ଉଦଳା , ୧୪।୧ କପ୍ତିପଦା ଥାନା କୁସୁନପୁର ଗ୍ରାମରେ  ପୋଖରୀରେ ବୁଡି ଜଣେ ଅଢେଇ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ମୃତକ ଉକ୍ତ ଗ୍ରାମର ଜିତେନ୍ କୁମାର ଦାସ ଙ୍କ ଅଢେଇ ବର୍ଷର ଝିଅ ଶର୍ମିଲା ଦାସ। ଆଜକୁ ୪ ମାସ ପୂର୍ବରୁ ଜିତେନ୍ ଙ୍କ ର ମୃତ୍ୟୁ ହୋଇଥିଲା।

ଜିତେନଙ୍କ ସ୍ତ୍ରୀ ସୁକାନ୍ତି ସାମାନ୍ୟ ମାନସିକ ବିକାରଗ୍ରସ୍ତ। ଏଭଳି ଅବସ୍ଥାରେ ଝିଅ ଶର୍ମିଲା ଜେଜେମାଆଙ୍କ ନିକଟରେ ରହୁଥିଲା। ଆଜି ଶର୍ମିଲା ଘର ବାଡ଼ିରେ ଖେଳୁଥିବା ବେଳେ ଅସାବଧାନତା ବଶତଃ ନିକଟରେ ଥିବା ପୋଖରୀରେ ବୁଡି ଯାଇଥିଲା। ଅନ୍ୟ କାମରେ ବ୍ୟସ୍ତ ଥିବା ମା’ ସୁକାନ୍ତି ଏବଂ ଜେଜେମାଆ ତାଙ୍କୁ ଖୋଜି ନ ପାଇବା ପରେ ପୋଖରୀରେ ସେ ବୁଡି ଯାଇଥିବା ଦେଖି ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ କପ୍ତିପଦା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।