ନୂଆଦିଲ୍ଲୀ,୧୭।୧୧:ମିଲେନିୟଲ୍ସ ଜେନେରେସନ୍ ତୁଳନାରେ ‘ଜେନ୍-ଜେଡ୍’ ଜେନେରେସନ ଟେକ୍ନୋଲୋଜି,ସୋସିଆଲ ମିଡିଆ ଓ ଇଣ୍ଟରନେଟ୍ ଉପରେ ଅଧିକ ଜ୍ଞାନ ରଖନ୍ତି। ସରଳ ଭାଷାରେ ଯଦି କୁହାଯାଏ ତେବେ ଜେନ୍-ଜେଡ୍ ଏକ ବୁଦ୍ଧିମାନ୍ ଓ ସ୍ବାର୍ଟ ଜେନେରେସନ୍। ୧୯୯୭ ରୁ ୨୦୧୨ ଭିତରେ ଜନ୍ମିତ ପିଲାଙ୍କୁ ‘ଜେନ୍-ଜେଡ୍ କୁହାଯାଏ। ସେମାନେ ଭଲ ଭାବରେ ଫଟାଫଟ ଓ ସ୍ମାର୍ଟ ଭାବରେ କାମ କରିବା ଜଣାଯାଏ। ଜୁମର୍ସ ବା ଡିଜିଟାଲ ନେଟିଭସ୍‌ଙ୍କ ନାମରେ ତାଙ୍କୁ ମଧ୍ୟ ଜଣାଯାଏ।  ସେଭଳି  ମିଲେନିୟଲ୍ସ ଜେନେରେସନ୍ ୧୯୮୦ ରୁ ୧୯୯୭ ମଧ୍ୟରେ  ଜନ୍ମିତ ପିଲାଙ୍କୁ କୁହାଯାଏ। ତେବେ ‘ଜେନ୍‌-ଜେଡ୍‌’ ଜେନେରେସନ୍‌କୁ ନେଇ ଏକ ଚକିତ କରିଦେବା ଭଳି ଷ୍ଟଡି ସାମନାକୁ ଆସିଛି। ତାହା ହେଲା ଓ୍ବାର୍କିଂ କ୍ୟାରିୟର ମାମଲାରେ ଏମାନଙ୍କର ଭବିଷ୍ୟତ ସୁରକ୍ଷିତ ନୁହେଁ। କମ୍ପାନୀରେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ଚାକିରୀ କରିବାର ସୁଯୋଗ ଦିଆଯାଉନି। ସମୟ ପୂର୍ବରୂ ବିଦା କରି ଦିଆଯାଉଛି। ତେବେ ଆସନ୍ତୁ ଜାଣିବା ଏହାର କାରଣ କ’ଣ ?

ସେପ୍ଟେମ୍ବର ୨୦୨୫ ରେ Intelligent.com ଦ୍ୱାରା ପ୍ରକାଶିତ ଏକ ସର୍ଭେରୁ ଜଣାପଡିଛି ଯେ ୬୦ ପ୍ରତିଶତ ନିଯୁକ୍ତି ପରିଚାଳକ ‘ଜେନ୍ ଜେଡ୍’ କର୍ମଚାରୀଙ୍କୁ ଶୀଘ୍ର ଚାକିରୀରୁ ବିଦା କରିଥିଲେ। ଏହି ସର୍ଭେରେ ୧୦୦୦ ହାୟରିଂ ମ୍ୟାନେଜରଙ୍କୁ ନେଇ ସର୍ଭେ କରାଯାଇଥିଲା ଏବଂ ଜଣାପଡିଛି ଯେ ୬ ଜଣରୁ ଜଣେ ‘ଜେନ୍- ଜେଡ୍’ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଅନିଚ୍ଛୁକ ଥିଲେ। ଏହି ସର୍ଭେରେ ଏହାର କାରଣ ମଧ୍ୟ ଜଣାପଡିଛି।

