ଦିଗପହଣ୍ଡି, ୨୫/୧୧ : ଖୋଲିବ ଘୋଡ଼ାହାଡ଼ ଡ୍ୟାମ୍‌। ନଦୀକୁ ଛଡ଼ାଯିବ ପାଣି। ନଦୀ ତଟବର୍ତ୍ତୀ ଗ୍ରାମଗୁଡ଼ିକୁ ସତର୍କ ସୂଚନା ଜାରି। ଘୋଡ଼ାହାଡ଼ ଜଳସେଚନ ଉପବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି। ନଦୀ ଭିତରକୁ କେହି ନଯିବାକୁ ଓ ଗୃହପାଳିତ ପଶୁ ନଛାଡ଼ିବାକୁ ବାରଣ କରାଯାଇଛି।

ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଗୁରୁବାର ଠାରୁ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଯେକୌଣସି ମୁହୂର୍ତ୍ତରେ ଦିଗପହଣ୍ଡିସ୍ଥିତ ଘୋଡ଼ାହାଡ଼ ଡ୍ୟାମ୍ ଖୋଲିବ। ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ପାଣି ଛଡ଼ାଯିବ। ଏଥିପାଇଁ ଜଳସମ୍ପଦ ବିଭାଗ ଅଧୀନ ଘୋଡ଼ାହାଡ଼ ଜଳସେଚନ ଉପବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନଦୀ ତଟବର୍ତ୍ତୀ ଅଞ୍ଚଳ ଗ୍ରାମବାସୀଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି। ଡ୍ୟାମ୍‌ରୁ ନଦୀ ଗର୍ଭକୁ ପାଣି ଛଡ଼ାଯିବ ତେଣୁ ନଦୀ କୂଳିଆବାସୀ ସତର୍କ ରହିବାକୁ କୁହାଯାଇଛି।  

​​​​​​​