ମାଲକାନଗିରି,୨୫।୯(ଆ ପ୍ର): ମାଲକାନଗିରି ଥାନା ସ୍ଥ ଏମଭି ୧୩ ଗ୍ରାମରେ ଜଣେ ଯୁବତୀ ଆତ୍ମହତ୍ୟା କରିଛି। ଯୁବତୀ ଜଣକ ହେଲେ ଅଙ୍କିତା ବିଶ୍ବାସ ନାମକ। ପ୍ରେମରେ ପ୍ରତାରଣା ସହି ନ ପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଅଙ୍କିତା ଜିଲ୍ଲା ସଦରରେ ଥିବା ଏକ ଘରୋଇ ନର୍ସିଂ କଲେଜରେ ବିଏସସି ନର୍ସିଙ୍ଗର ଶେଷ ବର୍ଷର ଛାତ୍ରୀ । ସେ ପୂର୍ବରୁ କୌଣସି ଏକ ଟାଵଲେଟ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବୁଧବାର ସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଫେରିଥିଲେ। ଘରକୁ ଫେରିବା ପରେ ଗୁରୁବାର ପୁନର୍ବାର ସେ ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ବାପା ବୃନ୍ଦାବନ ବିଶ୍ବାସ ଓ ଗ୍ରାମବାସୀ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ପହଂଚିବା ପରେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପ୍ରେମ ଜନିତ କାରଣକୁ ନେଇ ଅଙ୍କିତା ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା। ଏସମ୍ପର୍କ ରେ ଥାନା ରେ ଅଭିଯୋଗ କରିଛନ୍ତି ମୃତା ଯୁବତୀ ଙ୍କ ପରିବାର। ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳ ରେ ପହଁଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।