ନୂଆଦିଲ୍ଲୀ, ୦୨/୦୭: ଚାରି ଥର (୧୯୫୪, ୧୯୭୪, ୧୯୯୦, ୨୦୧୪) ବିଶ୍ୱ ଚାମ୍ପିଅନ, ଚାରି ଥର ରନର୍ସଅପ୍ (୧୯୬୬, ୧୯୮୨, ୧୯୮୬, ୨୦୦୨) ଏବଂ ଚାରି ଥର ବ୍ରୋଞ୍ଜ (୧୯୩୪, ୧୯୭୦, ୨୦୦୬, ୨୦୧୦) ବିଜେତା ଜର୍ମାନୀ ଗତ ୩ଟି ବିଶ୍ୱକପ୍ରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଚାଲିଛି । ଚଳିତ ବିଶ୍ୱକପ୍‌ରେ ପାରାଗୁଏ ଠାରୁ ୧-୧ (୪-୩) ସୁଟଆଉଟ୍‌ରେ ପରାଜିତ ହୋଇ ରାଉଣ୍ଡ ୩୨ରୁ ବିଦାୟ ନେଇଛି।

ଜର୍ମାନୀ ଶେଷ ଥର ୨୦୧୪ରେ ଚାମ୍ପିଅନ ହୋଇଥିଲା । କିନ୍ତୁ ୨୦୧୮ ଓ ୨୦୨୨ରେ ଦଳ ଗ୍ରୁପ୍ ପର୍ଯ୍ୟାୟରୁ ଏବଂ ୨୦୨୬ରେ ରାଉଣ୍ଡ ୩୨ରୁ ବିଦାୟ ନେଇଛି । ଦଳ ବିଫଳ ହେବା ପରେ ମୁଖ୍ୟ କୋଚ ଜୁଲିଆନ ନାଗେଲସମାନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ପ୍ରଶଂସକ ଜର୍ଜେନ କ୍ଲୋପଙ୍କୁ ମୁଖ୍ୟ କୋଚ ନିଯୁକ୍ତ କରିବା ନେଇ ଯୁକ୍ତି ବାଢ଼ିଛନ୍ତି । ସେମିତି କୋଚ ନାଗେଲସମାନ କିନ୍ତୁ ଦଳ ଛାଡ଼ିବାକୁ ମନା କରି ଦେଇଛନ୍ତି ।

ଗ୍ରୁପ୍ ପର୍ଯ୍ୟାୟରେ ଟପ୍ପର

ଗ୍ରୁପ୍ ଇ’ରେ ଜର୍ମାନୀ ୨ଟି ମ୍ୟାଚରେ ଜିତିବାରେ ସଫଳ ହୋଇଥିଲା । ପ୍ରଥମ ମ୍ୟାଚରେ ୭-୧ ଗୋଲରେ କ୍ୟୁରାସାଓକୁ ଏବଂ ଦ୍ୱିତୀୟ ମ୍ୟାଚରେ ୨-୧ ଗୋଲରେ ଆଇଭରି କୋଷ୍ଟକୁ ପରାଜିତ କରିଥିଲା । କିନ୍ତୁ ଶେଷ ମ୍ୟାଚରେ ଇକ୍ୱେଡର ଠାରୁ ୨-୧ ଗୋଲରେ ପରାସ୍ତ ହୋଇଥିଲା । ଯାହାବି ହେଉ, ସର୍ବାଧିକ ୬ ପଏଣ୍ଟ ସହ ଜର୍ମାନୀ ଗ୍ରୁପ୍ ଟପ୍ପର ହୋଇଥିଲା ।

ରାଉଣ୍ଡ ୩୨ରେ ଗତ ୨୯ ତାରିଖରେ ପାରାଗୁଏ ଓ ଜର୍ମାନୀ ମୁହାଁମୁହିଁ ହୋଇଥିଲେ । ଫିଫା ମାନ୍ୟତାରେ ଜର୍ମାନୀ ନବମ ଏବଂ ପାରାଗୁଏ ୩୯ତମ ସ୍ଥାନରେ ରହିଛି । ଦୁଇ ଦଳ ମଧ୍ୟରେ ମ୍ୟାଚ ବେଶ କଡ଼ା ଟକ୍କର ହୋଇଥିଲା । ସବୁଥିରେ ଜର୍ମାନୀ ଆଗରେ ରହିଥିଲେ ବି ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେଲେ । ଅତିରିକ୍ତ ସମୟରେ ବି ମ୍ୟାଚ ଅମୀମାଂସିତ ରହିଲା । ଶେଷରେ ଖେଳ ସୁଟଆଉଟକୁ ଗଲା । ଏଥିରେ ପାରାଗୁଏ ୪-୩ ଗୋଲରେ ବିଜୟୀ ହେଲା ।

ବିବାଦୀୟ ‘ଭାର’

ମ୍ୟାଚର ଅତିରିକ୍ତ ସମୟରେ ‘ଭାର’ର ବିବାଦୀୟ ନିଷ୍ପତ୍ତିକୁ ନେଇ ଜର୍ମାନୀ ଖେଳାଳି ଓ ପ୍ରଶଂସକ କ୍ଷୁବ୍ଧ ହୋଇଥିଲେ । ଏହି ସମୟରେ ଜର୍ମାନୀ ଏକ ଗୋଲ୍ ଦେଇଥିଲା । କିନ୍ତୁ ତାହା ‘ଭାର’ ରିଭ୍ୟୁରେ ନାକଜ ହୋଇଯାଇଥିଲା । ନଚେତ ଜର୍ମାନୀ ଏହି ମ୍ୟାଚକୁ ୨-୧ ଗୋଲରେ ବିଜୟୀ ହୋଇଥାନ୍ତା ।

