ପୁରୀ, ୦୬/୦୨: ‘ପ୍ରଭୁ ଜଗନ୍ନାଥ ମୋତେ ଏଠାକୁ ଡାକି ଆଣିଛନ୍ତି । ମୋର ଅନ୍ତର ଭିତରୁ ଏକ ଡାକ ମୋତେ ଶୁଭିଲା । ଏଭଳି ଭାବ ଆସିବାରେ ସିଧା ପୁରୀରେ ପହଞ୍ଚିଲି । ପୂର୍ବଜନ୍ମରେ ଠାକୁରଙ୍କ ସହ କି ସମ୍ପର୍କ ଥିଲା ଜାଣିନାହିଁ । ହୋଇପାରେ ପୂର୍ବ ଜୀବନରେ ମୁଁ ଏଠାରେ ରହୁଥାଇପାରେ । ୩ ବର୍ଷ ହେଲା ଭାବିଲିଣି ଆସିବି ବୋଲି । ଏଠାରେ ପହଞ୍ଚି ଜାଣିବାକୁ ପାଇଲି ଆମକୁ ମନ୍ଦିରକୁ ପ୍ରବେଶ ଅନୁମତି ନାହିଁ । ଏଣୁ ଶ୍ରୀମନ୍ଦିର ସମ୍ମୁଖରେ ଆଶ୍ରୟ ନେଇଛି । ମନ୍ଦିରକୁ ଦେଖିଲେ ହୃଦୟ ଅଦ୍ଭୁତ ଆନନ୍ଦରେ ଭରିଯାଉଛି ।’-ପ୍ରଭୁଙ୍କ ଡାକରା ପାଇ ଜର୍ମାନୀରୁ ଜଗନ୍ନାଥ ଧାମରେ ପହଞ୍ଚିଥିବା କୁହନ୍ତି ଶ୍ରୀମନ୍ଦିର ସମ୍ମୁଖ ଏମାର ମଠ ଦ୍ୱାରଠାରେ ଆଶ୍ରିତ ଜର୍ମାନୀ ନାଗରିକ ଭାଲେଣ୍ଟିନ ।
ଭ୍ୟାଲେଣ୍ଟିନଙ୍କୁ ମାତ୍ର ୨୫ ବର୍ଷ । ବିଳମ୍ବିତ ରାତିରେ ଏମାର ମଠ ଦ୍ୱାର ପାଶ୍ୱର୍ରେ ଆଶ୍ରୟ ନେଇ ଶ୍ରୀମନ୍ଦିରକୁ ଚାହିଁ ଖୁସିରେ ଗଦ୍ଗଦ୍ ହେଉଥିଲେ । ତାଙ୍କ କହିବା ମୁତାବକ, ୪ ମାସ ହେଲା ସେ ଭାରତକୁ ଆସିଛନ୍ତି । କେରଳ ଓ ତାମିଲ୍ନାଡୁ଼ ରାଜ୍ୟର ବିଭିନ୍ନ ମଠ ମନ୍ଦିର ଭ୍ରମଣ ପରେ ଏଠାରେ ପହଞ୍ଚିଛନ୍ତି । ସେ ପୁସ୍ତକରୁ ପ୍ରଭୁ ଜଗନ୍ନାଥଙ୍କ ବାବଦରେ ଜାଣିବାକୁ ପାଇଥିଲେ । ସେ ଉଚ୍ଚ ଶିକ୍ଷା ଲାଭ କରିନାହାନ୍ତି । ହେଲେ ବିଭିନ୍ନ ଧର୍ମ ପୁସ୍ତକ ଅଧ୍ୟୟନ କରିବା ତାଙ୍କର ନିଶା । ହିନ୍ଦୁତ୍ୱ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ରହିଛି । ଏହା ଏକ ଉନ୍ମୁକ୍ତ ଭାବଧାରା । ଭଗବତ୍ ସତ୍ତା ଏଥିରୁ ଅନୁଭବ କରିହୁଏ । କହିବାକୁ ଗଲେ ଅନ୍ୟ ଧର୍ମଗୁଡ଼ିକ ଏହି ହିନ୍ଦୁତ୍ୱ ଉପରେ ହିଁ ପର୍ଯ୍ୟବେସିତ ।
ଆହୁରି ପଢ଼ନ୍ତୁ :- ତୁଳସୀ ଗଣନାଟ୍ୟ ମାଲିକଙ୍କ ପିଛା ଛାଡ଼ୁନି ବିବାଦ: ଖଳନାୟକ ସାଇଙ୍କୁ ନିର୍ଯାତନା ଦେଉଥିଲେ ନାଣ୍ଡୁ ବାବୁ !
ଭାଲେଣ୍ଟିନ୍ କୁହନ୍ତି, ତାଙ୍କର ପିତାମାତା ବୁଦ୍ଧିଷ୍ଟ ଥିଲେ । ପରବର୍ତ୍ତୀ ସମୟରେ ଖ୍ରୀଷ୍ଟଧର୍ମାବଲମ୍ବୀ ହେଲେ । ଏଣୁ ପିଲାବେଳୁ ମାନବ ଧର୍ମ ହିଁ ଶ୍ରେଷ୍ଠ ବୋଲି ତାଙ୍କ ନିକଟରେ ସୂଚନା ରହିଛି । ବଡ଼ ହେଲା ପରେ ସେ ଚାହିଁଲେ ଭଗବାନଙ୍କ ବିଷୟରେ ତଥା ଅଧିକ ଆଧ୍ୟାତ୍ମିକ ଜ୍ଞାନ ହାସଲ କରିବେ । ପେସାରେ ସେ ବଢ଼େଇ । ଆର୍ଥିକ ସ୍ଥିତି ମଜଭୁତ୍ ନଥିଲେ ମଧ୍ୟ ସ୍ୱଳ୍ପ ଖର୍ଚ୍ଚରେ ବିଭିନ୍ନ ସ୍ଥାନ ଭ୍ରମଣ ଆରମ୍ଭ କରିଛନ୍ତି । ଭିସାର ତାରିଖ ଶେଷ ହୋଇଯିବାରେ ସେ ସମସ୍ୟା ଭୋଗୁଛନ୍ତି । କୌଣସି ପ୍ରକାରେ ଟ୍ରେନ୍ରେ ନେପାଳ ଯିବାକୁ ଅଛି । ପୁରୀରେ କେତେ ଦିନ ରହିବି ଜାଣିନାହିଁ । ମୋତେ ଯେବେ ଡାକରା ଆସିବ ଫେରିବାକୁ ଫେରିଯିବି । ମୋର ପରିବାର ଅଛନ୍ତି । ଝିଅ ସାଙ୍ଗ ମଧ୍ୟ ଥିଲେ । ପରିବାର ସହ ଚଳିବାରେ ମଧ୍ୟ ମୋର ପସନ୍ଦ ରହିଛି । ହେଲେ ହୃଦୟରେ ପ୍ରଭୁଙ୍କ ଡାକ ପହଞ୍ଚିଲେ ତୁରନ୍ତ ସେହି କଥା ମୁଁ ଶୁଣେ ।