ସର୍ଭେରୁ ଜଣାପଡିଛି ଯେ, ‘ଜେନ୍-ଜେଡ୍’ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯିବାର କିଛି ମାସ ମଧ୍ୟରେ ବହିଷ୍କାର କରାଯାଉଛି। ଏହାର ଅନେକ କାରଣ ଦର୍ଶାଯାଇଛି। ଖରାପ କମ୍ୟୁନିକେସନ୍ ସ୍କିଲ୍, ପ୍ରେରଣାର ଅଭାବ ଏବଂ ଅଣବୃତ୍ତିଗତ ଆଚରଣକୁ ସବୁଠାରୁ ସାଧାରଣ କାରଣ ଭାବରେ ଦର୍ଶାଯାଇଛି। ସର୍ଭେ କରାଯାଇଥିବା ୧୦୦୦ ନିଯୁକ୍ତି ପରିଚାଳକଙ୍କ ମଧ୍ୟରୁ ୫୦୦ ଜଣ କହିଛନ୍ତି ଯେ ଯୁବ କର୍ମଚାରୀମାନେ ନୂଆ ଜିନିଷ ଗ୍ରହଣ କରିବା ଏବଂ ଶିଖିବା କଷ୍ଟକର ପାଆନ୍ତି। ୪୬% ନିଯୁକ୍ତି ପରିଚାଳକ ରିପୋର୍ଟ କରିଛନ୍ତି ଯେ ‘ଜେନ୍-ଜେଡ୍’ ଅଧିକ ବୃତ୍ତିଗତ ସମସ୍ୟାର ସମ୍ମୁଖୀନ ହୁଅନ୍ତି। କେତେକ ଯୁବ କର୍ମଚାରୀଙ୍କ କାର୍ଯ୍ୟ ଚାପକୁ ପରିଚାଳନା କରିବାରେ ଅସମର୍ଥତା ଦର୍ଶାଇଛନ୍ତି, ଏବଂ ୨୦ପ୍ରତିଶତ କହିଛନ୍ତି ‘ଜେନ୍-ଜେଡ୍’ କର୍ମଚାରୀମାନେ ଶୀଘ୍ର କାମ ଆରମ୍ଭ କରନ୍ତି ନାହିଁ। ଏହା ବ୍ୟତୀତ, ୩୮% ପ୍ରତିଶତ ଫିଡବ୍ୟାକ୍ ନଦେବାର ଦୁର୍ବଳତା କହିଛନ୍ତି। ସେଭଳି ୩୯% ଖରାପ ଯୋଗାଯୋଗ ଦକ୍ଷତା ବୋଲି କହିଛନ୍ତି। ଏହା ସହ ‘ଜେନ୍-ଜେଡ୍’ଙ୍କ ସହ କାମ କରିବା ଅଧିକ କଷ୍ଟକର। ResumeBuilder.com ଏପ୍ରିଲରେ ଏକ ସର୍ଭେ କରିଥିଲା, ଯାହା ପ୍ରକାଶ କରିଥିଲା ଯେ ୭୪% ପ୍ରତିଶତ ମ୍ୟାନେଜର ଏବଂ ବିଜନେସ୍ ଲିଡର ‘ଜେନ୍-ଜେଡ୍’ଙ୍କ ସହିତ କାମ କରିବାକୁ ଇଛା କରନ୍ତି ନାହିଁ। ଯେତେବେଳେ କାର୍ଯ୍ୟ ପରିଚାଳନା ଏବଂ ସମାପ୍ତ କରିବାର କଥା ଆସେ, ସେତେବେଳେ ‘ଜେନ୍-ଜେଡ୍’ ଅନେକ ତ୍ରୁଟି ଦେଖାଏ, ଯେଉଁ କାରଣରୁ ଅନେକ କମ୍ପାନୀ ତାଙ୍କୁ ନିଯୁକ୍ତି ଦେବାକୁ ସଂକୋଚ କରନ୍ତି।