ନୂଆଦିଲ୍ଲୀ, ୨୬/୧୨ : ଏବେ ଓଲା, ଉବର ଆପ୍‌ରେ ରହିବ ଜେଣ୍ଡର ଚଏସ୍‌ ବିକଳ୍ପ। କ୍ୟାବ୍‌ ରାଇଡ୍‌ ବୁକ୍‌ କରିବା ବେଳେ ଫିମେଲ୍‌ ଡ୍ରାଇଭର ବାଛିପାରିବେ ମହିଳା। ଟ୍ରିପ୍‌ ଶେଷ ହେବା ପରେ ଡ୍ରାଇଭରଙ୍କୁ ଦେଇପାରିବେ ସିଧାସଳଖ ଟିପ୍‌। ଚାଳକଙ୍କୁ ମିଳିବ ଏହି ଟିପ୍‌ର ସମ୍ପୂର୍ଣ୍ଣ ରାଶି। ଗ୍ରାହକ ସୁରକ୍ଷାକୁ ପ୍ରାଥମିକତା।ସରକାର ମୋଟର ଯାନ ଏଗ୍ରିଗେଟର୍ସ ଗାଇଡ୍‌ଲାଇନ୍ସ୨୦୨୫ରେ ସଂଶୋଧନ କରିଛନ୍ତି। ଏହାକୁ ଲାଗୁ କରିବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଓଲା, ଉବର ଏବଂ ରାପିଡୋ ଭଳି ଆପ୍‌ରେ ଖୁବ୍‌ଶୀଘ୍ର ସମାନ ଜେଣ୍ଡର ଚାଳକ ଚୟନ କରିବାର ବିକଳ୍ପ ମିଳିବ। ବିଶେଷକରି ମହିଳା ଯାତ୍ରୀଙ୍କ ପାଇଁ ଫିମେଲ୍‌ ଡ୍ରାଇଭର ଚୟନ କରିବାର ସୁବିଧା ରହିବ । ୨୦୨୫ ଜୁଲାଇରେ ଯେବେ ମୋଟର ଯାନ ଏଗ୍ରିଗେଟର୍ସଙ୍କ ପାଇଁ ମୂଳ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା, ଏହାକୁ ଆପଣାଇବା ପାଇଁ ରାଜ୍ୟଗୁଡ଼ିକୁ ୩ ମାସର ସମୟ ଦିଆଯାଇଥିଲା । ତେବେ ମହିଳା ଡ୍ରାଇଭର ଆଇନର କୌଣସି ଧାର୍ଯ୍ୟ ଟାଇମ୍‌ଲାଇନ୍‌ ଦିଆଯାଇନାହିଁ । ଏହି ଗାଇଡ୍‌ଲାଇନ୍‌ କେନ୍ଦ୍ର ସରକାରଙ୍କ । ରାଜ୍ୟ ସରକାର ଏହି ସଂଶୋଧନଗୁଡ଼ିକୁ ନିଜ ଲାଇସେନ୍ସିଂ ପ୍ରକ୍ରିୟାରେ ସାମିଲ କରିବେ । କେବେ ଏହା ଲାଗୁ ହେବ, ତାହାକୁ ନେଇ କୌଣସି ‘ପ୍ରଭାବୀ ତାରିଖ’ ଦିଆଯାଇନାହିଁ । ଏଗ୍ରିଗେଟରଙ୍କୁ ନିଜର ଆପ୍‌ ଅପ୍‌ଡେଟ୍‌ କରିବାକୁ ପଡ଼ିବ, ଯାହାଦ୍ୱାରା ସେମାନେ କ୍ଲଜ୍‌ ୧୫.୬ ଅଧୀନରେ ସମାନ ଜେଣ୍ଡର୍‌ର ଚାଳକ ଚୟନ ବୈଶିଷ୍ଟ୍ୟ ଯୋଡ଼ିବେ। 

ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ଶିଳ୍ପ ବିଶେଷଜ୍ଞମାନେ କୁହନ୍ତି, ଏହାକୁ ଲାଗୁ କରିବା ଆହ୍ୱାନମୂଳକ ରହିବ। କ୍ୟାବ୍‌ ଆଗ୍ରିଗେଟର ପ୍ଲାଟ୍‌ଫର୍ମଗୁଡ଼ିକ ସହ ଜଡ଼ିତ ଅଧିକାରୀମାନେ କହିଛନ୍ତି ଯେ, ସମଗ୍ର ଦେଶରେ ମୋଟ କ୍ୟାବ୍‌ ଡ୍ରାଇଭରଙ୍କ ମଧ୍ୟରେ ମହିଳାଙ୍କ ଭାଗ ୫%ରୁ କମ୍‌ । ଏଭଳି ସ୍ଥିତିରେ ସମାନ ଲିଙ୍ଗ ଡ୍ରାଇଭର ଚୟନ କରିବାର ବିକଳ୍ପ ପ୍ରାକ୍ଟିକାଲ ଲାଗୁ ନାହିଁ । ମହିଳା ଚାଳକଙ୍କ ଅଭାବ ଯୋଗୁ ବୁକିଂ ସମୟରେ ୱେଟିଂ ଟାଇମ୍‌ ଅଧିକ ରହିପାରେ ।

ଏହି ଖବରଟିକୁ ପଢନ୍ତୁ- ବଦଳିଲା ପରିଭାଷା: ଏବେ ଗ୍ରୀନ୍‌ ଏବଂ ହର୍ବାଲ ଟି’କୁ ଚା’ କହିହେବନି, ବେଆଇନ ଘୋଷଣା କଲା FSSAI