୂରରେ ଠିଆ ହୋଇ 'ରସି ବାହାରୁ ୱିକେଟ୍ ଦେଖିବାକୁ ପଡ଼ିବ। ମୁଁ ଏହା ପୂର୍ବରୁ ଏଭଳି ଦେଖିନାହିଁ। ଏଥିପାଇଁ କୌଣସି ଅଭିଯୋଗର ଆବଶ୍ୟକତା ନାହିଁ।' ଭାରତୀୟ ଦଳର ସଦସ୍ୟମାନେ ସ୍ପାଇକ୍ (ଖେଳାଳିମାନଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା କଣ୍ଟାଳିଆ ଜୋତା) ପିନ୍ଧି ନଥିଲେ, ତେଣୁ ପିଚ୍ ପ୍ରତି କୌଣସି ବିପଦ ନଥିଲା। ତଥାପି କ୍ୟୁରେଟର ଆମକୁ ଏଭଳି କଥା କହିଥିଲେ। ଉଲ୍ଲେଖନୀୟ ଯେ, ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଭାରତୀୟ ଟିମ୍ ସିରିଜ୍‌ରେ ୧-୨ ରେ ପଛରେ ଅଛି, ଏଭଳି ସ୍ଥିତିରେ ସିରିଜ୍‌ ସମାନରେ ଆଣିବାକୁ ଯେ କୌଣସି ଭାବରେ ମ୍ୟାଚ୍ ଜିତିବାକୁ ହେବ।