​​​​​​​ନୂଆଦିଲ୍ଲୀ, ୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୫ଟି ଦେଶର ବ୍ୟାପକ ୟୁରୋପୀୟ ଗସ୍ତର ଶେଷ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଇଟାଲୀର ରାଜଧାନୀ ରୋମରେ ପହଞ୍ଚିଛନ୍ତି । ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣ କ୍ରମେ ଆୟୋଜିତ ଏହି ଗସ୍ତ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଆଧିକାରିକ ଦ୍ୱିପାକ୍ଷିକ ଇଟାଲୀ ଗସ୍ତ । ରୋମରେ ପହଞ୍ଚିବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଛି ।

'ୱେଲକମ୍ ଟୁ ରୋମ୍, ମାଇଁ ଫ୍ରେଣ୍ଡ': ମେଲୋନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀ ଗୋଡ଼ ଦେବା କ୍ଷଣି ସେଠାକାର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ମେଲୋନୀ ନିଜର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପିଏମ ମୋଦୀଙ୍କ ସହ ଏକ ସୁନ୍ଦର ସେଲଫି ସେୟାର କରିଛନ୍ତି । ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି, “ରୋମରେ ଆପଣଙ୍କୁ ସ୍ୱାଗତ, ମୋ ବନ୍ଧୁ !” ଏହି ଫଟୋ ପୋଷ୍ଟ ହେବାର ମାତ୍ର କେଇ ମିନିଟ୍ ମଧ୍ୟରେ ଏହି ସେଲଫିଟି ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଫଟୋ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

୨୦୨୩: ଦୁବାଇରେ ଅନୁଷ୍ଠିତ COP28 ସମ୍ମିଳନୀ ଅବସରରେ ମେଲୋନୀ "Good friends at COP28" କ୍ୟାପସନ ସହ ସେଲଫି ସେୟାର କରିଥିଲେ ।

୨୦୨୪: ଇଟାଲୀର ଅପୁଲିଆରେ ଆୟୋଜିତ G7 ସମ୍ମିଳନୀ ସମୟରେ "ହ୍ୟାଲୋ ଫ୍ରମ ଦି ମେଲୋଡି ଟିମ୍" ଏକ ଭିଡିଓ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା ।

ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଭବ୍ୟ ସ୍ୱାଗତ: ଉପହାରରେ ମିଳିଲା ବାରାଣସୀର ଚିତ୍ରପଟ୍ଟ

ଇଟାଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ନିଜ ହୋଟେଲରେ ପହଞ୍ଚିଥିଲେ, ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ହଜାର ହଜାର ପ୍ରବାସୀ ଭାରତୀୟ ତାଙ୍କୁ ଉତ୍ସାହର ସହ ସ୍ୱାଗତ କରିଥିଲେ । 'ମୋଦୀ-ମୋଦୀ' ଏବଂ 'ଭାରତ ମାତା କି ଜୟ' ଧ୍ୱନିରେ ସେଠାକାର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । ଏହି ଅବସରରେ ପ୍ରବାସୀ ଭାରତୀୟ ସମୁଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଭାରତର ଆଧ୍ୟାତ୍ମିକ ସହର କାଶୀ ବା ବାରାଣସୀର ପ୍ରସିଦ୍ଧ ଘାଟଗୁଡ଼ିକର ଏକ ସୁନ୍ଦର ପେଣ୍ଟିଂ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା ।

ରଣନୀତିକ ଓ କୂଟନୀତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହି ଗସ୍ତ:

ପ୍ରଧାନମନ୍ତ୍ରୀଙ୍କ ଏହି ଇଟାଲୀ ଗସ୍ତକୁ ଦୁଇ ଦେଶର ସମ୍ପର୍କ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି । ଏହି ଗସ୍ତ କାଳରେ ପିଏମ ମୋଦୀ ଇଟାଲୀର ରାଷ୍ଟ୍ରପତି ସର୍ଜିଓ ମାଟାରେଲାଙ୍କୁ ସାକ୍ଷାତ କରିବେ । ଏହା ସହିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସହ ଏକ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ । ଦୁଇ ଦେଶର ଅଗ୍ରଣୀ ଶିଳ୍ପପତି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ମଧ୍ୟ ମୋଦୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ର ମୁଖ୍ୟାଳୟ ପରିଦର୍ଶନ କରି ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇବେ ।

୨୦୨୩ ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ଏହା ୮ମ ସାକ୍ଷାତକାର:

ବିଦେଶ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ୨୦୨୩ ମସିହା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜର୍ଜିଆ ମେଲୋନୀଙ୍କ ମଧ୍ୟରେ ଏହା ହେଉଛି ୮ମ ସାକ୍ଷାତକାର । ମାର୍ଚ୍ଚ 2023 ରେ ମେଲୋନୀଙ୍କ ଭାରତ ଗସ୍ତ ଏବଂ ଜି-୨୦ ସମ୍ମିଳନୀରେ ତାଙ୍କର ଅଂଶଗ୍ରହଣ ଭାରତ-ଇଟାଲୀ ସମ୍ପର୍କକୁ ଏକ ନୂଆ ଶକ୍ତି ଦେଇଥିଲା । ବର୍ତ୍ତମାନ ଏହି ଗସ୍ତ ମାଧ୍ୟମରେ ଦୁଇ ନେତା “ଯୁକ୍ତ ରଣନୀତିକ କାର୍ଯ୍ୟ ଯୋଜନା ୨୦୨୫-୨୯” ର ଅଗ୍ରଗତି ସମୀକ୍ଷା କରିବେ । ପ୍ରତିରକ୍ଷା ସହଯୋଗ, ଆତଙ୍କବାଦୀ ପାଣ୍ଠି ରୋକିବା ଏବଂ ନୂତନ କ୍ଷେତ୍ରରେ ସାଝେଦାରୀର ରୋଡମ୍ୟାପକୁ ଏହି ଅବସରରେ ଚୂଡ଼ାନ୍ତ ରୂପ ଦିଆଯିବ ।

୧.୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲା ଭାରତ-ଇଟାଲୀ ବାଣିଜ୍ୟ:

ୟୁରୋପୀୟ ସଂଘ (EU) ମଧ୍ୟରେ ଇଟାଲୀ ବର୍ତ୍ତମାନ ଭାରତର ଚତୁର୍ଥ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର ପାଲଟିଛି । ବର୍ଷ ୨୦୨୫ ସୁଦ୍ଧା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୪.୨୫ ବିଲିୟନ ୟୁରୋ ଅର୍ଥାତ୍ ୧.୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଦୁଇ ଦେଶ ମଧ୍ୟରେ ଏହି ବାଣିଜ୍ୟକୁ ବର୍ଷ ୨୦୨୯ ସୁଦ୍ଧା ୨୦ ବିଲିୟନ ୟୁରୋକୁ ବୃଦ୍ଧି କରିବା ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଇଟାଲୀର କମ୍ପାନୀଗୁଡ଼ିକ ଭାରତରେ ୩.୬୬ ବିଲିୟନ ଡଲାରରୁ ଅଧିକ ପୁଞ୍ଜିନିବେଶ କରିଛନ୍ତି । ଅପରପକ୍ଷରେ, ଟାଟା ମୋଟର୍ସ ଦ୍ୱାରା ଇଟାଲୀର ପ୍ରସିଦ୍ଧ 'ଇଭେକୋ ଗ୍ରୁପ୍'ର ଅଧିଗ୍ରହଣ ପରେ ୟୁରୋପୀୟ ବଜାରରେ ଭାରତୀୟ କମ୍ପାନୀଗୁଡ଼ିକର ଆତ୍ମବିଶ୍ୱାସ ଆହୁରି ବଢ଼ିଯାଇଛି ।

​​​​​​​

ପ୍ରବାସୀ ଭାରତୀୟ ଓ ଛାତ୍ରଙ୍କ ପାଇଁ ସୁବିଧା:

ଇଟାଲୀରେ ବର୍ତ୍ତମାନ ପ୍ରାୟ ୧.୮୭ ଲକ୍ଷରୁ ୨.୫ ଲକ୍ଷ ଭାରତୀୟ ବସବାସ କରୁଛନ୍ତି, ଯାହାକି ୟୁରୋପୀୟ ସଂଘରେ ସବୁଠାରୁ ବଡ଼ ଭାରତୀୟ ପ୍ରବାସୀ ସମୁଦାୟ । ଦୁଇ ଦେଶ ମଧ୍ୟରେ ହୋଇଥିବା “ମାଇଗ୍ରେସନ ଆଣ୍ଡ ମୋବିଲିଟି ଆଗ୍ରିମେଣ୍ଟ” ଜରିଆରେ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ଆବାଗମନକୁ ଅଧିକ ସହଜ କରାଯାଉଛି । ବର୍ତ୍ତମାନ ଇଟାଲୀର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୫୧୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ କରୁଛନ୍ତି । ଇଟାଲୀ ବର୍ତ୍ତମାନ ଭାରତର ନେତୃତ୍ୱରେ ପରିଚାଳିତ ଆନ୍ତର୍ଜାତୀୟ ସୌର ମେଣ୍ଟ (ISA) ଏବଂ ମିଡିଲ୍ ଇଷ୍ଟ-ୟୁରୋପ ଇକୋନୋମିକ କରିଡର (IMEC) ରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରୁଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ଭାରତ ଏବଂ ଇଟାଲୀର ସମ୍ପର୍କକୁ ଆହୁରି ମଜବୁତ ଓ ନିବିଡ଼ କରିବ ବୋଲି ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ... BRICS Summit 2026: ୭ ବର୍ଷ ପରେ ଭାରତ ମାଟିରେ ପାଦ ଥାପିବେ ଜିନପିଙ୍ଗ୍ ! ଦିଲ୍ଲୀ ବ୍ରିକ୍ସ ସମ୍ମିଳନୀରେ ମୋଦୀ-ପୁଟିନ-ଜିନପିଙ୍ଗଙ୍କ ମହାମିଳନ