ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ ଆସିମ ମୁନୀର କାଶ୍ମୀରର ପହଲଗାମରେ ଆକ୍ରମଣ କରାଇଛନ୍ତି । ଏକଥା ଆମେ ନୁହେଁ ବରଂ ପାକିସ୍ତାନ ସେନାର ଜଣେ ପୂର୍ବତନ ସୈନିକ ଆଦିଲ ରଜା ଏଭଳି ଦାବି କରିଛନ୍ତି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଲାଗି ମୁନୀର ନିର୍ଦ୍ଦେଶ ଦେଇଥିଲେ ବୋଲି ସେ କହିଛନ୍ତି । ଏପ୍ରିଲ ୨୨ରେ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଧର୍ମ ପଚାରି ସେମାନଙ୍କୁ ହତ୍ୟା କରାଯାଇଛି । ଏହାକୁ ନେଇ ଭାରତ ସରକାର ପାକିସ୍ତାନ ବିରୋଧରେ ବଡ଼ ନିଷ୍ପତ୍ତି ନେଇଥିବା ବେଳେ ପାକିସ୍ତାନ କପି-ପେଷ୍ଟ ଆକ୍ଟନ ଗ୍ରହଣ କରିଛନ୍ତି । କିନ୍ତୁ ଏବେ ପୂର୍ବତନ ପାକିସ୍ତାନୀ ସୈନିକଙ୍କ ଦାବି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣେ ୨୮ ଜଣଙ୍କ ଜୀବନ ଯାଇଛି । ଏହି ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ସେନା ମୁଖ୍ୟଙ୍କ ହାତ ରହିଛି ବୋଲି ଆଦିଲ ରଜା ଦାବି କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଗୁଇନ୍ଦା ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନିଶ୍ଚିତ ହୋଇଛି ଯେ, ଆସିମ ମୁନୀରଙ୍କ ନିର୍ଦ୍ଦେଶାନୁସାରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଛି । କିନ୍ତୁ ପାକିସ୍ତାନର ଲୋକମାନେ ଏନେଇ କିଛି ଜାଣିନାହାନ୍ତି ।’ ଅନ୍ୟ ଏକ ଟ୍ବିଟ୍ରେ ରଜା ଲେଖିଛନ୍ତି, ପହଲଗାମ ଆକ୍ରମଣ ଆସିମ ମୁନୀର ଏବଂ ସାଥିମାନେ ନିଜର ସ୍ବାର୍ଥ ପୂରଣ କରିବା ଲାଗି କରିଛନ୍ତି । ତେଣୁ ଜଣଙ୍କର ଅମାନୁଷିକ କାର୍ଯ୍ୟ ଲାଗି ସେନା ଅଧୀକୃତ ପାକିସ୍ତାନକୁ ଦାୟୀ କରାଯାଇ ପାରିବ ନାହିଁ ।’
ସେପଟେ ପାକିସ୍ତାନ ଭାରତୀୟ ବିମାନ ଲାଗି ନିଜର ଆକାଶ ମାର୍ଗ ବନ୍ଦ କରିଦେଇଛି । ଏହା ସହ ଓ୍ବାଘା ସୀମାକୁ ବନ୍ଦ କରିବା ସହ ଭାରତ ସହିତ ସବୁ ପ୍ରକାର ବାଣିଜ୍ୟ ସ୍ଥଗିତ କରିଦେଇଛି ପାକିସ୍ତାନ । ସିନ୍ଧୁ ଜଳ ଚୁକ୍ତିନାମା ଭାରତ ସ୍ଥଗିତ କରିଦେବା ପରେ ପାକିସ୍ତାନ ପାଗଳପ୍ରାୟ ହୋଇଯାଇଛି । ସିନ୍ଧୁ ଚୁକ୍ତି ଅନୁଯାୟୀ ପାକିସ୍ତାନକୁ ଉପଲବ୍ଧ ଜଳକୁ ବନ୍ଦ କରିବା ପ୍ରୟାସ ଯୁଦ୍ଧ ବୋଲି ଧରି ନିଆଯିବ ବୋଲି କହିଛି ପାକିସ୍ତାନ । ତେଣୁ ଭାରତର ନିଷ୍ପତ୍ତିକୁ ଆଧାର କରି ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପାକିସ୍ତାନ ମଧ୍ୟ ସେଭଳି କିଛି ନିଷ୍ପତ୍ତି ଗ୍ରହଣ କରିଛି।
ପହଲଗାମ ଆକ୍ରମଣ ପରେ ଭାରତର କଠୋର କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ସରିଫ ସରକାର ପ୍ରମୁଖ ମନ୍ତ୍ରୀ ଏବଂ ତିନି ସେନା ମୁଖ୍ୟଙ୍କ ସହ ଏକ ବୈଠକ କରିଥିଲେ । ଜାତୀୟ ସୁରକ୍ଷା କମିଟି (NSC)ର ବୈଠକ ପରେ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ପାକିସ୍ତାନର ସାର୍ବଭୌମତ୍ୱ ଏବଂ ସୁରକ୍ଷା ପ୍ରତି ଯେକୌଣସି ବିପଦର କଡ଼ା ଜବାବ ଦିଆଯିବ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତିକୁ ପାକିସ୍ତାନ ‘ପ୍ରତ୍ୟାଖ୍ୟାନ’ କରିଛି ଏବଂ କହିଛି ଯେ, ଏହା ୨୪୦ ନିୟୁତ ପାକିସ୍ତାନୀ ଲୋକଙ୍କ ପାଇଁ ଏକ ଜୀବନରେଖା ।