ଫିଫା ପକ୍ଷରୁ ‘ଭାର’ର ନିଷ୍ପତ୍ତିକୁ ନେଇ ସ୍ପଷ୍ଟୀକରଣ ଦିଆଯାଇଛି । ରିଭ୍ୟୁ ଦେଖି ରେଫରୀ ଯାହା ନିଷ୍ପତ୍ତି ନେଇଛନ୍ତି ସେଥିରେ ତ୍ରୁଟି ନାହିଁ । ଜୋନାଥନ ତାହ ଗୋଲ ଦେଇ ଜର୍ମାନୀକୁ ଅଗ୍ରଣୀ କରାଇଥିଲେ । କିନ୍ତୁ ତା’ ପୂର୍ବରୁ ୱାଲଡେମର ଆଣ୍ଟୋନ ପାରାଗୁଏ ଗୋଲକିପର ଓରଲାଣ୍ଡୋ ଗିଲଙ୍କୁ ଜାଣିଶୁଣି ଫାଉଲ ମାରିଥିଲେ । ଯାହା ନିୟମ ବିରୋଧୀ ଅଟେ । ତେଣୁ ଜର୍ମାନୀକୁ ଏହି ଗୋଲ ମିଳି ନଥିଲା ।

ସମସ୍ତଙ୍କୁ କ୍ଷମା ମାଗିଲେ ଅଧିନାୟକ

ଅଧିନାୟକ ଜୋଶୁଆ କିମ୍ମିଚ ଦଳର ବିଫଳତା ପାଇଁ ଜର୍ମାନୀବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, ‘ମୁଁ ଯେତେବେଳେ ଛୋଟ ହୋଇଥିଲି, ଆମ ଦଳ ସେମି ଫାଇନାଲ, ଫାଇନାଲ ଏବଂ ଚାମ୍ପିଅନ ହେବାର ଦେଖିଛି । କିନ୍ତୁ ଆମେ ଏମିତି କିଛି କଲୁ ଯେ ପୁଣି ଥରେ ସମସ୍ତଙ୍କୁ ନିରାଶ କରିଛୁ ।

ଆମେ ମ୍ୟାଚ ରେଫରୀ କିମ୍ବା ଆଉ କାହାକୁ ଦୋଷ ଦେବା ଉଚିତ ହେବନି । କାରଣ ଯଦି ତୁମେ ୧୨୦ ମିନିଟରେ ଜିତି ପାରୁ ନାହଁ, ତେବେ ତୁମେ ଟୁର୍ଣ୍ଣାମେଣ୍ଟରୁ ବିଦା ହେବାକୁ ଯୋଗ୍ୟ ।’

୨୦୧୮ ଓ ୨୦୨୨ରେ ଗ୍ରୁପ୍ରୁ ବିଦାୟ

୨୦୧୮ ସଂସ୍କରଣରେ ଦଳ ଗ୍ରୁପ୍ ଏଫ୍’ରେ ସାମିଲ ରହିଥିଲା । ମେକ୍ସିକୋଠୁ ୧-୦ରେ ଏବଂ ଦକ୍ଷିଣ କୋରିଆଠୁ ୨-୦ ଗୋଲରେ ପରାଜିତ ହୋଇଥିଲା । କେବଳ ଦଳ ୨-୧ରେ ସ୍ୱିଡେନଠୁ ପରାସ୍ତ ହୋଇଥିଲା । ଟେବୁଲରେ ଶେଷ ସ୍ଥାନରେ ରହି ବିଦାୟ ନେଇଥିଲା ।

୨୦୨୨ରେ ଜର୍ମାନୀ ଗ୍ରୁପ୍ ଇ’ରେ ସାମିଲ ରହିଥିଲା । ଜାପାନଠୁ ୨-୧ରେ ପରାଜିତ ହେବା ପରେ ସ୍ପେନ ସହ ୧-୧ ଗୋଲରେ ଡ୍ର’ ରଖିଥିଲା । ଅନ୍ତିମ ମ୍ୟାଚରେ କୋଷ୍ଟାରିକାକୁ ୪-୨ ଗୋଲରେ ହରାଇଥିଲା । କିନ୍ତୁ ସ୍ପେନ ସହ ସମାନ ୪ ପଏଣ୍ଟ ପାଇଥିଲେ ବି ଗୋଲ ବ୍ୟବଧାନରେ ପଛରେ ରହି ଜର୍ମାନୀ ବିଦାୟ ନେଇଥିଲା ।

ଦୀର୍ଘ ୧୨ ବର୍ଷ ଧରି ଜର୍ମାନୀ ବିଶ୍ୱକପ୍ରେ ଯେଉଁଭଳି ପ୍ରଦର୍ଶନ କରୁଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା । କ୍ରମାନ୍ୱୟରେ ଦଳ ୩ଟି ବିଶ୍ୱକପ୍ରେ ବିଫଳ ହୋଇଛି ।